ନିଷ୍ପତି ବଦଳ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ନିର୍ଜନ ରାତିରେ ଏଭଳି ପରିଶ୍ରମ କାହିଁକି କରୁଛ, ବିପଦକୁ କାହିଁକି ତାଚ୍ଛଲ୍ୟ କରି ଶ୍ମଶାନରୂପକ ଏ ପ୍ରେତପୁରୀରେ ପ୍ରବେଶ କରିଛ, ବୁଝି ପାରୁନାହିଁ । ତମେ ହୁଏତ ସ୍ୱପ୍ନରେ କିଛି ଇଙ୍ଗିତ ପାଇଛ । ବୋଧହୁଏ ସେହି ଅନୁସାରେ ବାଧାବିପତ୍ତି ନମାନି କାମ କରି ଚାଲିଛ । କିନ୍ତୁ ସ୍ୱପ୍ନର ଇଙ୍ଗିତକୁ ତାଚ୍ଛଲ୍ୟ କରିବା ଲୋକ ବି ଅଛନ୍ତି । ସେହିଭଳି ଜଣେ ଲୋକର କାହାଣୀ କହୁଛି । ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

ବେତାଳ ଗପିଲା: ଶ୍ରୀଗୁପ୍ତ ନାମକ ଜଣେ ବିଖ୍ୟାତ ବ୍ୟବସାୟୀ ପ୍ରତିଷ୍ଠାନ ନଗରୀରେ ରହୁଥିଲେ । ସେ ଦୁଇବର୍ଷରେ ଥରେ ସମୁଦ୍ର ସେପାରି ରାଜ୍ୟମାନଙ୍କୁ ବେପାର କରିବାକୁ ଯାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ବ୍ୟବସାୟୀ ସେଠାରୁ ଫେରି ଆସୁଥିଲେ ।

ଥରେ ଶ୍ରୀଗୁପ୍ତ ନିଜ ଦେଶରେ ମାଲ୍ ମସଲା ଖରିଦ୍ କରିବା ଅବସରରେ ଜୟପୁର ନାମକ ଛୋଟିଆ ସହରରେ ରହୁଥିବା ତାଙ୍କର ବାଲ୍ୟବନ୍ଧୁ ମହେନ୍ଦ୍ରଙ୍କ ଘରେ ସେ ଅତିଥି ହେଲେ । ମହେନ୍ଦ୍ର ମଧ୍ୟ ବ୍ୟବସାୟ କରୁଥିଲେ । କିନ୍ତୁ ସମୁଦ୍ରରେ ନୁହେଁ । ସେ ସହରରେ ଦୋକାନଟିଏ କରିଥିଲେ ଓ ସେଥିରୁ ଭଲ ଲାଭ କରୁଥିଲେ । କୋଠାଘର ବି ତୋଳିଥିଲେ ଓ ସୁଖରେ ଥିଲେ ।

ଶ୍ରୀଗୁପ୍ତ ବନ୍ଧୁଙ୍କ ଘରେ ଦୁଇଦିନ ବିଶ୍ରାମ କରିବା ଅବସରରେ ବନ୍ଧୁଙ୍କୁ କହିଲେ, “ମହେନ୍ଦ୍ର! ତମର ଅଧ୍ୟବସାୟ ଯେମିତି, ବୁଦ୍ଧିମତା ବି ଠିକ୍ ସେମିତି । ଦୋକାନରୁ ଉପାର୍ଜନ ବି କିଛି ମନ୍ଦ ହେଉନାହିଁ ବୋଲି ମୁଁ ବୁଝୁଛି । କିନ୍ତୁ ଏଭଳି ଦୋକାନଟିଏ କରି ତମେ ଯେ କେବେ ଧନପତି ହେବ, ସେ ଆଶା ତ ମୋର ନାହିଁ । ଗୋଟାଏ କାମ କର । କିଛି ମୂଳଧନ ଧରି ଥରେ ମୋ ସହ ସମୁଦ୍ର ସେପାରିକୁ ଚାଲ । ବିଦେଶରୁ ଜିନିଷପତ୍ର ଆଣି ଏଠାରେ ବିକ୍ରୟ କରିବ । ବାସ୍ତବିକ ସେଥିରେ ସିନା ଲାଭ ହେବ! ଏ ଦୋକାନରେ ଆଉ ବିଶେଷ କ’ଣ ବା ଲାଭ ହେବ? ଥରେ ସମୁଦ୍ର ସେପାରିକୁ ଯାଇ ବାଣିଜ୍ୟ କରିବାର ନିଶା ଲାଗିଗଲେ ତେଣିକି ଆଉ ତମେ ସ୍ଥଳରେ ଖୁସିହୋଇ ମୋଟେ ରହିପାରିବ ନାହିଁ । ବାରମ୍ବାର ସମୁଦ୍ର ପଥରେ ଦେଶବିଦେଶ ବୁଲିବାକୁ ବାହାରିବ ।”

ମହେନ୍ଦ୍ର ବନ୍ଧୁଙ୍କ କଥା ମନଦେଇ ଶୁଣିଲେ ଓ କହିଲେ, “ତମ ପରାମର୍ଶ ପାଇଁ ତମକୁ ଧନ୍ୟବାଦ । ମୁଁ ଚିନ୍ତା କରି ଦେଖିବି ।”

ଶ୍ରୀଗୁପ୍ତ ପୁଣି କହିଲେ, “ଦେଖ, ମୁଁ ଆଉ ତିନିମାସ ପରେ ବାଣିଜ୍ୟ ପାଇଁ ବାହାରିବି । ପ୍ରଥମଥର ତମେ ଏ ଦେଶରୁ କିଛିବି ଜିନିଷ ନେବାର ଦରକାର ନାହିଁ । ଖାଲି ବିଦେଶରୁ ଆଣିବା ନିମନ୍ତେ ଟଙ୍କା ଯୋଗାଡ କର ।” ଶ୍ରୀଗୁପ୍ତ ତାଙ୍କର ପ୍ରସ୍ତାବିତ ସମୁଦ୍ର ଯାତ୍ରାର ତାରିଖ ଜଣାଇ ସେଠାରୁ ବିଦାୟ ନେଲେ ।

ମହେନ୍ଦ୍ର ଏ ପ୍ରସ୍ତାବ ଉପରେ ଅନେକ ଚିନ୍ତା କଲେ । ଶେଷକୁ କିଛି ପୁଞ୍ଜି ଧରି ପ୍ରତିଷ୍ଠାନ ନଗରୀ ଉଦ୍ଧେଶ୍ୟରେ ସେ ତାଙ୍କ ଯାତ୍ରାରମ୍ଭ କଲେ । ବନ୍ଧୁଙ୍କ ସହ ଥରେ ବିଦେଶ ଯିବା ହେଲା ତାଙ୍କର ସିଦ୍ଧାନ୍ତ ।

ଜୟପୁରରୁ ପ୍ରତିଷ୍ଠାନ ଦୁଇ ଦିନର ବାଟ । ପ୍ରଥମ ଦିନ ବାଟ ଚାଲୁ ଚାଲୁ ମହେନ୍ଦ୍ର କ୍ଳାନ୍ତ ଅନୁଭବ କରି ଗୋଟିଏ ଗଛ ମୂଳରେ ଶୋଇ ପଡିଲେ । ସେତେବେଳେ ଦ୍ୱିପ୍ରହର । ହେଲେ ପାଖରେ ସରୋବର ଥିବାରୁ ଶୀତଳ ପବନ ବହୁଥାଏ ।

ତାଙ୍କୁ ନିଦ ଆସିଗଲା । ସେ ସ୍ୱପ୍ନରେ ଗୋଟିଏ ଅଦ୍ଭୁତ ବ୍ୟାପାର ଦେଖିଲେ: ଜଳରାଶି ଭିତରେ ଗୋଟିଏ ଜାହାଜ ସୁବର୍ଣ୍ଣମୟ ଦ୍ୟୁତରେ ଝଟକୁଛି । ଜାହାଜରେ ଯେ ନାନା ପ୍ରକାର ମୂଲ୍ୟବାନ ପଦାର୍ଥ ବୋଝାଇ ହୋଇ ରହିଛି, ଏହା ଅକ୍ଳେଶରେ ବୁଝି ହେଉଥିଲା ମହେନ୍ଦ୍ର କିଛି ସମୟ ଜାହାଜ ଆଡେ ଅନାଇ ତା’ପରେ ଲୋଭ ସମ୍ବରଣ କରି ନପାରି ଜଳ ଭିତରକୁ ଡେଇଁ ପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ