ବନପରୀ

ରାଇଜର ନାଁ ସପନପୁରୀ, ସେଠାକାର ରାଜାଙ୍କ ନାଁ ବିକ୍ରମଜିତ୍ । ସେ ଥିଲେ ବଡ ପରାକ୍ରମୀ ରାଜା । ତାଙ୍କ ରାଇଜଟା ବଣ ମୁଲକରେ ଭରା ଥିଲା । ରାଜା ବିକ୍ରମଜିତ୍ ଡେଙ୍ଗୁରାଦେଇ ଶିକାର କରିବା ଓ ଗଛ କାଟିବାକୁ ନିଷେଧ କରିଥିଲେ । ଫଳରେ ସେଠାକାର ବୃକ୍ଷଲତା ଓ ପଶୁ – ପକ୍ଷୀଙ୍କ ସଂଖ୍ୟା ଅବାଧରେ ବଢି ଚାଲିଥିଲା । ସେମାନଙ୍କ ସୁଖ ସଂସାର ଦେଖି ରାଜା ବି ବହୁତ ଖୁସି ହେଉଥିଲେ ।

ବିକ୍ରମଜିତ୍ଙ୍କ ଏକମାତ୍ର ପୁଅ ପ୍ରସନ୍ନଜିତ୍ । ସେ ଅତି ଅଲିଅଳରେ ବଢିଥିଲେ । ରାଣୀ ପ୍ରସନ୍ନଜିତ୍ଙ୍କୁ ଜନ୍ମଦେଇ ଆର ପୁରକୁ ଚାଲି ଯାଇଥିଲେ । ତେଣୁ ମହାରାଜାଙ୍କୁ ଯୁବରାଜ ଅତ୍ୟନ୍ତ ବିଳାସବ୍ୟସନରେ ଭିତରେ ବୁଡାଇ ରଖିଥିଲେ । ରାଜକୁମାର ବଡ ହେଲାପରେ ଦିନେ ମହାରାଜ ତାଙ୍କୁ ପାଖକୁ ଡାକିଲେ । ତାଙ୍କୁ ଆଦର କରି କହିଲେ, “ବାବୁରେ, ମୁଁ ତ ବୁଢା ହୋଇଗଲିଣି । ଶାସନ କରିବାକୁ ମଧ୍ୟ ଅପାରଗ ହେଲିଣି । ଏ ବୁଢା ବୟସରେ ରାଇଜ କଥା ବୁଝୁ ବୁଝୁ କେଉଁଠି ଯଦି କିଛି ତ୍ରୁଟି ରହିଯାଏ, ତେବେ ଜୀବନସାରା ପରିଶ୍ରମ କରି ଅର୍ଜନ କରିଥିବା ମୋର ସୁନାମ ଟିକକ କଳଙ୍କିତ ହେବ । ମୁଁ ଏବେ ତୀର୍ଥାଟନ କରିବାକୁ ଚାହୁଁଛି । ମୁଁ ଫେରିଆସିବାଯାଏଁ ତୁମେ ଏ ରାଜକାର୍ଯ୍ୟ ବୁଝୁଥାଅ । ତୀର୍ଥାଟନ ସାରି ଫେରିବା ପରେ ସମସ୍ତ ତୀର୍ଥସ୍ଥାନର ପବିତ୍ର ଜଳରେ ତୁମକୁ ରାଜସିଂହାସନରେ ଅଭିଷିକ୍ତ କରାଇବି । ତାପରେ ଯାଇ ତୁମକୁ ସମ୍ପୂର୍ଣ୍ଣ ରାଜ୍ୟଭାର ମୁଁ ଦେବି ।”

ଏଥୁଅନ୍ତେ ଦିନେ ଶୁଭବେଳା ଦେଖି ମହାରାଜ ବିକ୍ରମଜିତ୍ ତୀର୍ଥଯାତ୍ରା ଆରମ୍ଭ କଲେ । ସେ ଯିବାବେଳେ ତାଙ୍କ ଯୁବରାଜଙ୍କୁ ଡାକି କହିଲେ, “ଏ ରାଇଜର ସମସ୍ତ ସୁଖଶ୍ରୀ ହେଉଛି ବଣ ମୁଲକର ବନପରୀ । ସେ ଯେମିତି ହତଶ୍ରୀ ନହୁଏ । ଏକଥା ସବୁବେଳେ ତୁମକୁ ଭଲଭାବରେ ମନେ ରଖିବାକୁ ହେବ । ଏହା ଭୁଲିଗଲେ ତୁମେ ଯେ ଏକୁଟିଆ ଦୁଃଖ ଭୋଗକରିବ ତାହା ନୁହେଁ, ବରଂ ରାଜ୍ୟବାସୀ ମଧ୍ୟ ସମସ୍ତେ ଦୁଃଖ ଭୋଗ କରିବେ ।” ଏତିକି କହି ବିକ୍ରମଜିତ୍ ସେଠାରୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ