ବେପାରୀ-ମନ

ଦୟାରାମ ଜଣେ ସମ୍ପନ୍ନ କୃଷକ ଥିଲେ । ତାଙ୍କର ତିନି ପୁଅ । ସେ ତିନିହେଁ ବୁଦ୍ଧିମାନ ଓ ଶିକ୍ଷୀତ । କିନ୍ତୁ ବାପାଙ୍କ ବୃତ୍ତି ଅବଲମ୍ବନ କରିବା ନିମନ୍ତେ କାହାରି ମଧ୍ୟ ଆଗ୍ରହ ନଥିଲା । ପ୍ରତ୍ୟେକଙ୍କ ଇଚ୍ଛା, ସେ ବେପାର କରିବ ।

                ପୁଅମାନଙ୍କର ଏପ୍ରକାର ମନୋଭାବ ଦୟାରାମଙ୍କୁ କିନ୍ତୁ ମୋଟେ ଭଲ ଲାଗୁ ନଥାଏ । ସେ ସେମାନଙ୍କୁ ବୁଝାଇ କହୁଥାନ୍ତି, “ଆରେ ବାବୁ, ବଂଶ ପରମ୍ପରା କ୍ରମେ ଆମର ବୃତ୍ତି ହେଲା ଚାଷ । ଚାଷ କରିବା ଦ୍ୱାରା ମାଟି, ପାଣି, ପବନ ପ୍ରକୃତି ସହ ଆମର ନିବିଡ ସମ୍ପର୍କ ରହେ । ଏହା ଅତ୍ୟନ୍ତ ଉତ୍ତମ କାମ । ଯଦି ଚାଷରେ ମନ ନ ଲାଗୁଛି, ବରଂ କିଛି ମହତ୍ ବା ନୂଆ କାମ କର ।”

                ଦିନେ ପୁଅମାନେ କହିଲେ “ହେଲା ବାପା, ଆମକୁ ଯେଉଁ ମହତ୍ ଓ ନୂଆ କାମ କରିବାକୁ କହିବ, ଆମେ ତାହାହିଁ କରିବୁ ।”

                ଦୟାରାମ ଏଥର ଖୁସି ହେଲେ । ଦୟାରାମ ଜଣେ କୃଷକ ହେଲେ କ’ଣ ହେଲା, ତାଙ୍କର ଅନେକ ସୁହୃଦ୍ ଥିଲେ । ସେମାନଙ୍କ ଭିତରେ ଜଣେ ବିଶିଷ୍ଟ କବି ଥିଲେ । ଆଉ ଜଣେ ରାଜନୀତିବିଦ୍ । ଆଉ ଜଣେ ସନ୍ଥ । ଦୟାରାମ ବଡ ପୁଅକୁ କବିଙ୍କ ପାଖକୁ ପଠାଇ ଦେଲେ । ମଝି ପୁଅକୁ ରାଜନୀତିଞ୍ଜଙ୍କ ପାଖରେ ଓ ସାନ ପୁଅକୁ ସନ୍ଥଙ୍କ ପାଖରେ ଛାଡିଲେ ।

କବି ବଡ ପୁଅ ହୃଦୟରେ କବିତାର ଉଚ୍ଛ୍ୱାସ ସୃଷ୍ଟି କରିବା ନିମନ୍ତେ ଖୁବ୍ ଚେଷ୍ଟା କଲେ । ଯୁବକ ଖୁବ୍ ମନଦେଇ କବିଙ୍କ କଥା ଶୁଣୁଥାଏ । କିନ୍ତୁ କିଛିଦିନ ପରେ କବି ଦେଖିଲେ, ସେ ଏହା ଭିତରେ ଆଉ ଗୋଟାଏ କାମ କରି ବସିଛି । କବିଙ୍କ ପାଖକୁ ଅନେକ ତରୁଣ କବି ଆସୁଥାନ୍ତି । ଯୁବକ ସେମାନଙ୍କ ସହ ବନ୍ଧୁତା କରି ସେମାନଙ୍କୁ ପ୍ରସ୍ତାବ ଦେଇଥାଏ; “ଆରେ ସମସ୍ତେ କିଛି କିଛି ପଇସା ଦେଇ ଗୋଟିଏ କବିତା ସଙ୍କଳନ ଛାପିବା । ପ୍ରତ୍ୟେକ ଶହେ ଖଣ୍ଡି ଲେଖାଏଁ ଛାପା ବହି ନେବା ଓ ବନ୍ଧୁ ମହଲରେ ସେସବୁ ବିକ୍ରି କରି ନିଜେ ଖର୍ଚ୍ଚ କରିଥିବା ପଇସା ଅସୁଲ୍ କରିନେବା ।” ସମସ୍ତେ ଏଥିରେ ଆଗ୍ରହ ଦେଖାଇ ତାକୁ ଟଙ୍କା ଦେଇଥାନ୍ତି । ସେ ସେତିକି ଟଙ୍କାରେ ଦୁଇଗୁଣ ସଂଖ୍ୟାରେ ବହି ଛାପି ସମସ୍ତଙ୍କୁ ଶହେ ଖଣ୍ଡ ଲେଖାଏଁ ଦେଇ ବାକି ହଜାରେ ଖଣ୍ଡ ଜଣେ ବହି ଦୋକାନୀକୁ ଏକ ତୃତୀୟାଂଶ ମୂଲ୍ୟରେ ବିକ୍ରି କରି ଲାଭ ଉଠାଇଥାଏ ।

ଯେଉଁଦିନ କବି ମହାଶୟ ଏକଥା ଜାଣିଲେ, ସେ ଦୟାରାମଙ୍କୁ ଡାକି କହିଲେ, “ବନ୍ଧୁ, ତମ ପୁଅ ଖୁବ୍ ଦକ୍ଷ ପିଲା । କିନ୍ତୁ ତା’ ଦକ୍ଷତା ସାହିତ୍ୟ ଅପେକ୍ଷା ବେପାରରେ ଅଧିକ ବୋଲି ମୋର ଧାରଣା । ତମେ ମୋ ପରାମର୍ଶ ଶୁଣ । ତାକୁ ବେପାରରେ ଲଗାଅ ।”

ତେଣେ ଦୟାରାମଙ୍କ ଦ୍ୱିତୀୟ ପୁତ୍ରଙ୍କ ହୃଦୟରେ ରାଜନୀତିଜ୍ଞ ଦେଶପ୍ରେମ ଜାଗ୍ରତ କରିବାକୁ ଚେଷ୍ଟା କରୁଥାନ୍ତି । ସେ ଖୁସି ହୋଇ କହୁଥାନ୍ତି, “ତମେ ଯେ ମୋ ଭଳି ଦେଶ ସେବା କରିବାକୁ ବାହାରିଛ, ଏହା ମୋ ପକ୍ଷରେ କିଛି କମ୍ ଆନନ୍ଦର କଥା ନୁହେଁ ।” ଯୁବକ ଜଣକ ନେତାଙ୍କ ପ୍ରତି ପ୍ରଗାଢ ଆନୁଗତ୍ୟ ପ୍ରକାଶ କରୁଥାନ୍ତି । କିନ୍ତୁ ଛଅମାସ ଭିତରେ ନେତା ବୁଝିଲେ, ଯୁବକଟି ତାଙ୍କ ପାଖଲୋକ ହିସାବରେ ଅନେକ ବ୍ୟବସାୟୀ ଓ ସ୍ୱାର୍ଥାନ୍ୱେଷୀ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରିଛି…  ତା’ ପୁଣି ନେତାଙ୍କ ସତୁରୀ ଜନ୍ମ ଦିବସରେ କୌଣସି ଉତ୍ସବ କରିବା ଆଳରେ । ସେଥିରୁ ବହୁ ଟଙ୍କା ସେ ଅନ୍ୟକୁ କରଜ ଦେଇ ସୁଧ ବି ନେଉଛି ।”

ନେତା ଦୟାରାମଙ୍କୁ ଡାକି କହିଲେ, “ଭାଇ, ତମ ପୁଅର ମନ ରାଜନୀତିରେ ନୁହେଁ, ବ୍ୟବସାୟରେ । କିଏ ବା ଧାନ ଚାଉଳରେ ବେପାର କରେ, କିଏ ଲୁଗାପଟାରେ କରେ, ହେଲେ ତମ ପୁଅ ରାଜନୀତିରେ ବେପାର କରିବାକୁ ଆଗ୍ରହୀ । ତାକୁ ଖାଂଟି ବେପାରରେ କାହିଁକି ଲଗାଇ ଦେଉନା?”

ତେଣେ ଦୟାରାମଙ୍କ ସାନ ପୁଅ ସନ୍ଥଙ୍କ ଚେଲା ହୋଇ ତାଙ୍କ ସେବା ଶୁଶ୍ରୁଷାରେ ଏମିତି ମନ ପ୍ରାଣ ଢାଳି ଦେଇଥାଏ ଯେ ସନ୍ଥ ଯେମିତି ତା’ ଉପରେ ଖୁସି ହେଉଥାନ୍ତି, ସନ୍ଥଙ୍କ ଭକ୍ତମାନେ ସେମିତି ତାକୁ ସନ୍ଥଙ୍କ ଅନୁଗତ ଭାବରେ ସମ୍ମାନ ଦେଖାଉଥାନ୍ତି । ଛଅମାସ ପରେ ସନ୍ଥ ବୁଝିଲେ, ତାଙ୍କ ଧନୀ ଭକ୍ତମାନଙ୍କୁ ଟୋକା କହିଥାଏ କି ଗୋଟିଏ ମନ୍ଦିର ତୋଳିବା ପାଇଁ ସନ୍ଥଙ୍କ ଭାରି ଇଚ୍ଛା… ସେ ତାଙ୍କ ମୁହଁ ଫିଟାଇ କାହାକୁ କିଛି କହୁ ନାହାଁନ୍ତି । ଏଥିଲାଗି ଭକ୍ତମାନେ ତାକୁ ପ୍ରଚୁର ଟଙ୍କା ଦେଲେଣି । ସେ ଖଣ୍ଡିଏ ବିରାଟ ଜମି କିଣି ସେଥିରୁ ଅଧା ପୁଣି ଲାଭ ରଖି ବିକିଲାଣି । ବାକି ଅଧା ଜମିରେ ମନ୍ଦିର ହେବ!

ସନ୍ଥ ଦୟାରାମଙ୍କୁ ଡାକି କହିଲେ, “ଦୟା! ତୋ ପୁଅକୁ ତୁ ବେପାରରେ ଭର୍ତ୍ତି କର । ଯେତିକି ସାଧନା ତା’ର ଦରକାର, ତାହା ସେ କରି ସାରିଲାଣି!”

ଦୟାରାମ ଏଥର ଆଉ କୌଣସି ଦ୍ୱିଧା ନକରି ତିନି ପୁଅଙ୍କୁ ତିନି ଥଳି ମୂଳଧନ ଧରାଇ ଦେଇ ବ୍ୟବସାୟ କରିବାର ସୁଯୋଗ ଦେଲେ । ଅଳ୍ପଦିନ ଭିତରେ ତିନିହେଁ ବ୍ୟବସାୟରେ ସଫଳତା ଲାଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ