ଅର୍ଥହୀନ ସ୍ୱାର୍ଥ

ବିଦର୍ଭରେ ରାମଶର୍ମା ନାମକ ଜଣେ ବଡ ଅର୍ଥଶାସ୍ତ୍ରବିଦ୍ ଥିଲେ । ରାଜା ପ୍ରଜା ନିର୍ବିଶେଷରେ ସମସ୍ତେ ତାଙ୍କ ସହିତ ଆଲୋଚନା କରି ସବୁକିଛି କରୁଥିଲେ । ତେଣୁ ଦେଶର ଆର୍ଥିକ ଅବସ୍ଥା କ୍ରମେ ଉନ୍ନତି ଲାଭ କଲା । ଦେଶ ସୁଖସମ୍ପଦରେ ଭରା ହୋଇ ରହିଲା । ପ୍ରଜାମାନେ ସୁଖରେ ଥା’ନ୍ତି । ଟିକିଏ କିଛି ଅସୁବିଧା ହେଲେ ଲୋକମାନେ ତାଙ୍କ ପାଖକୁ ଯାଇ, ତାଙ୍କ ପରାମର୍ଶ ଅନୁସାରେ କାମ କରୁଥିଲେ ।

                ବିଦର୍ଭର ପଡୋଶୀ ରାଜ୍ୟ ଇନ୍ଦ୍ରପୁରୀ ଥିଲା । ସେଠାରେ ଯେତେ ଚେଷ୍ଟା କଲେ ମଧ୍ୟ ଦାରିଦ୍ର୍ୟ ଘୁଂଚିଲା ନାହିଁ । ରାଜା ଅନ୍ୟଦେଶର ଆର୍ଥିକ ଅବସ୍ଥା ଓ ତାହାର ଉନ୍ନତି ଦେଖି ନିଜେ ବହୁତ ଚେଷ୍ଟା କଲେ ମଧ୍ୟ କିଛି ହେଲା ନାହିଁ ।

                ରାମଶର୍ମା ଇନ୍ଦ୍ରପରୀର ଅବସ୍ଥା ବିଷୟରେ ଖବର ପାଇଲେ । ଦେଖିଲେ ନିଜ ଦେଶରେ ଆର୍ଥିକ ଅବସ୍ଥା ଏତେ ଭଲ, ଅଥଚ ସେହି ଏକପ୍ରକାର ନୀତିର ଅନୁସରଣ କରି ମଧ୍ୟ ଇନ୍ଦ୍ରପୁରୀରେ କାହିଁକି କୌଣସି ଫଳ ହେଉନାହିଁ । ଏହାର କାରଣ ଅନୁଧ୍ୟାନ କରିବା ପାଇଁ ସେ ଇନ୍ଦ୍ରପୁରୀ ଗଲେ ।

                ଦୁଇ ରାଜ୍ୟ ମଧ୍ୟରେ ଏକ ଜଙ୍ଗଲ ଥିଲା, ରାମଶର୍ମା ଚାଲି ଚାଲି ଥକି ଯାଇ ଗୋଟିଏ ଗଛମୂଳରେ ବିଶ୍ରାମ କରୁଛନ୍ତି, ଠିକ୍ ଏହି ସମୟରେ ଗୋଟାଏ ଭୂତ ଗଛରୁ ତାଙ୍କ ଆଗକୁ ଡେଇଁପଡିଲା । ସେ ପର୍ଯ୍ୟନ୍ତ ତ ସେ କେବେବି ଭୂତ ଦେଖି ନ ଥିଲେ; ତେଣୁ ସେ ଟିକିଏ ଡରିଗଲେ । ଭୂତ କହିଲା, “ମହାଶୟ, ମୋତେ ଦେଖି ଆପଣ ମୋଟେ ଡରନ୍ତୁ ନାହିଁ । ମୁଁ ଇନ୍ଦ୍ରପୁରୀର ବଡ ଭାଗ୍ୟବାନ୍ ନାଗରିକ । ମୁଁ ଗୋଟିଏ ଗ୍ରାମରେ ଥିଲି । ମୋର ସମ୍ପତ୍ତି କେତେ ତାହା କେହିବି ଜାଣି ନଥିଲେ । କାରଣ ସେମାନେ ଖାଇପିଇ ଭଲରେ ଥା’ନ୍ତି, କାହିଁକି ଆଉ କୌଣସି କଥାରେ ନିଜ ମଥା ଖେଳାଇବେ । ଧନ କୌଣସି କାମରେ ଲାଗିଲା ନାହିଁ ବୋଲି ମୁଁ ମରିବା ପରେ ଭୂତ ହୋଇଗଲି । ତେଣୁ ସେହି ଧନକୁ କୌଣସି ପ୍ରକାରରେ ସଦୁପଯୋଗ ହେଲେ ମୁଁ ଏ ଭୂତ ରୂପରୁ ମୁକ୍ତି ପାଇଯିବି । ମୁଁ ଜାଣେ ଆପଣ ବିଖ୍ୟାତ ଅର୍ଥଶାସ୍ତ୍ରବିଦ୍ ରାମଶର୍ମା । ମୋର ସହାୟତା କରନ୍ତୁ ଯଦ୍ୱାରା ମୋତେ ପୁଣ୍ୟ ମିଳିବ ଓ ମୁଁ ମୁକ୍ତି ପାଇବି ।” ହାତଯୋଡି ପ୍ରାର୍ଥନା କରି ଭୂତ ତାଙ୍କୁ ଏସବୁ କଥା କହିଲା ।

ରାମଶର୍ମା କହିଲେ “ଏଇ ଟିକିଏ କଥା ପାଇଁ ଏତେ ବ୍ୟସ୍ତ କାହିଁକି? ମୁଁ ନିଜେ ଧନତକ ନେଇ ରାଜାଙ୍କୁ ଦେବି । ରାଜା ସେସବୁ ଜନହିତକର କାମରେ ଲଗାଇବେ ।”

ଭୂତ କହିଲା “ଆମ ରାଜା ଧନ ପାଇଲେ ଜନହିତକର କାର୍ଯ୍ୟରେ ଖର୍ଚ୍ଚ ନକରି ବିଳାସବ୍ୟସନରେ ଉଡାଇ ଦେବେ । ମୋ ଧନର ସଦୁପଯୋଗ ନହେଲେ ମୋତେ ତ ଏ ଭୂତ ରୂପରୁ ଆଦୌ ମୁକ୍ତି ମିଳିବ ନାହିଁ ।”

ରାମଶର୍ମା କହିଲେ, “ତୁମ ରାଜାଙ୍କର ପ୍ରଜାହିତ ପାଇଁ ଅନେକ ସଂସ୍ଥା ଅଛି । ମୁଁ ରାଜାଙ୍କୁ ଧନତକ ଦେଇ ବୁଝାଇ ଦେଲେ ସେ ଖୁସି ହେବେ ।”

ଭୂତ କହିଲା “ମନେ ହେଉଛି ଆପଣ ଆମ ଦେଶର ଲୋକସେବା ସଂସ୍ଥାମାନଙ୍କ ବିଷୟରେ ଅନଭିଜ୍ଞ । ସେହି ସଂସ୍ଥାସବୁ ଅନୀତିରେ ଭରା । ଆଜି ଆପଣ ଦଶଲକ୍ଷ ଟଙ୍କା ଦେଲେ ଲୋକଙ୍କ ପାଖରେ ଲକ୍ଷେଟଙ୍କା ମଧ୍ୟ ପହଁଚିବ ନାହିଁ ।”

ମରିବା ପରେ ମଧ୍ୟ ଭୂତ ଏତେ ବେଶି ଭାବୁଛି ଯେ ତା’ର ଧନ କେଉଁଠି ଖର୍ଚ୍ଚ ହେବ । ରାମଶର୍ମା ଭାବିଲେ ଏପରି ପରୋପକାରୀ ନାଗରିକ ଥାଉ ଥାଉ ଇନ୍ଦ୍ରପୁରୀରେ ପୁଣି କାହିଁକି ଦାରିଦ୍ର୍ୟ, ଅନଟନ ଲାଗିରହିଛି; ଏହିସବୁ କଥା ଭାବି ସେ ଭୂତକୁ କହିଲେ, “ତୁମ ରାଜାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଦେଶର ସେବାସଂସ୍ଥା ଉପରେ ମଧ୍ୟ ବିଶ୍ୱାସ ଅଛି । ଦେଖିଲେ ଲାଗୁଛି ତୁମ ରାଜ୍ୟର ପରିସ୍ଥିତି ଅବଶ୍ୟ କିଛିଟା ଭିନ୍ନ । ତୁମେ ତୁମ ଦେଶର ପଣ୍ଡିତମାନଙ୍କର ପରାମର୍ଶ ଗ୍ରହଣ କରି ପାରିଥା’ନ୍ତ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ