କବର ଭିତର ସୁନା ଛାଆଣି

ଯେଉଁ ଦିନଠାରୁ ସୁନା ସହ ମଣିଷର ଚିହ୍ନା ପରିଚୟ ହୋଇଛି, ସେହିଦିନଠାରୁ ସୁନାର ମୋହରେ ପଡିଯାଇଛି ସେ । ପୁରାକାଳରେ ମିଶର୍ ଦେଶରେ କୁଆଡେ ଗଚ୍ଛିତ ହୋଇ ରହିଥିଲା ସବୁଠାରୁ ବେଶୀ ସୁନା । ନୀଳନଦୀର ପଶ୍ଚିମ ତଟରେ ରହିଛି ଥେବିସ୍ ଉପତ୍ୟକା । ସେହି ଉପତ୍ୟକାରେ ମିଶର୍ର ସେତେବେଳର ରାଜା ଫାରାହୋମାନଙ୍କର କବର ରହିଛି ।

                ୧୯୦୭ ମସିହାରେ ମିଶର୍ ସରକାରଙ୍କ ତରଫରୁ ସେହି କବରସବୁ ଖୋଳାଗଲା । କବର ଭିତରର ବର୍ଣ୍ଣନା ଦେବାକୁ ଯାଇ ଜଣେ ସରକାରୀ ଅଫିସର୍ ଲେଖିଥିଲେ, “ଚାରିଆଡ ଖାଲି ସୁନା ଆଉ ସୁନା । ଚଟାଣ ସୁନାରେ ତିଆରି, କାନ୍ଥ ବି ତିଆରି ସୁନାରେ । ଶବ ରହିଥିବା କଫିନ୍ ବା ବାକ୍ସ ସୁନାର । ସୁନାରେ ମଳିନତାର ସାମାନ୍ୟ ଛାପ ବି ନ ଥିଲା । ତାହା ଏମିତି ଝଟକୁଥିଲା ଯେ ଜଣାପଡୁଥିଲା, ସତେ ଯେପରି ସେଗୁଡିକୁ ସାଙ୍ଗେ ସାଙ୍ଗେ ବଣିଆ ଘରୁ ଅଣାଯାଇ ସେଠାରେ ଖଞ୍ଜା ଯାଇଛି ।”

                ସେତେବେଳେ ଆସିରିଆର ରାଣୀ ଥିଲେ ସେମିରାମିସ୍ । ଦେବଦେବୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଖାଂଟିସୁନାରେ ଦେବଦେବୀମାନଙ୍କ ବିରାଟ ମୂର୍ତ୍ତି ତିଆରି କରାଇଥିଲେ । ଗୋଟିଏ ପ୍ରତିମୂର୍ତ୍ତିର ଉଚ୍ଚତା ଥିଲା ପ୍ରାୟ ୧୨ ମିଟର୍ । ମୂର୍ତ୍ତିଟିକୁ ତିଆରି କରିବାରେ ଲାଗିଥିଲା ୩୦,୦୦୦ କିଲୋଗ୍ରାମ୍ ଓଜନର ସୁନା । ସେହିପରି କୁଆଡେ ୨୫୦,୦୦୦ କିଲୋଗ୍ରାମ୍ ଓଜନର ସୁନାରେ ସେ ଦେବୀ ରିଆଙ୍କର ମୂର୍ତ୍ତି ଗଢେଇ ଥିଲେ । ରିଆ, ରିଆ ବସିଥିବା ସିଂହାସନ ଓ ସିଂହାସନର ଦୁଇକଡରେ ଥିବା ଦୁଇଟି ସିଂହ – ସବୁ ତିଆରି ହୋଇଥିଲା ସୁନାରେ ।

                ବିଭିନ୍ନ ସମୟରେ ବିଭିନ୍ନ ଲୋକ ସୁନା ତିଆରି କରିବା ପାଇଁ ବ୍ୟବହାର କରିଥିଲେ ନାନା ପ୍ରକାରର ରାସାୟନିକ ଜିନିଷ । ଅବଲମ୍ବନ କରିଥିଲେ ନାନା ପଦ୍ଧତି । ପଥର ତିଆରି ସୁଦୃଢ ଦୁର୍ଗ ଭିତରେ ରାତିଦିନ ବଡ ବଡ କଡେଇରେ ବଣିଆମାନେ ଘାଂଟି ଚାଲିଥିଲେ ଭଳି କି ଭଳି ତରଳ ପଦାର୍ଥ । ସେଗୁଡିକର ବିଷାକ୍ତ ଧୂଆଁ ଯୋଗୁଁ ସେମାନେ ରୋଗ ଭୋଗି ଚାଲିଥିଲେ । ହେଲେ ସୁନା ତିଆରି କରିବାର ଉଦ୍ୟମରୁ ଓହରି ଯିବାର ନାଁ ସୁଧା ବି ସେମାନେ ଧରୁ ନ ଥିଲେ ।

                କୁହାଯାଏ ଯେ ୧୪୪୦ ମସିହାରେ ଗିଲେସ ଡି ରାଇସ୍ ଓ ତାଙ୍କର ବନ୍ଧୁ ଫ୍ରାନ୍ସୁଲା ପ୍ରେଲାଟି କୁଆଡେ ଆଠଶହ କୁଆଁରୀ କନ୍ୟାଙ୍କୁ ହତ୍ୟା କରିଥିଲେ । ସେଇ ହତଭାଗୀ ଝିଅମାନଙ୍କ ରକ୍ତରୁ ସୁନା ଆହରଣ କରିବା ଥିଲା ରାଇସ୍ ଓ ପ୍ରେଲାଟିଙ୍କର ମୂଳ ଉଦ୍ଧେଶ୍ୟ । । ସେମାନଙ୍କର ଏହି କାର୍ଯ୍ୟକୁ ନାପସନ୍ଦ କରି ସେମାନଙ୍କୁ ନିଆଁରେ ପକେଇ ମାରିଦେବା ନିମନ୍ତେ ଆଦେଶ ଜାରି କରିଥିଲେ ଚର୍ଚ୍ଚର ବିଶପ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ