ଗୁରୁ ସନ୍ଦିପନୀ

ପ୍ରାଚୀନ କାଳର କଥା ।

                ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ସେହି ମୁନି ସନ୍ଦିପନୀଙ୍କ ପିଲାଦିନର କଥା । ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସେ ସନ୍ଦିପନୀ ଆଗପଛ କିଛି ବି ବିଚାର ନ କରି କାର୍ଯ୍ୟ କରିବାକୁ ଖୁବ୍ ଆଗ୍ରହର ସହିତ ଧାଇଁ ଯାଉଥିଲେ । ହେଲେ ତାଙ୍କର ଏପରି କାର୍ଯ୍ୟରେ ସହପାଠୀମାନେ ତାଙ୍କୁ ଖୁବ୍ ବିରୋଧ କରୁଥିଲେ । ମାତ୍ର ଗୁରୁ, ସନ୍ଦିପନୀଙ୍କ କାର୍ଯ୍ୟରେ ଖୁବ୍ ସୁଖୀ ଥିଲେ ।

                ଦିନକର କଥା । ସନ୍ଦିପନୀ ତାଙ୍କ ସାଙ୍ଗମାନଙ୍କ ସହ ମନ ଆନନ୍ଦରେ ଆଶ୍ରମକୁ ଫେରି ଆସୁଥିବାର ଦେଖି ଗୁରୁଦେବ ତାଙ୍କୁ ପାଖକୁ ଡାକି ଗୁପ୍ତରେ କହିଲେ, ବତ୍ସ ସନ୍ଦିପନୀ ! ତୁମେ ସେହି ପଡିଆରେ ଖେଳୁଥିବା ମୋର ପୁତ୍ରଟିକୁ ଆଣି ସେହି କୂଅ ଭିତରକୁ ଫିଙ୍ଗି ଦିଅ । ଗୁରୁଙ୍କ ଏଭଳି ଆଦେଶ ପାଇବା ମାତ୍ରକେ ସନ୍ଦିପନୀ ଆଉ କୌଣସି କଥାକୁ ଚିନ୍ତା ନକରି ସେହି ଖେଳୁଥିବା ପିଲାଟିକୁ ଉଠାଇ ଆଣି ତାକୁ କୂଅ ଭିତରକୁ ତୁରନ୍ତ ଫିଙ୍ଗି ଦେଲେ । ଏହା ଦେଖିବା ମାତ୍ରକେ ଅନ୍ୟ ଶିଷ୍ୟମାନେ ଧାଇଁ ଯାଇ ଗୁରୁ ପୁତ୍ରଙ୍କୁ କୂଅ ଭିତରୁ ଉଦ୍ଧାର କଲେ ଏବଂ ପରେ ପରେ ସବୁ ଶିଷ୍ୟମାନେ ମିଶି ସନ୍ଦିପନୀକୁ ନିସ୍ତୁକ ମାଡ ଦେଲେ । ହେଲେ ସନ୍ଦିପନୀ ମାଡ ଖାଇ ମଧ୍ୟ କୌଣସି ପ୍ରକାର ପାଟି ଫିଟାଇଲେ ନାହିଁ । ପୁଣି ସନ୍ଦିପନୀର ଏପରି ଅମାନୁଷିକ କାର୍ଯ୍ୟ ଦେଖି ମଧ୍ୟ ଗୁରୁଦେବ ନୀରବ ରହୁଥିବାର ଦେଖି ଶିଷ୍ୟମାନେ କେବଳ ଚିନ୍ତା କରିବାକୁ ଲାଗିଲେ ।

                ଏମିତି କିଛିଦିନ ଅତିବାହିତ ହେବାପରେ ଆଶ୍ରମରେ ପୁଣି ଆଉ ଗୋଟିଏ ଘଟଣା ଘଟିବାର ଦେଖାଗଲା । ସେ ଦିନ ମଧ୍ୟ ଆଶ୍ରମର ଶିକ୍ଷାର୍ଥୀମାନେ ଯିଏ ଯାହାର କର୍ମ ଶେଷ କରି ଫେରି ଯାଉଥିବା ସମୟରେ ପୂର୍ବପରି ଗୁରୁଦେବ ସନ୍ଦିପନୀକୁ ଡାକି ସେମିତି ଗୁପ୍ତରେ କିଛି କହିଲେ । ସନ୍ଦିପନୀ ଗୁରୁଙ୍କ ପାଖରୁ ସେହି ଗୁପ୍ତ ନିର୍ଦେଶ ପାଇବା ପରେ ଯାଇ ଗୁରୁ ଆଶ୍ରମରେ ନିଆଁ ଲଗାଇ ଦେଲେ । ଆଶ୍ରମ ଘରଗୁଡିକ ନିଆଁ ଲାଗି ହୁ ହୁ ହୋଇ ଜଳି ଉଠୁଥିବାର ଦେଖି କାର୍ଯ୍ୟରତ ଶିଷ୍ୟମାନେ ଧାଇଁ ଆସି ନିଆଁ ଲିଭାଇ ପକାଇଲେ ଏବଂ ସନ୍ଦିପନୀଙ୍କୁ ମାଡ ଦେବା ସଙ୍ଗେ ସଙ୍ଗେ କହିଲେ କି ଗୁରୁ ଗୃହରେ ନିଆଁ ଲଗାଇ ସନ୍ଦିପନୀ ମହାପାପ ଅର୍ଜନ କରିଛି । ସେତେବେଳେ ସାଙ୍ଗ ସାଥୀମାନେ ଯାହା କହିଲେ ବି ସନ୍ଦିପନୀ ସେଥିରେ ଆଦୌ ଗୁରୁତ୍ୱ ଦେଉ ନ ଥିଲେ । କାରଣ ସେ ଜାଣୁଥିଲେ ଯେ ସେ ଯାହା ବି କରିଛନ୍ତି ସବୁ ଠିକ୍ ଅଛି । କାରଣ ସେ ନିଜେ ତ କିଛି ବି କରି ନାହାଁନ୍ତି । ସବୁକିଛି ଗୁରୁଙ୍କ ଆଦେଶରେ ସେ ସମ୍ପନ୍ନ କରିଛନ୍ତି । ଆଉ ସେ ଆଶ୍ରମରେ ସନ୍ଦିପନୀଙ୍କ ଦ୍ୱାରା ଏପରି କାର୍ଯ୍ୟ ବାରମ୍ବାର ଘଟୁଥିବା ବେଳେ ଗୁରୁଦେବ ନୀରବ ରହୁଥିବା କାରଣରୁ ଶିଷ୍ୟମାନେ ବି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ