କଳାକାର

ପୁରୁଣାକାଳର କଥା । ଗୋଟିଏ ରାଜ୍ୟରେ ଧର୍ମସେନ ନାମକ ଜଣେ ଲୋକପ୍ରିୟ ରାଜା ରାଜୁତି କରୁଥିଲେ । ତାଙ୍କର ତିନିଜଣ ପୁତ୍ର ଥା’ନ୍ତି । ଜ୍ୟେଷ୍ଠ ପୁତ୍ର ନ୍ୟାୟବାଦୀ ଓ ଖୁବ୍ ଭଦ୍ର ଥିଲେ । କିନ୍ତୁ ସାନ ଦୁଇଜଣ ଅତିମାତ୍ରାରେ ବୁଦ୍ଧିମାନ୍ ଥିଲେ । ସେମାନେ ବଡ ହୋଇ ଯିବାରୁ ରାଜାଙ୍କ ମନରେ ଏହି ପ୍ରଶ୍ନ ଉଠିଲା ଯେ ସେ ଏବେ କାହାକୁ ନିଜର ଉତ୍ତରାଧିକାରୀ ରୂପେ ବାଛିବେ । ନିୟମ ଅନୁସାରେ ଜ୍ୟେଷ୍ଠ ସିଂହାସନର ଅଧିକାରୀ ହେଲେ ମଧ୍ୟ ଅନେକ ରାଜକର୍ମଚାରୀ ସାନ ଦୁହିଁଙ୍କୁ ପସନ୍ଦ କରୁଥିଲେ । ରାଜା କିଛି ସ୍ଥିର କରି ନପାରି ଭାବିଲେ ଯେ ସେ ଯଦି କିଛିଦିନ ପାଇଁ ଅନୁପସ୍ଥିତ ରହନ୍ତେ ତେବେ ଏ କାମ ରାଣୀ ନିଶ୍ଚୟ ତୁଲାଇ ନିଅନ୍ତେ । ତେଣୁ ସେ କିଛିଦିନ ପାଇଁ ଜଙ୍ଗଲରେ ରହିବାକୁ ସ୍ଥିର କରି ରାଜ୍ୟ ଛାଡି ଚାଲିଗଲେ ।

ଜଙ୍ଗଲରେ ତାଙ୍କର ବାସବ ନାମକ କୌଣସି ଏକ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେଲା । ସେ ତାଙ୍କର ବନ୍ଧୁ ବାନ୍ଧବଙ୍କର ଅତ୍ୟାଚାର ଆଉ ସହି ନପାରି ନିଜ ପରିବାର ଧରି ଜଙ୍ଗଲକୁ ଆସି ସେଠାରେ ଶାନ୍ତିରେ ରହିଥା’ନ୍ତି ।

ରାଜା ତାଙ୍କର ସବୁକଥା ଶୁଣିସାରି କହିଲେ, “ଜଙ୍ଗଲକୁ ମଣିଷ କିଛି ସମୟ ରହିବା ପାଇଁ ଆସିଥାଏ । ତୁମେ ଏଠାରେ ଏମିତି ଆଉ କେତେଦିନ ରହିବ? ତମେ ପୁଣି ଛୁଆପିଲା ଧରି ରହିଛ । ତୁମକୁ କ’ଣ ଏଠାରେ କିଛି ଖରାପ ଲାଗୁନାହିଁ?”

ବାସବ କହିଲେ “ପ୍ରତ୍ୟେକ ବ୍ୟକ୍ତିର ସୁଖଶାନ୍ତି ନିଜ ପରିବାର ପାଇଁ, ଏବେ ସେମାନେ ଯଦି ମୋ ସହିତ ଅଛନ୍ତି, ତେବେ ମୋତେ ପୁଣି ଏଠାରେ ରହିବାକୁ କାହିଁକି ବା ଖରାପ ଲାଗିବ?”

                ରାଜା ବୁଝାଇବାକୁ ଯାଇ କହିଲେ “କିନ୍ତୁ ମଣିଷ ତ ଏକ ସାମାଜିକ ଜୀବ । ସେ ସମାଜ ଠାରୁ ଦୂରରେ ରହି କିମିତି ଚଳିବ? ପୁଣି ତୁମର ପିଲାପିଲି ସବୁ ବଡ ହୋଇଗଲେ? ସେମାନଙ୍କର ତ ପୁଣି ଶିକ୍ଷା ଦୀକ୍ଷା ବିବାହବ୍ରତ ରହିଛି! ଏଠାରେ ରହିଲେ ତ ସେମାନେ ସଂସାର ପ୍ରତି ଅନଭିଜ୍ଞ ହୋଇ ରହିବେ । ସେମାନେ ପୁଣି ସମାଜକୁ ଗଲେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ।”

                ବାସବ କହିଲେ, “ସମାଜର ସଂସ୍କାର, ରୀତି, ପରମ୍ପରା ଇତ୍ୟାଦିକୁ ନେଇ ମୁଁ କିଛି ଗଳ୍ପ ଲେଖିଛି । ମୋର ବିଶ୍ୱାସ ଯେ ମୋ ପିଲାମାନେ ସେସବୁ ପଢି ସବୁକଥା ଶିଖିଯିବେ । ପଂଚତନ୍ତ୍ର କାହାଣୀ ସବୁ ମଧ୍ୟ ଏହି କାରଣରୁ ଲେଖା ହୋଇଥିଲା । ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଶିକ୍ଷା ଦେଲେ ଶିକ୍ଷା ପ୍ରତି ସେମାନେ ଆଗ୍ରହୀ ହେବେ ଓ ଯାହା ଶିକ୍ଷା ପାଇବେ ତାକୁ କେବେବି ମଧ୍ୟ ସେମାନେ ଭୁଲିବେ ନାହିଁ । ଏସବୁ ସତ୍ତ୍ୱେ ଯଦି ସେମାନେ ସମାଜରେ ଚଳିପାରିବେ ନାହିଁ ତେବେ ସେମାନେ ପୁଣି ଜଙ୍ଗଲକୁ ଫେରି ଆସିବେ । କାରଣ ଏଠାରେ ସେମାନେ ଅଭ୍ୟସ୍ତ ହୋଇଗଲେଣି ।”

                ତା’ପରେ ରାଜା, ବାସବଙ୍କ ଦ୍ୱାରା ଲିଖିତ କାହାଣୀ ସବୁ ଶୁଣିଲେ ଓ ତଦ୍ୱାରା ବହୁତ ପ୍ରଭାବିତ ହୋଇ କହିଲେ, “ମହାଶୟ, ଆପଣ ପ୍ରକୃତରେ ଜଣେ ମହାନ୍ ବ୍ୟକ୍ତି; ସାଧାରଣ ମଣିଷ ନୁହଁନ୍ତି । ଆପଣଙ୍କ ଗଳ୍ପ ଗୁଡିକରେ ଅନେକ ଶିକ୍ଷଣୀୟ ବିଷୟ ରହିଛି । ମୋର କେତେକ ସମସ୍ୟାର ସମାଧାନ ମଧ୍ୟ ମୁଁ ଏଥିରୁ ପାଇଲି । ମୋର ଇଚ୍ଛା ହେଉଛି ଆପଣ ଥରେ ମୋ ରାଜ୍ୟକୁ ଆସି ମୋ ଘରେ ଅତିଥି ହେବେ ।”

                ରାଜାଙ୍କ କଥା ଶୁଣି ବାସବ ଅଳ୍ପ ହସି କହିଲେ, “ମହାରାଜ, ଆପଣଙ୍କ ମନ ଅଶାନ୍ତ ତେଣୁ ମୋ ଗଳ୍ପରୁ ଆପଣ ନିଜ ସମସ୍ୟାର ସମାଧାନ ପାଇଲେ । କାରଣ ଏସବୁ ଗଳ୍ପ ମୁଁ ମୋ ଅନୁଭବରୁହିଁ ଲେଖିଛି । କୌଣସି ଧର୍ମଶାସ୍ତ୍ର ବା ନୀତିଶାସ୍ତ୍ରର ସାହାଯ୍ୟ ମୁଁ ନେଇନାହିଁ । କିନ୍ତୁ ମୁଁ ଚାହେଁ ଯେ ଏ ଗଳ୍ପ ଗୁଡିକ ଅନ୍ୟମାନେ ମଧ୍ୟ ପଢନ୍ତୁ ଓ ସେଥିରୁ ସାହାଯ୍ୟ ପାଆନ୍ତୁ । ତେଣୁ ଏ ଦିଗରେ ଆପଣ ଯଦି ମୋତେ କିଛି ସହାୟତା କରିପାରନ୍ତିତ ତେବେ ମୁଁ ମୋ ନିଜକୁ ଭାଗ୍ୟବାନ୍ ମନେ କରନ୍ତି । ତେବେ ମୁଁ ଆହୁରି ମଧ୍ୟ କିଛି କାହାଣୀ ଲେଖିବାକୁ ଚାହେଁ । ମୋ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ମୁଁ ନିଜେ ଯାଇ ଆପଣଙ୍କ ପାଖରେ ଉପସ୍ଥିତ ହେବି ।”

                ତା’ପରେ ଧର୍ମସେନ ନିଜ ରାଜ୍ୟକୁ ଫେରି ଆସିଲେ । କାହାଣୀମାନଙ୍କରୁ ସେ ଯାହା ପାଇଥିଲେ ସେହି ଅନୁସାରେ ସେ ରାଜତନ୍ତ୍ର ଶାସନ ବନ୍ଦ କରାଇ ସେଠାରେ ଲୋକତନ୍ତ୍ର ଶାସନ ଚଳାଇଲେ । ତେବେ ଜନତାଙ୍କ ଦ୍ୱାରା ଶାସନ ମୁଖ୍ୟ ବଛା ହେବ ଓ ସେ ନିଜକୁ ଜନତାଙ୍କର ସେବକ ବୋଲି ମାନିବ ।

                ବର୍ଷକ ପରେ ଦିନେ ବାସବ ସପରିବାରେ ଯାଇ ରାଜଧାନୀରେ ପହଁଚିଲେ ଓ ସେଠାରେ ସେମାନେ ଏକ ଅତିଥିଶାଳାରେ ରହିଲେ । ସେଠାରେ ସମୀର ନାମକ ଅନ୍ୟ ଏକ ଗଳ୍ପ ଲେଖକ ଥା’ନ୍ତି । ସେ ଦୁହେଁ ତ କେହି କାହାକୁ ଆଦୌ ଚିହ୍ନି ନଥାନ୍ତି । ତା’ପରେ ଚିହ୍ନାଜଣା ହେବା ପରେ ସମୀର ବହୁତ ଖୁସି ହୋଇ କହିଲେ, “ମହାଶୟ, ଆପଣଙ୍କ ସହ ଦେଖା ହେବାରୁ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ୍ ମଣୁଛି । ମୁଁ ବି ଗଳ୍ପ ଲେଖେ ଓ ମୋ ଗଳ୍ପ ସବୁ ମଧ୍ୟ ବିଶେଷ କରି ଜୀବନର ଅନୁଭୂତି ଉପରେ ଆଧାରିତ । ଆଜିପର୍ଯ୍ୟନ୍ତ ମୁଁ ଏକଶହ ଏକ ଗଳ୍ପ ଲେଖି ସାରିଲିଣି । ଆପଣ ଯଦି ସମ୍ମତ ହୁଅନ୍ତି ତ ମୁଁ ସେଗୁଡିକ ଆପଣଙ୍କୁ ପଢି ଶୁଣାଇବି ।”

                ବାସବ ସମ୍ମତ ହେଲେ । ସମୀର ଏକ ପରେ ଏକ ଗଳ୍ପ ପଢି ଶୁଣାଇଲେ । ଶହେ ଗଳ୍ପ ଶେଷ ହେବା ପରେ ବାସବ କହିଲେ, “ତୁମ ଗଳ୍ପ ଗୁଡିକ ତ ଅତ୍ୟନ୍ତ ଉଚ୍ଚକୋଟୀର । ମୁଁ ସେପରି ଗଳ୍ପ ଲେଖିଲେ ମଧ୍ୟ ସେସବୁ ସାରା ଜୀବନର ଅନୁଭୂତି ଉପରେ ଆଧାରିତ କାହାଣୀ । ଲେଖିବାର ଯେଉଁ ଭଙ୍ଗୀ ମୁଁ ଏତେଦିନ ପରେ ହାସଲ କରିଛି ତୁମେ ତାହା ଯୁବା ବୟସରେ ହାସଲ କରିପାରିଛ । ଏ ସବୁକୁ ରାଜାଙ୍କ ଦରବାରକୁ ନେଇଯିବା ଉଚିତ୍ । ତଦ୍ୱାରା ବହୁସଂଖ୍ୟକ ଲୋକ ଉପକୃତ ହେବେ । ମୁଁ ନିଶ୍ଚୟ ଏସବୁ କଥା ରାଜାଙ୍କୁ କହିବି ।”

                ସମୀର କହିଲେ, “ନାହିଁ ଆଜ୍ଞା, ମୋର ସେପରି କୌଣସି ଉଚ୍ଚାକାଂକ୍ଷା ନାହିଁ, କେବେ ବି ନଥିଲା । ମୁଁ ତ ମୋ ନିଜ ମନ ଖୁସି ପାଇଁ ଏସବୁ ଲେଖିଛି । ଆପଣଙ୍କ ପରି ଜଣେ ମହାନ୍ ଲେଖକ ମୋ ଲେଖାକୁ ପସନ୍ଦ କଲେ, ସେଇ ମୋର ଗୌରବ । ଏବେ ମୋର ଆଉ ଗୋଟିଏ ମାତ୍ର ଗଳ୍ପ ଶୁଣାଇବାକୁ ବାକି ରହିଛି । ସେଇଟି ମୋର ପ୍ରିୟ କାହାଣୀ । ଏବେ ମୁଁ ତାହା ପଢୁଛି ଶୁଣନ୍ତୁ ।” ସମୀର ଗଳ୍ପଟି ଶେଷ କରିବା ପରେ ବାସବ କହିଲେ, “ପୁଅ, ଏ ଗଳ୍ପଟି ତ ମୁଁ କାହିଁ ସମୁଦାୟ ବୁଝିପାରିଲି ନାହିଁ । ତୁମେ ବରଂ ମୋତେ ବୁଝାଇ ଦିଅ ।”

                ବାସବଙ୍କ କଥାରେ ସମୀର ଆହତ ଅନୁଭବ କରି କହିଲେ, “ଆପଣଙ୍କୁ ମୋର ଏ ଗଳ୍ପ ଭଲ ଲାଗିଲା ନାହିଁ? ତେବେ ସଫା ସଫା ନ କହି ବୁଲେଇ ବଙ୍କେଇ କାହିଁକି କହୁଛନ୍ତି?”

                ସମୀରଙ୍କ କଥାରେ ବାସବ ଭୀଷଣ ଦୁଃଖିତ ହୋଇ କହିଲେ, “ମୁଁ ତ ଏହା କହିନାହିଁ ଯେ ମୋତେ ତୁମ ଗଳ୍ପ ଭଲ ଲାଗିଲା ନାହିଁ । ତୁମେ ସେପରି କାହିଁକି ଭାବିଲ?”

                ସମୀର କହିଲେ “କାରଣ ମୁଁ ଆପଣଙ୍କୁ ଆରମ୍ଭରୁ କହିଥିଲି କି ଏଇଟି ମୋର ପ୍ରିୟ ଗଳ୍ପ; ଅର୍ଥାତ୍ ମୋ ଗଳ୍ପମାନଙ୍କ ମଧ୍ୟରେ ମୁଁ ଏହାକୁ ଶ୍ରେଷ୍ଠ ବୋଲି ମନେ କରେ । ଗଳ୍ପଟି ଶୁଣିବା ପରେ ଆପଣ ଯଦି କିଛି ବୁଝିପାରିଲେ ନାହିଁ, ତାହାର ଅର୍ଥ ଆପଣ ମୋ ଗଳ୍ପଟିକୁ ପସନ୍ଦ କରି ନାହାଁନ୍ତି ।”

                ବାସବ କହିଲେ “ପ୍ରକୃତରେ ଦେଖିଲେ ତୁମର ସମସ୍ତ କାହାଣୀ ସୁନ୍ଦର ଓ ସାରଗର୍ଭକ ମଧ୍ୟ । ମୁଁ ଏହି କାହାଣୀଟି ବୁଝିପାରିଲି ନାହିଁ । ତେଣୁ ତୁମେ କିଛି ବୁଝାଇଦେବ ବୋଲି ମୁଁ ଚାହୁଁଥିଲି ମାତ୍ର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ