‘ପାଷାଣ୍ଡ’ର ପରାକ୍ରମ

ସୁପର୍ଣ୍ଣ ରାଜ୍ୟର ରାଜା ଦେବଳ ସିଂହଙ୍କର ଏକମାତ୍ର କନ୍ୟା ମୋହନା ଅନୁପମ ସୁନ୍ଦରୀ ଥିଲେ । ନିଜର ସୌନ୍ଦର୍ଯ୍ୟ ପାଇଁ ସେ ମଧ୍ୟ ବହୁତ ଗର୍ବ କରୁଥିଲେ । ସେଥିପାଇଁ ତାଙ୍କ ସକାଶେ ଭଲ ବରଟିଏ ଖୋଜିବା ରାଜାଙ୍କ ନିମନ୍ତେ ଏକ ବଡ ସମସ୍ୟା ଥିଲା । ଯେତେ ଚିତ୍ରପଟ ମୋହନାଙ୍କୁ ଦେଖାଇ ଦିଆଯିବ; ସେ ସବୁଥିରେ କିଛି ନା କିଛି ଦୋଷ ଦେଖାଇ ମୋହନା ସେମାନଙ୍କୁ ସବୁ ପ୍ରତ୍ୟାଖ୍ୟାନ କରି ଦେଉଥିଲେ ।

                ଦିନେ ସେ ମୋହନା ଉଦ୍ୟାନରେ ବୁଲୁଥିବା ବେଳେ ଏକ ଡାକୁଦଳ ହଠାତ୍ କୁଆଡୁ ଆସି ସେଠାରେ ପହଁଚିଲେ ଓ ଡାକୁ ସର୍ଦ୍ଦାର ତାଙ୍କୁ ନିଜ ଘୋଡାରେ ବସାଇ ହରଣଚାଳ କରି ନେଇ ପଳାଇଲା । ଜଙ୍ଗଲ ମଧ୍ୟରେ ଏକ ଗୁମ୍ଫା ଥିଲା ସେ ଡାକୁମାନଙ୍କର ଆଡ୍ଡାସ୍ଥଳୀ । ସେହି ଗୁମ୍ଫାରେ ଡାକୁ ସର୍ଦ୍ଦାର ନିଜ ପରିବାର ସହ ରହୁଥାଏ । ସେ ରାଜକୁମାରୀଙ୍କୁ ସେହି ଗୁମ୍ଫା ଭିତରକୁ ନେଇ ଯାଇ ନିଜର ପରିଚୟ ଦେଇ କହିଲା, “ମୋ ନାମ ହେଉଛି ପାଷାଣ୍ଡ ଆଉ ଦେଖ ଏଇ ମୋର ସ୍ତ୍ରୀ । ତା’ ନାମ ହେଉଛି ପାତକୀ । ଆଉ ଏଇ ଛୋଟ ଝିଅଟା ହେଉଛି ମୋର ଝିଅ, ନାମ ତା’ର କାନ୍ଦୁରୀ । ତୁମେ ଏଠାରେ ଯେଉଁ ଦୁଇଜଣ ବୟସ୍କ ବ୍ୟକ୍ତି ଦେଖୁଛ ସେମାନେ ହେଲେ ମୋ ସ୍ତ୍ରୀର ସେବକ । ମୋର ଅନୁଚରମାନେ ଏଇ ଗୁମ୍ଫାର ନିକଟକୁ କେବେବି ମଧ୍ୟ ଆସିବାକୁ ସାହସ କରନ୍ତି ନାହିଁ । ଏଣୁ ତୁମେ ଏଠାରେ ନିଶ୍ଚିନ୍ତରେ ମୋ ସ୍ତ୍ରୀ ସହ ରୁହ ।”

                ମୋହନା ରାଗି କରି ପଚାରିଲେ “କିନ୍ତୁ ତମେ ମୋତେ ଏଠାକୁ ନେଇ ଆସିଲ କାହିଁକି?”

                ଏହାର ଉତ୍ତରରେ ସେ ଡାକୁ ପାଷାଣ୍ଡ କିନ୍ତୁ ବଡ ଶାନ୍ତ ସ୍ୱରରେ କହିଲା, “ମୋ ପତ୍ନୀ ପାଇଁ ମୁଁ ସବୁ ସୁବିଧା କରିଦେଲେ ମଧ୍ୟ ସେ ପାହାଡିଆ ଗୁମ୍ଫାରେ ରହିବାକୁ ଆଦୌ ପସନ୍ଦ କରୁନାହିଁ । କାରଣ ତା’ର ମନୋରଞ୍ଜନ କରିବା ପାଇଁ କେହି ସାଙ୍ଗ ସାଥୀ ଏଠାରେ ନାହିଁ । ଦିନେ ସେ କଥାରେ କଥାରେ ତୁମକୁ ଏହି ସ୍ଥାନକୁ ଆଣି ଦେବାକୁ କହିଲା । ତେଣୁ ମୁଁ ଆଜି ତୁମକୁ ଏଠାକୁ ଆଣିଦେଲି । ଏବେ ତା’ର ସେବା କରି ତୁମେ ଏଇଠିହିଁ ଥାଅ ।”

                ପାଷାଣ୍ଡର ଏଭଳି କଥା ଶୁଣି ସେ ମୋହନା ଆହୁରି ରାଗି ଯାଇ ତା’ ଆଡକୁ କ୍ରୋଧପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ । ସେ ପାଷାଣ୍ଡ ଦେଖିବାକୁ ବେଶ୍ ଲମ୍ବା ଓ ସ୍ୱାସ୍ଥ୍ୟବାନ୍ ଥିଲା । ତା’ ଦେହର ରଙ୍ଗ ସୁନା ପରି । ଦେଖିବାକୁ ସେ ଠିକ୍ ରାଜକୁମାର ପରି ଥିଲା । ଅଥଚ ସେ କାହିଁକି ଏପରି ଡକାୟତ କରି ନିଜର ଜୀବିକାର୍ଜନ କରୁଛି? ମୋହନା ଏହିକଥା ଭାବିବାକୁ ଲାଗିଲେ । ପୁଣି ଅନ୍ୟ ଦିଗରେ ତା’ର ସ୍ତ୍ରୀ ପାତକୀ ଦେଖିବାକୁ କଳା, ମୋଟା, ବୟସ୍କା ଓ ଅତ୍ୟନ୍ତ ଅସଭ୍ୟ ଜାତିର ସ୍ତ୍ରୀ ଲୋକ ପରି ମନେ ହେଉଛି । ସେ ଦେଖିବାକୁ ମଧ୍ୟ ବଡ ବିକୃତ । ତା’ ଝିଅ ପୁରାପୁରି ତା’ ମା’ ପରି ।

                ପାଷାଣ୍ଡ ଓ ମୋହନା କଥାବାର୍ତ୍ତା କଲାବେଳେ ଜଣେ ସେବକ କହିଲା, “ଏଇ ସୁନ୍ଦରୀ ରାଜକନ୍ୟାଙ୍କୁ ସର୍ଦ୍ଦାର ନେଇ ଆସିଛନ୍ତି ନିଶ୍ଚୟ ସେ ତାଙ୍କୁ ବିବାହ କରିବେ ।”

                କିନ୍ତୁ ସେବକର ଏଭଳି କଥା ଶୁଣି ସେ ପାଷାଣ୍ଡ ଭୀଷଣ ରାଗି ଯାଇ କହିଲା, “ମୂର୍ଖ, ଜାଣିନୁକି ଏକପତ୍ନୀବ୍ରତ ମୋର ଆଦର୍ଶ! ଆଉ ଥରେ ଏପରି କହିବୁ ତ ତତେ ମୁଁ ଜୀବନରେ ମାରି ପକାଇବି ।”

                ସେ ରାଜକୁମାରୀ ଏଥର ନିରୁପାୟ ହୋଇ ସେହି ଗୁମ୍ଫାରେହିଁ ରହିଲେ । ଆରମ୍ଭରେ ସେ ପାତକୀର ସେବା କରିବାକୁ ଅନିଚ୍ଛା ପ୍ରକାଶ କଲେ । କିନ୍ତୁ ଏସବୁ ଦେଖି ଜଣେ ସେବକ କହିଲା ଆମ ସର୍ଦ୍ଦାର ଏଥିଲାଗି ତୁମକୁ ବେଶି ଦଣ୍ଡ ଦେଇପାରେ ।

                ବୃଦ୍ଧ ସେବକ ଦୀପସିଂହ ମୋହନାଙ୍କର ଉପସ୍ଥିତ ଦୁର୍ଦ୍ଦଶା ଦେଖି ଦିନେ ତାଙ୍କୁ ସାନ୍ତ୍ୱନା ଦେଇ ସେ କହିଲା, “ତମର ତ ଅପ୍ସରା ପରି ସୌନ୍ଦର୍ଯ୍ୟ ଅଛି । ତେବେ ତୁମର ଆଜି ଏପରି ଦଶା ହେଲା କାହିଁକି? ଗୋଟିଏ ମାତ୍ର ଉପାୟ ଅଛି । ଯଦି ତମେ ନିଜର ରୂପ ଗୁଣରେ ସର୍ଦ୍ଦାରକୁ ମୁଗ୍ଧ କରି ତାଙ୍କୁ ବିବାହ କରିପାରିବ ତେବେ ଯାଇ ଏହି ଦାସୀ ଜୀବନରୁ ତୁମକୁ ମୁକ୍ତି ମିଳିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ