ବାଘ

ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ ।

ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି ଉପସ୍ଥିତ ଲୋକମାନେ କିଂକର୍ତ୍ତବ୍ୟବିମୁଢ ହୋଇ କେବଳ ଚିତ୍କାର ଓ କୋଳାହଳ କରିବାରେ ଲାଗିଲେ । ରାଜା କିନ୍ତୁ ତିଳେ ମଧ୍ୟ ଭୟଭୀତ ନହୋଇ ଢାଲଟି ଉଠାଇ ନେଇ ନିଜକୁ ରକ୍ଷା କଲେ । ବାଘୁଣୀ ପଛ ଗୋଡରେ ଠିଆ ହୋଇ ପୁଣି କୁଦିବା ବେଳକୁ ରାଜା ନିମିଷକ ମଧ୍ୟରେ ତରବାରୀ କାଢି ତା’ର ମୁଣ୍ଡ କାଟି ପକାଇଲେ ।

ତା’ପରେ ସେ ରାଜାଙ୍କର ଏଭଳି ସାହସ ଓ ପରାକ୍ରମକୁ ସମସ୍ତେ ପ୍ରଶଂସା କଲେ । ତା’ପରେ ବାଘୁଣୀର ମୃତଦେହର ଚାରିପଟରେ ସମସ୍ତେ ଠିଆ ହୋଇଥା’ନ୍ତି, ହଠାତ୍ ଦେଖାଗଲା ବୁଦା ହଲୁଛି ଓ ତାହା ମଧ୍ୟରୁ କିଛି ଶବ୍ଦ ଆସୁଛି ।

ରାଜା ପୁଣି ସାବଧାନ ହୋଇ ହାତରେ ରକ୍ତାକ୍ତ ତରବାରୀକୁ ଧରି ଶତୃ ଅପେକ୍ଷାରେ ରହିଲେ । ଅଳ୍ପ ସମୟ ପରେ ବୁଦା ମୂଳରୁ ବାଘୁଣୀର ଛୁଆ ବାହାରି ଆସି ଏତେଗୁଡିଏ ଲୋକ ଦେଖି ତାଙ୍କ ଆଡକୁ ଚାହିଁ କୋମଳ କଣ୍ଠରେ ସେ ଗର୍ଜନ କଲା । ତା’ପରେ ସେ ତା’ ମା’ର ମୃତ ଦେହକୁ ଦେଖି ତା’ ଚାରିପଟରେ ବୁଲିବୁଲି ବଡ ବିକଳ ହୋଇ କାନ୍ଦିବାକୁ ଲାଗିଲା ।

ଏହି ମର୍ମାନ୍ତିକ ଦୃଶ୍ୟ ଦେଖି ରାଜାଙ୍କ ହୃଦୟ ଅକସ୍ମାତ ଦୁଃଖ ଓ ଦୟାରେ ବିଚଳିତ ହେଲା । ସେ ଚେଷ୍ଟା କରି ବାଘ ଛୁଆଟିକୁ ଧରିନେଲେ । ବାଘଛୁଆ କିନ୍ତୁ ରାଜାଙ୍କୁ ରାମ୍ପୁଡି ପକାଉଥାଏ ।

ରାଜା ତାକୁ କୋଳରେ ଧରି ସ୍ନେହରେ ଆଉଁସି ଦେଇ କହିଲେ, “ଶାନ୍ତ ହୋଇଯା, ମୁଁ ନିଜକୁ ରକ୍ଷା କରିବାକୁ ଯାଇ ବାଧ୍ୟ ହୋଇ ତୋ ମା’କୁ ମାରିଛି ।”

ତା’ପରେ ଆଉ ଶିକାର କରିବେ ନାହିଁ ବୋଲି ସ୍ଥିର କରି ସେ ରାଜା ତାଙ୍କ ନଅରକୁ ଫେରି ଆସିଲେ । ରାଣୀ ଗିରିଜା ଦେବୀ ବାଘଛୁଆକୁ ଦେଖି କହିଲେ, “ମହାରାଜ, ଛୋଟ ହେଲେବି ଏହା କ୍ରୁର ଜନ୍ତୁର ଶାବକ । ଅବଶ୍ୟ ଏବେ କିଛି ବିପଦ ନାହିଁ, କିନ୍ତୁ ବଡ ହେଲେ ସେ ଆମକୁ ଆଉ କୌଣସି ବିପଦରେ ପକାଇବ ନାହିଁ ତ?”

ରାଣୀଙ୍କ କଥାରେ ଶଶୀଧର ଦୀର୍ଘ ଶ୍ୱାସ ପକାଇ କହିଲେ, “ସେ ମାତୃହୀନ, ଏବଂ ସେଥିପାଇଁ କେବଳ ମୁ ହିଁ ଦାୟୀ ପାଳିପୋଷି ବଡ କରିବା ପାଇଁ ହିଁ ମୁଁ ତାକୁ ଏଠାକୁ ଆଣିଛି । ମୋର ବିଶ୍ୱାସ ହେଉଛି ଯେ ପିଲାକାଳରୁ ମଣିଷଙ୍କ ମଧ୍ୟରେ ଚଳିଲେ ତା’ର ସ୍ୱଭାବ ମଧ୍ୟ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇଯିବ । ତାହାର କ୍ରୁରତା ଲୋପ ପାଇଯିବ । ଯଦି ସେପରି ନହୁଏ ତେବେ ଟିକିଏ ବଡ ହୋଇଗଲେ ମୁଁ ତାକୁ ଜଙ୍ଗଲରେ ନେଇ ଛାଡି ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ