ମେଧାବୀ

ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।”

                ଦିନେ ଚନ୍ଦ୍ରଧର ସୁନନ୍ଦଙ୍କ ପାଖକୁ ଗଲା । ସୁନନ୍ଦ ତାଙ୍କୁ ବହୁତ ପ୍ରକାରର ପ୍ରଶ୍ନ କରିସାରିବା ପରେ କହିଲେ, “ତୁମର ଜ୍ଞାନ ଓ ସ୍ମରଣ ଶକ୍ତି ବହୁତ ବେଶି । ଏବେ ଆମ ଗ୍ରାମର ସମସ୍ତ ବଡଲୋକ ବୁଦ୍ଧିଜ୍ଞାନରେ ତୁମପାଖରେ ହାରିଜିବେ ।”

                ଚନ୍ଦ୍ରଧର ଘରକୁ ଫେରିଆସି ବାପାଙ୍କୁ ଏକଥା କହିଲା; କିନ୍ତୁ ବାପା କହିଲେ, “ଏଥିରେ ନିଶ୍ଚୟ କୌଣସି ଅନ୍ୟଅର୍ଥ ଅଛି; ଠିକ୍ଭାବରେ ଚିନ୍ତାକର ଓ ସାବଧାନ ରହ ।”

                ଦିନେ ଚନ୍ଦ୍ରଧର ଓ ସୁନନ୍ଦଙ୍କର ଜ୍ଞାନବୁଦ୍ଧିର ପ୍ରତିଯୋଗିତା ହେଲା । ସୁନନ୍ଦ କହିଲେ ପ୍ରଥମ ପ୍ରଶ୍ନ ଚନ୍ଦ୍ରଧର ପଚାରିବେ । ଚନ୍ଦ୍ରଧର ପଚାରିଲା, “ସୂର୍ଯ୍ୟଙ୍କ ତେଜ କେଉଁଠୁ ଆସିଲା?”

ସୁନନ୍ଦ କହିଲେ, “ଏହାର ଉତ୍ତର ଏଠାରେ ଉପସ୍ଥିତ ଭଦ୍ରଲୋକମାନଙ୍କୁ ପଚାରିଲେ, ସେମାନେ ସମସ୍ତେ ଭିନ୍ନ ଭିନ୍ନ ଉତ୍ତର ଦେବେ । ସେହି ତେଜ ବିଷୟରେ ପ୍ରାମାଣିକ ତଥ୍ୟ ଦେବା ପାଇଁ ଆମେ ମଧ୍ୟ ସୂର୍ଯ୍ୟଙ୍କ ପାଖକୁ ଯାଇ ପାରିବା ନାହିଁ । ଯଦି ଶାସ୍ତ୍ର ଅନୁସାରେ ଆମେ ସୂର୍ଯ୍ୟଙ୍କ ତେଜର କାରଣ ଖୋଜିବା ତେବେ ଆମ ଦୁହିଁଙ୍କ ଛଡା ଆଉ କେହି ବି ସେସବୁ ବିଷୟ ବୁଝିପାରିବେ ନାହିଁ । ତେଣୁ ତମେ ଏପରି ପ୍ରଶ୍ନ ପଚାର ଯାହାର ଉତ୍ତର ଏଠାରେ ଥିବା ସମସ୍ତେ ବୁଝିପାରିବେ ।”

ଚନ୍ଦ୍ରଧର କିଛି ବୁଝିପାରିଲା ନାହିଁ କ’ଣ କହିବ । ତେଣୁ ସେ କହିଲା, “ଠିକ୍ ଅଛି ଏବେ ଆପଣ ପଚାରନ୍ତୁ ।” ସୁନନ୍ଦ ପ୍ରଶ୍ନ କଲେ, “ଚନ୍ଦ୍ରର ଜ୍ୟୋତି, କେଉଁଠୁ ଆସିଲା?”

ଚନ୍ଦ୍ରଧର ଚଟକରି ଉତ୍ତର ଦେଲା, “ଏବେ ଆପଣ ମଧ୍ୟ ଏକହିଁ କଥା ମନେ ରଖିଥିବେ ଯେ ଆପଣ ଏପରି ପ୍ରଶ୍ନ କରିବେ ଯାହାର ଉତ୍ତର ଉପସ୍ଥିତ ଭଦ୍ରବ୍ୟକ୍ତି ଠିକ୍ ଠିକ୍ ବୁଝିପାରିବେ ।” ସୁନନ୍ଦ ସୁବିଧା ପାଇ ହସିହସି କହିଲେ, “ତମେ ଭାବୁଛ କି ଆମ ଗ୍ରାମର ଲୋକମାନଙ୍କର ବୁଦ୍ଧି ନାହିଁ? ଚନ୍ଦ୍ରର ନିଜସ୍ୱ ପ୍ରକାଶ ଶକ୍ତି ନାହିଁ, ସୂର୍ଯ୍ୟଙ୍କ ଜ୍ୟୋତିରେ ଚନ୍ଦ୍ର ଆଲୋକିତ । ତମେ ଏକଥା ହୁଏତ ଜାଣି ନଥିବ କିନ୍ତୁ ଆମ ଗ୍ରାମର ସମସ୍ତେ ଏକଥା ଜାଣନ୍ତି ।” ତା’ପରେ ସେ ଗ୍ରାମବାସୀଙ୍କୁ ଚାହିଁ କହିଲେ, “କ’ଣ? ଭାଇମାନେ, ଆପଣମାନେ ଏତିକି ଟିକିଏ ସତ୍ୟ କ’ଣ ଜାଣନ୍ତି ନାହିଁ?”

ସମସ୍ତେ ସୁନନ୍ଦଙ୍କ କଥାକୁ ସ୍ୱୀକାର କଲେ, ତା’ପରେ ଚନ୍ଦ୍ରଧର କହିଲେ, “ଆପଣ କାହିଁକି ପ୍ରତି ମୁହୂର୍ତ୍ତରେ ଆପଣଙ୍କ କଥା ପରିବର୍ତ୍ତନ କରୁଛନ୍ତି?”

“ଠିକ୍ ଅଛି । ମୁଁ କହିଲି ତୁମେ ଚୁପ୍ ହୋଇଗଲ କାହିଁକି? ଏଠାରେ ତୁମ ମୋ ଛଡା ଆଉ କ’ଣ କେହି ବୁଦ୍ଧିମାନ୍ ନାହାଁନ୍ତି? ପୁଣିଥରେ ସୁନନ୍ଦ ଗ୍ରାମବାସୀଙ୍କୁ ଚାହିଁ କହିଲେ, “ମନେହୁଏ ଚନ୍ଦ୍ରଧର ମୁଣ୍ଡରେ କିଛିଟା ବୁଦ୍ଧି ଅଛି, ହେଲେ ଅଳ୍ପବୁଦ୍ଧି । ବିନମ୍ରତା ତ ଟିକିଏ ହେଲେ ବି ନାହିଁ । ସେ ଏତେ ଗର୍ବୀ ଯେ କେବଳ ନିଜକୁ ବୁଦ୍ଧିମାନ ବୋଲି ଭାବୁଛି । ମୋ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ସେ କାହିଁକି ଏତେ ବ୍ୟଗ୍ର? ମୁଁ ମୋ ରାସ୍ତାରେ ଯାଉଥିଲି, ଆଉ ସେ ତା’ ରାସ୍ତାରେ ।”

ସୁନନ୍ଦଙ୍କ କଥା ଶୁଣି ଗ୍ରାମର ସବୁଲୋକ ଚନ୍ଦ୍ରଧରକୁ ଗାଳିଦେଲେ । ଏସବୁ ଚନ୍ଦ୍ରଧରକୁ ବଡ ଅପମାନଜନକ ଲାଗିଲା । ଚନ୍ଦ୍ରଧର ଘରକୁ ଫେରିବା ପରେ, ତା’ର ବାପା ତାକୁ ଗାଳିଦେଇ କହିଲେ, “ସୁନନ୍ଦ ବହୁତ ବୁଦ୍ଧିମାନ, ତା’ସହିତ ତୁ କେବେବି ପାରିବୁ ନାହିଁ । ଯଦି ତୁ ମୋ କଥା ଶୁଣି ଥା’ନ୍ତୁ ତ ତୁ ଆଜି ଏଭଳି ଭାବରେ ଅପମାନିତ କଦାପି ବି ହୋଇ ନଥାନ୍ତୁ । ତୁତ ଏତିକି ଜାଣିନାହୁଁ ଯେ ପ୍ରତିଦ୍ୱନ୍ଦୀର ପ୍ରହାରରୁ ନିଜକୁ କିପରି ରକ୍ଷା କରିବ ।”

ବାପାଙ୍କ କଥା ଶୁଣି ଚନ୍ଦ୍ରଧର କହିଲା, “ବାପା, ସୁନନ୍ଦ ଏଭଳି ଲୋକ ବୋଲି ମୁଁ ଜାଣି ନଥିଲି, ଏବେ ମୁଁ ତାକୁ ଥରେ ଭଲ ଭାବରେ ଶିକ୍ଷା ଦେବି ଏବଂ ତାହାହିଁ ମୋ ଜୀବନର ବ୍ରତ ।”

ସେହି ଦିନଠାରୁ ସେ ସୁନନ୍ଦର ଗତିବିଧି, କଥାବାର୍ତ୍ତା ସବୁ ଭଲ ଭାବରେ ପର୍ଯ୍ୟବେକ୍ଷଣ କଲା । ତା’ପରେ ସେ ସବୁ କିଛି ଠିକ୍ ଠିକ୍ ବୁଝିଗଲା । ଆହୁରି ମଧ୍ୟ ସେ ଗ୍ରାମବାସୀଙ୍କୁ ସୁନନ୍ଦଙ୍କର ଛଳନାପ୍ରିୟ ସ୍ୱଭାବ ବିଷୟରେ କହିଲା । ତା’ପରେ ସେ ଗ୍ରାମର କେତେକ ଲୋକ ଯାଇ ସୁନନ୍ଦଙ୍କୁ କହିଲେ, “ଆପଣ ଜାଣନ୍ତି ଚନ୍ଦ୍ରଧର ଆପଣଙ୍କ ବିଷୟରେ କ’ଣ ସବୁ କହୁଛି?”

ସେମାନଙ୍କୁ ଶାନ୍ତ କରାଇ ସୁନନ୍ଦ କହିଲେ, “ଚନ୍ଦ୍ରଧର ବେଶ୍ ବୁଦ୍ଧିମାନ୍ । ଯଦି ସେ ମୋର କିଛି ଭୁଲ୍ ଭ୍ରାନ୍ତି ଧରି ପାରିଛି ତେବେ ତାହା ମୁଁ ସୁଧାରି ନେବି । ଆଉ ସେ ଯଦି ମୋତେ ବଦନାମ କରିବାପାଇଁ ଚେଷ୍ଟା କରୁଥିବ ତେବେ ତା’ ନିଜର ଛୋଟ ବୁଦ୍ଧି ସମସ୍ତେ ବୁଝି ପାରିବେ ।”

ଲୋକମାନେ ଯିବାପରେ ସୁନନ୍ଦଙ୍କ ସ୍ତ୍ରୀ କହିଲେ, “ତୁମେ ସେଦିନ ଯଦି ସବୁ କିଛି ଶାନ୍ତ ଭାବରେ କରିଥା’ନ୍ତ, ତେବେ ଚନ୍ଦ୍ରଧର ଆଜି ତୁମର ଶତ୍ରୁ ହୋଇ ନଥା’ନ୍ତା । ବିନା କାରଣରେ ତୁମେ ତାକୁ ନିର୍ବୁଦ୍ଧିଆ ବୋଲି ପ୍ରମାଣ କରି ଅଯଥା ଶତ୍ରୁତା ସୃଷ୍ଟି କଲ । ସେ ତୁମ ବିଷୟରେ ଗ୍ରାମବାସୀଙ୍କୁ ଯାହାସବୁ କହୁଛି ତାହା ବଡ ଦୁଃଖର କଥା ।”

ସ୍ତ୍ରୀଙ୍କର କଥା ଶୁଣି ସୁନନ୍ଦ ଅଳ୍ପ ହସି କହିଲେ, “ମୁଁ ସେଦିନ ଜାଣି ଶୁଣି ତାକୁ ରଗାଇଥିଲି । ପ୍ରକୃତରେ ସେ ବଡ ମେଧାବୀ କିନ୍ତୁ ଗ୍ରାମବାସୀଙ୍କ ସମ୍ମୁଖରେ ମୁଁ ଚାହୁଁ ନଥିଲି ଯେ ସେ ମୋଠାରୁ ଅଧିକ ମେଧାବୀ ଏକଥା ପ୍ରମାଣିତ ହେଉ । ଗୋଟିଏ ସତ୍ୟ ମନେରଖ, ଯିଏ ରାଗିଯାଏ ତା’ର ବୁଦ୍ଧି ଭ୍ରଷ୍ଟ ହୁଏ ଓ ସେ ଯେତେ ରାଗେ ସେତେ ସେ ମୁର୍ଖ ହୋଇ ରହିଯାଏ । ଦେଖ ତ ଜଣେ ମେଧାବୀ କିପରି କ୍ରମେ ବୁଦ୍ଧିମାନ ହୋଇଯାଏ ଓ ନିଜର ବୁଦ୍ଧିକୁ ଦୂରୁପଯୋଗ କରୁଥାଏ । ସେ ମୋର ବଦନାମ କରିବା ଦ୍ୱାରା ତଳକୁ ଯାଉଛି, ଆଉ ମୁଁ ପାହାଚର ଉପରେ ରହି ମଜା ଦେଖୁଛି, ବୁଝିଲ? ଏବେ ଏକମାତ୍ର ଜ୍ଞାନୀ ଓ ମେଧାବୀ ବୋଲି ଗ୍ରାମବାସୀ କେବଳ ମୋତେ ହିଁ କହିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ