ବୁଦ୍ଧିମାନ କିଏ

ରଘୁନାଥ ଓ ବଲରାଜ ଦୁଇବନ୍ଧୁ ଭାବନ୍ତି ଯେ ଜଣେ ଅନ୍ୟଠାରୁ ଅଧିକ ବୁଦ୍ଧିମାନ । ଥରେ ଦୁହେଁ ରାସ୍ତାରେ ବିବାଦ କରିବାବେଳେ ପ୍ରିୟନାଥ ନାମକ ସେଇ ଗ୍ରାମର ଅନ୍ୟ ଏକ ଭଦ୍ରଲୋକ ସେଠାରେ ପହଁଚି କହିଲେ, “ମୁଁ ତୁମ ଦୁହିଁଙ୍କର ବିବାଦ ଭାଙ୍ଗିଦେବି । ଦେଖ, ମୁଁ ତୁମ ଦୁହିଁଙ୍କୁ ଏକ ପ୍ରଶ୍ନ ପଚାରିବି । ଯିଏ ଭଲ ଉତ୍ତର ଦେଇପାରିବ ସେହିଁ ବୁଦ୍ଧିମାନ । ଯଦି ତୁମ ଦୁହିଁଙ୍କ ଭିତରୁ କିଏ ବି ଉତ୍ତର ଦେଇପାରିବ ନାହିଁ ତେବେ ମୁଁ ସମସ୍ତିଙ୍କଠାରୁ ବୁଦ୍ଧିମାନ୍ ଆଉ ତୁମେ ଦୁହେଁ ମୂର୍ଖ ବୋଲି ପ୍ରମାଣିତ ହୋଇଯିବ । ଠିକ୍ ଅଛି?”

                “ମୁଁ ଏ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବି ନାହିଁ ।” ବଲରାଜ ଏହା କହି ସେ ସ୍ଥାନ ଛାଡି ଚାଲିଗଲା । ତା’ପରେ ପ୍ରିୟନାଥ କହିଲେ, “ଦେଖିଲ ତ? ତୁମ ଦୁହିଁଙ୍କ ମଧ୍ୟରେ ବଲରାଜହିଁ ଅଧିକ ବୁଦ୍ଧିମାନ୍ । କାରଣ ମୁଁ ତୁମ ଦୁହିଁଙ୍କୁ ଏପରି ଏକ ଜଟିଳ ପ୍ରଶ୍ନ ପଚାରିଥା’ନ୍ତି ଯେ ଯାହାର ଉତ୍ତର ମୁଁ ନିଜେ ମଧ୍ୟ ଜାଣିନାହିଁ । ବଲରାଜ ମୋ ମନ କଥା ଜାଣିଦେଲା ।”

                ତା’ପରେ ରଘୁନାଥ ଯାଇ ବଲରାଜ ଘରେ ପହଁଚି ତାକୁ କହିଲା, “ପ୍ରିୟନାଥ ତ ତୁମକୁହିଁ ଅଧିକ ବୁଦ୍ଧିମାନ୍ ବୋଲି କହିଲେ ।” ବଲରାଜ ଆଶ୍ଚର୍ଯ୍ୟ ହୋଇ କହିଲା, “ଦେଖ, ହଠାତ୍ ମୋ ପେଟ କାମୁଡିଲା ବୋଲି ମୁଁ ସେକଥା ନକହି ମିଛ କହି ଚାଲି ଆସିଲି । ଏବେ ଦେଖୁଛି ସେଇ ମିଛ ଯୋଗୁହିଁ ମୁଁ ଅଧିକ ବୁଦ୍ଧିମାନ୍ ବୋଲି ପ୍ରମାଣିତ ହେଲି ।”

                ରଘୁନାଥ ମନ ଦୁଃଖ କରି କହିଲା “ମୋର ବି ପେଟ ଯନ୍ତ୍ରଣା ହୁଏ । କିନ୍ତୁ ଠିକ୍ ସମୟରେ ହୁଏ ନାହିଁ । ଟିକିଏ ଆଗରୁ ହୋଇଥିଲେ ମୁଁ ଅଧିକ ବୁଦ୍ଧିମାନ୍ ହୋଇଥାନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ