ଭୀତୁ

ଦୁଇଶହ ବର୍ଷ ପୂର୍ବର କାହାଣୀ – କେରଳରେ ତାଲଙ୍ଗୋଡୁ ଗ୍ରାମରେ ପାର୍ବତୀ ଆମ୍ମା ନାମକ ଏକ ମହିଳା ଥା’ନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଥିଲା ରାମକୁଟ୍ଟି । ରାମକୁଟ୍ଟି ରାଜାଙ୍କ ଦରବାରରେ କାମ କରୁଥିଲେ । ତେଣୁ ସେ ଏତେ ବ୍ୟସ୍ତ ଥା’ନ୍ତି ଯେ ତାଙ୍କର ଘରକୁ ଫେରିବା ସମୟର କୌଣସି ସଠିକତା ନଥାଏ ।

                ପାର୍ବତୀ ଆମ୍ମାଙ୍କର ଅଧିକାଂଶ ସମୟ ଭଗବାନ୍ ସୁବ୍ରହ୍ମଣ୍ୟମ୍ଙ୍କ ପୂଜା ପ୍ରାର୍ଥନାରେ କଟେ । ସେ ଅତି ଭକ୍ତିରେ ଥରେ ଥରେ କହନ୍ତି, “ହେ ଭଗବାନ୍ ତମେ ମୋତେ କେବେ ଦର୍ଶନ ଦେବ? କେବେ ମୋ ହାତରୁ ପ୍ରସାଦ ଖାଇବ?” ଏହିପରି ଦିନେ ସେ କହିବା ବେଳେ ପୂଜାରୀ ଠାକୁରଙ୍କ ମୂର୍ତ୍ତି ପଛରେ ଲୁଚି ରହି କହିଲା, “ହେ ଭକ୍ତିମତୀ, ମୁଁ ତୋ ଭକ୍ତିରେ ବହୁତ ପ୍ରସନ୍ନ ହୋଇଛି । ଆଜି ସୂର୍ଯ୍ୟାସ୍ତ ସମୟରେ ମୁଁ ତୋ ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବି ।”

                ମନ୍ଦିରରେ ଭଗବାନଙ୍କ କଣ୍ଠଶବ୍ଦ ଶୁଣି ପାର୍ବତୀ ଆମ୍ମା ଗଦ୍ଗଦ୍ ହୋଇଗଲେ । ସଂଧ୍ୟାପାଇଁ ସେ ପ୍ରତୀକ୍ଷା କରୁଥାନ୍ତି । ସେ ବହୁତ ପ୍ରକାର ଖାଦ୍ୟ ଭୋଗ ପାଇଁ ମଧ୍ୟ ତିଆରି କରି ରଖିଲେ । ସଂଧ୍ୟ୍ୟା ହେବାର ଅଳ୍ପ ପୂର୍ବରୁ ଭିକ୍ଷୁକଟିଏ ଆସି ତାଙ୍କ ଦ୍ୱାରରେ ଠିଆ ହୋଇ କହିଲା, “ଜୟ ସୁବ୍ରହ୍ମଣ୍ୟମ୍” । ତାଙ୍କୁ ଦେଖି ପାର୍ବତୀଆମ୍ମା ଭାବିଲେ ବୋଧହୁଏ ନିଜେ ସୁବ୍ରହ୍ମଣ୍ୟମ୍ ଛଦ୍ମବେଶରେ ଆସିଛନ୍ତି । ତେଣୁ ସେ ବ୍ୟସ୍ତ ହୋଇ କହିଲେ, “ଆସନ୍ତୁ, ମୋର ଅହୋଭାଗ୍ୟ, ଆଜି ଆପଣ ମୋଗୃହର ଅତିଥି ହୋଇ ଆସିଛନ୍ତି ।”

                ଭିକ୍ଷୁକ କହିଲା, “ମୁଁ ତ ଜଣେ ସାଧାରଣ ଭିକ୍ଷୁକ, ଭିକ୍ଷା ନେବା ପାଇଁ ଆସିଛି ।”

                କିନ୍ତୁ ପାର୍ବତୀ ଆମ୍ମା ସେସବୁ କଥା ନଶୁଣି ଭିକ୍ଷୁକଙ୍କୁ ଘର ଭିତରକୁ ନେଇ ତାଙ୍କୁ ଆସନରେ ବସାଇ ନାନା ପ୍ରକାର ଖାଇବା ପରଷି ଦେଲେ । ଭିକ୍ଷୁକ ବଡ ଆନନ୍ଦରେ ବସି ସେସବୁ ଖାଇଲା । ସେ ଖାଇବା ବେଳେ ପାର୍ବତୀ ଆମ୍ମା ବସି ସୁବ୍ରହ୍ମଣ୍ୟମ୍ଙ୍କର କୀର୍ତ୍ତିମାନ ଥିବା ଭଜନ ଗାଉଥାନ୍ତି । କ୍ରମେ ସଂଧ୍ୟା ହେବାରୁ ସେ ଦୀପସବୁ ଜଳାଇ ଦେଲେ । ଟିକିଏ ପରେ ବାହାର କବାଟରେ କିଏ ଖଡଖଡ କରିବାରୁ, ପାର୍ବତୀଆମ୍ମା ଯାଇ ଖୋଲି ଦେଖିଲେ ପୂଜାରୀ ସାକ୍ଷାତ୍ ସୁବ୍ରହ୍ମଣ୍ୟମ୍ ରୂପରେ ସଜାସଜି ହୋଇ ଠିଆ ହୋଇଛି । ଏବେ ସେ ପାର୍ବତୀ ଆମ୍ମା ନିଜ ଭୁଲ୍ କିଛିଟା ବୁଝିପାରିଲେ; ସେ ଚଟାପଟ ଭିତରକୁ ଆସି ଭିକ୍ଷୁକକୁ ଘରର ଆଟୁ ଉପରେ ଲୁଚାଇ ପକାଇଲେ । ତା’ପରେ ପୂଜାରୀକୁ ଡାକି ଆସନ ଖାଦ୍ୟ ଦେଇ ତା’ର ସତ୍କାରରେ ସେ ଲାଗିଗଲେ ।

                ଠିକ୍ ଏହି ସମୟରେ ପାର୍ବତୀଆମ୍ମାଙ୍କ ସ୍ୱାମୀ ଘୋଡାରେ ଆସି ଘରେ ପହଁଚିଲେ । ସେ ଏବେ କରନ୍ତି କ’ଣ । ସେ ତରବରରେ ପୂଜାରୀ ଭଗବାନଙ୍କୁ ନମସ୍କାର କରି କହିଲେ, “ପ୍ରଭୂ, ମୋ ସ୍ୱାମୀ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ, ମନେ ହେଉଛି ତାଙ୍କ ମିଜାଜ୍ ଆଜି ଭଲ ନାହିଁ । ସେ ଶାନ୍ତ ହେବା ପର୍ଯ୍ୟନ୍ତ ଆପଣ ଆଟୁ ଉପରକୁ ଯାଇ ସେଠାରେ ଲୁଚି ବସନ୍ତୁ; ଏତିକି କହି ସେ ତାଙ୍କୁ ଆଟୁ ଉପରେ ଚଢାଇଲେ, ପୂଜାରୀ କରେ କ’ଣ, ସେହି ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ କୋଣରେ ଶୋଇଗଲେ, ଆଗରୁ ସେଠାରେ ଭିକ୍ଷୁକ ଥିଲା । ସେ ମଧ୍ୟ ଶୋଇ ଯାଇ ଥାଏ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ