ଦାନର ମହିମା

ରାଜା ବ୍ରହ୍ମଦତ ସେତେବେଳେ କାଶୀ ରାଜ୍ୟରେ ରାଜୁତି କରୁଥା’ନ୍ତି । ବୋଧିସତ୍ୱ ସେହି ରାଜ୍ୟର ଜଣେ ପ୍ରତିପତିଶାଳୀ ନାଗରିକ ଥିଲେ । ତାଙ୍କର ଅଚଳାଚଳ ସମ୍ପତ୍ତି ଥିଲା । ଥରେ ସେ ଯାଇ ରାଜାଙ୍କୁ କହିଲେ ଯେ ସେ ସନ୍ନ୍ୟାସ ହୋଇ ଚାଲିଯିବାକୁ ଚାହାଁନ୍ତି ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଜା ଯେପରି ଗ୍ରହଣ କରନ୍ତି । ରାଜା ଖୁବ୍ ଖୁସି ହେଲେ ଓ କହିଲେ, “ମୋର ତ ରାଜକୋଷ ଧନରେ ଭର୍ତ୍ତି, ମୁଁ ତୁମ ସମ୍ପତ୍ତି ନେଇ କ’ଣ କରିବି, ତମେ ବରଂ ତାକୁ ଅନ୍ୟ ଭାବରେ ଉପଯୋଗ କର ।”

                ତା’ପରେ ବୋଧିସତ୍ୱ ରାଜାଙ୍କ ଅନୁମତି ନେଇ କାଶୀ ନଗରୀରେ ଛ’ଟି ଧର୍ମଶାଳା ଖୋଲିଲେ । ଗରୀବମାନେ ସେଠାରେ ଖାଇବାକୁ ପାଇବା ସଙ୍ଗେ ସଙ୍ଗେ କିଛି କିଛି ଦାନ ମଧ୍ୟ ପାଉଥା’ନ୍ତି ।

ଏଇ ସବୁ ଦାନ ଓ ଅନ୍ୟାନ୍ୟ ଲୋକହିତକର କାର୍ଯ୍ୟ କରିବା ଯୋଗୁଁ ମୃତ୍ୟୁ ପରେ ସେ ସ୍ୱର୍ଗକୁ ଗଲେ ଓ ଇନ୍ଦ୍ରପଦ ପ୍ରାପ୍ତ କଲେ । ତାଙ୍କ ପୁତ୍ର ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରି ଦାନ ଦେଇ ସ୍ୱର୍ଗରେ ଚନ୍ଦ୍ର ରୂପରେ ରହିଲେ । ତାଙ୍କ ପୁତ୍ର ମଧ୍ୟ ସେହିପରି ଶୁଭକାର୍ଯ୍ୟ ସବୁ କରି ସ୍ୱର୍ଗକୁ ଗଲେ ଓ ସୂର୍ଯ୍ୟ ଭାବରେ ଅବସ୍ଥାନ କଲେ । ତା’ପରେ ତାଙ୍କ ପୁତ୍ର ମାତଳୀ ରୂପରେ ସ୍ୱର୍ଗରେ ସେ ରହିଲେ । ତାଙ୍କ ପରେ ତାଙ୍କ ପୁତ୍ର ପଂଚଶିଖାଗ୍ନି ରୂପରେ ସ୍ୱର୍ଗରେ ଅବସ୍ଥାନ କଲେ । ଏହିପରି ଭାବରେ ପାଂଚ-ପୁରୁଷ ଧରି ସେମାନେ ଦେବତ୍ୱ ପ୍ରାପ୍ତ କରି ସ୍ୱର୍ଗବାସୀ ହେଲେ । ସେମାନଙ୍କର କେବଳ ଧନ ନଥିଲା, କୋମଳ ହୃଦୟ ଓ ଜୀବମାନଙ୍କ ପ୍ରତି ଦୟା ବି ଥିଲା ।

କିନ୍ତୁ ତା’ପରେ ପଂଚଶିଖାଗ୍ନିଙ୍କ ପୁତ୍ର ତାଙ୍କ ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରିପାରିଲେ ନାହିଁ । ସେ ଭୀଷଣ କଞ୍ଜୁସ୍ ଥିଲେ । କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ସେ ଗୋଟିଏ ମୁଦ୍ରା ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁଥିଲେ । ଲୋକେ ତାଙ୍କୁ ମତ୍ସରୀକୋଷୀୟ ବୋଲି ଡାକୁଥିଲେ । ତାଙ୍କ ପିତାଙ୍କର ମୃତ୍ୟୁ ହେବା ପରେ ସେ ସବୁ ଧର୍ମଶାଳା ବନ୍ଦ କରିଦେଲେ । ସେ କହିଲେ, “ମୋ ବାପା, ଜେଜେବାପା ମୂର୍ଖ ଥିଲେ ବୋଲି ସେମାନେ ଏପରି କରିଥିଲେ, ମୁଁ କାହିଁକି ସେଇଆ କରିବି?” ତା’ପରେ ସେ ସବୁ ପ୍ରକାର ଦାନ, ଧର୍ମ ଆଦି ସମସ୍ତ ଭଲ କାର୍ଯ୍ୟ ବନ୍ଦ କରିଦେଲେ ।

ନଗରୀର ଯେତେ ଦୁଃଖି, ଦରିଦ୍ର ସମସ୍ତେ ଆସି ମତ୍ସରୀକୋଷୀୟଙ୍କ ଦ୍ୱାରରେ ପାଟିକଲେ ଓ ଖାଦ୍ୟ ମାଗିଲେ । କିନ୍ତୁ ତାଙ୍କ ପ୍ରାର୍ଥନା କିଏ ଶୁଣିବ? ଶେଷକୁ ସେ ନିଜ ଚାକରମାନଙ୍କ ଦ୍ୱାରା ସେହି ଲୋକମାନଙ୍କୁ ସେଠାରୁ ତଡାଇ ଦେଲେ ।

ସେ ନିଜେ କୋଟିପତି ଥିଲେ ଓ ପୁଣି ରାଜଦରବାରରେ କାର୍ଯ୍ୟ କରୁଥିଲେ । କିନ୍ତୁ ଜୀବନରେ ଭଲ ଖାଇବା ବା ପିନ୍ଧିବା ବା ଆନନ୍ଦରେ କିଛି ପଇସା ଖର୍ଚ୍ଚ ହେବା ତାଙ୍କ ଜାତକରେ ଯେପରି ନଥିଲା । ନିଜେ ଘରେ ସେ ଲୁଣ ଲଙ୍କା ଦେଇ ଭାତ ଖାଉଥିଲେ । ନିଜେ କେବେବି ପେଟଭରି ଖାଉ ନଥିଲେ ବା ନିଜର ପତ୍ନୀ ଓ ସନ୍ତାନମାନଙ୍କୁ ପେଟ ଭରି ଖାଇବାକୁ ଦେଉ ନଥିଲେ । ଲୁଗା ତ ବହୁତ ପୁରୁଣା ହୋଇ ଛିଣ୍ଡି ନ ଯିବା ପର୍ଯ୍ୟନ୍ତ ନୂଆ ଲୁଗା କିଣା ହେଉ ନଥିଲା । ଆଉ ଯିବା ଆସିବା ପାଇଁ ସେଇ କୋଟିପତିଙ୍କ ଘରେ ଜେଜେବାପା ଅମଳର ଖଣ୍ଡେ ପୁରୁଣା ଗାଡି ଓ ଦରମଲା ଦୁଇଟା ବୁଢା ବଳଦ ଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ