ସୁଖରାମ ଆଉ ଦୁଃଖରାମ

ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ ବିଭିନ୍ନ ପରାମର୍ଶ ନିଅନ୍ତି ଏଭଳିକି ସେ ନିଜେ ନଖାଇ ଅନ୍ୟକୁ ଖୁଆଏ, ଆଦର କରେ । ସମ୍ପତ୍ତି ବୋଇଲେ ତା’ର ଘରଟିଏ, ଟୁବି ଗଡିଆଟେ, କିଛି ଆମ୍ବ, ପିଜୁଳି, କଦଳୀ, ପଣସଗଛ, ଖଳାବାରି, ଦୁଇଟିବଳଦ, ଶଗଡଟେ, ଜମିମାତ୍ର ଦୁଇ ଏକର । ସେ ଅନ୍ୟର ଜମି ଚାଷ ବି କରେ । ତା ବଳଦ ଦୁଇଟି ଘୋଡାଭଳିଆ । ହାଙ୍କିଦେଲେ ବିଜୁଳି ବେଗରେ ଛୁଟନ୍ତି ଶଗଡ ନେଇ, ହଳବି କରନ୍ତି । ହରିରାମ ସେମାନଙ୍କୁ ଏମିତି ଆଦର ଯତ୍ନରେ ପାଳିଥାଏ ଯେ ଡାକିଦେଲେ ଦୁହେଁ ଶିଙ୍ଗ ଉଠାଇ “ହମା-ହମା” ରଡିକରି ପାଖକୁ ଚାଲିଆସନ୍ତି । ଜଣେ ନଖାଇଲେ ଆଉ ଜଣେ ଖାଏନି । ତେଣୁ ହରିରାମ ସେ ଦୁହିଁଙ୍କୁ ନିଜ ହାତରେ ଖୁଆଇଦିଏ, ଗାଧୋଇଦିଏ ଓ ସେମାନଙ୍କର ସବୁ ପ୍ରକାର ଯତ୍ନ ବି ନିଏ ।

                ସେ ହରିରାମର ଦୁଇଟି ପୁଅ । ଜଣକ ନାମ ସୁଖରାମ ଏବଂ ଆଉ ଜଣକ ନାମ ଦୁଃଖରାମ । ଖୁବ୍ ସୁଖ ସମୟରେ ଅର୍ଥାତ୍ ଧାନ ଅମଳ ହୋଇ ସାରିଥିବା ବେଳେ ଗାଆଁରେ ଅଷ୍ଟପ୍ରହରୀ ନାମଯଜ୍ଞ ମେଳା ହେଉଥିବା ଅବସରରେ ତାର ଜନ୍ମ ହେତୁ ସାଇପଡିଶାଏ ବଡପୁଅର ନାମ ସୁଖରାମ ଦେଇଥିଲେ । ତାର ଠିକ୍ ଦୁଇବର୍ଷ ପରେ ଭୀଷଣ ମରୁଡି ପଡିଥିବା ବେଳେ ଜନ୍ମ ହୋଇଥିଲା ଦୁଃଖରାମ । ତେଣୁ ସେ ଦୁଇଭାଇଙ୍କ ମଧ୍ୟରେ ବୟସର ବ୍ୟବଧାନ ମାତ୍ର ଦୁଇବର୍ଷ । ଏଣୁ ବଡ ସାନ ବାରି ହୁଏ ନାହିଁ । ଦୁହେଁ ଏକାଭଳି ଦେଖାଯାଆନ୍ତି ।

                ମରୁଡି ପରଠାରୁ ହରିରାମକୁ ଅନେକ କଷ୍ଟ କରିବାକୁ ପଡିଲା । ସେ ତା’ ଦୁଇପୁଅକୁ ଭଲମଣିଷ କରିବା ସକାଶେ ପାଠ ପଢାଇଲା । ଭଲ ଆଚରଣ ବି ଶିଖାଇଲା । ସତ୍ୟ-ନ୍ୟାୟ ପଥରେ ଚଳିବା ପାଇଁ ଉପଦେଶ ମଧ୍ୟ ଦେଲା । ଦୁଇଭାଇଯାକ ସହରରେ ରହି ପାଠପଢି ବି.ଏ. ପାଶ କଲେ । ଦୁଇଟି ଭଲ କନ୍ୟାପାତ୍ରୀ ଦେଖି ଦୁହିଁଙ୍କୁ ବିବାହ କରାଇଦେଲା ହରିରାମ । ଦିନେ ସେ ହରିରାମ ତାଙ୍କ ଦୁଇ ପୁଅ ଓ ବୋହୂମାନଙ୍କୁ ଡାକି କହିଲେ, ମୋ ଦିନ କାଳ ତ ସରି ଆସିଲା । ଏଣିକି ତମେ ତମ ଘରଦ୍ୱାର ସମ୍ଭାଳିବ । ଦୁଇଭାଇ ମିଳିମିଶି ଚଳିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ