ଆରୋଗ୍ୟ – ରହସ୍ୟ

ଗୁରୁନାଥ ଥଣ୍ଡା ଓ ସର୍ଦ୍ଦିଜ୍ୱରରେ ପୀଡିତ ହେଲେ । ତାଙ୍କ ଗଳା ଦରଜ ହୋଇ କଣ୍ଠସ୍ୱର ଭାରୀ ଶୁଭୁଥାଏ । ଆଖି, ନାକରୁ ପାଣିସବୁ ବୋହିପଡୁଥାଏ । ତା ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଖାଇବା ପିଇବାକୁ ରୁଚୁ ନ ଥାଏ । ଶରୀରରେ ଜ୍ୱର ମଧ୍ୟ ରହୁଥାଏ ।

                ଏହି ଅବସ୍ଥା ଆଉ ସହ୍ୟ କରି ନ ପାରିବାରୁ ସେ ତାଙ୍କ ପୁତ୍ରଙ୍କୁ ବୈଦ୍ୟଙ୍କ ନିକଟକୁ ଔଷଧ ପାଇଁ ପଠାଇଲେ । ବୈଦ୍ୟଙ୍କର କେତେପାନ ଔଷଧରେ ତାଙ୍କର ଜ୍ୱର ହଠାତ୍ କମିଗଲା । ମାତ୍ର ଅନ୍ୟ ସବୁ ଲକ୍ଷଣ ସେମିତି ରହିଥାଏ ।

                ତେଣୁ ସଂନ୍ଧ୍ୟା ସମୟକୁ ନିଜେ ଗୁରୁନାଥ ବୈଦ୍ୟଙ୍କୁ ଭେଟିବାକୁ ଗଲେ । ଶରୀର ଦୁର୍ବଳ ଲାଗୁଥିବାରୁ ଦୁଇ ତିନି ଜାଗା ବସିଉଠି ସେ ବୈଦ୍ୟଙ୍କ ପାଖରେ ଯାଇ ପହଁଚିଲେ । ସେଥିରେ ପୁଣି କାଶ ଓ ଛିଙ୍କ ଲାଗି ରହିଥାଏ । ବାଟରେ ଯିଏବି ତାଙ୍କୁ ଦେଖୁଥାଏ, ସେ ସହାନୁଭୂତି ଜଣାଉଥାଏ ।

                ବୈଦ୍ୟ ତାଙ୍କୁ ଦେଖୁ ଦେଖୁ କହିଲେ, “ଆରେ, ତୁମେ ନିଜେ ଚାଲିଆସିଲ । ତୁମ ପୁଅ ବେମାରୀର ସବୁ ଲକ୍ଷଣ ଠିକ୍ ଭାବରେ କହିଥିଲେ, ତୁମେ ଏତେ ବେଳକୁ ସୁସ୍ଥ ହୋଇସାରନ୍ତଣି ।” ତା’ପରେ ସେ ଏକ ନୂଆ ଔଷଧ ଦେଇ କହିଲେ, “ଏହାକୁ ସେବନ କରି ଏକ ସପ୍ତାହ ସମ୍ପୂର୍ଣ୍ଣ ବିଶ୍ରାମ ନେବ । ଉତ୍ତମ ଖାଦ୍ୟ ଖାଇବାର ବ୍ୟବସ୍ଥା କରିବ ।”

                ସର୍ଦ୍ଦି, ଥଣ୍ଡା କମିଯିବା ବେଳକୁ, ଗୁରୁନାଥ ପାଦ ଖସିଯାଇ ପଡିଗଲେ । ଫଳରେ ତାଙ୍କ ଆଣ୍ଠୁ ପାଖରେ ଭୀଷଣ ଆଘାତ ଲାଗିଲା । ପତ୍ନୀ ଗରମ ପାଣି ସେକ ଦେଲେ । ବୈଦ୍ୟଙ୍କ ପାଖରୁ ମଲମ ଆଣି ଲେପନ କରାଗଲା । ଗ୍ରାମର ଜଣେ ଗୁଣିଆ ଆସି ଝଡାଫୁଙ୍କା କଲେ । ସେ ତିନିଦିନ ଧରି ପଲଙ୍କରୁ ଉଠିପାରିଲେ ପାହିଁ । ଏହି ଖବର ଗ୍ରାମର ଅନ୍ୟମାନେ ଜାଣିପାରି ତାଙ୍କୁ ଦେଖିବାକୁ ଆସିଲେ । ସାନ୍ତ୍ୱନା ଦେଲେ, ସହାନୁଭୂତି ମଧ୍ୟ ଜଣାଇଲେ ।

ଏହି ଘଟଣାର ପ୍ରାୟ ପନ୍ଦରଦିନ ପରେ ଗୁରୁନାଥଙ୍କ କାନରେ ଅସହ୍ୟ ବ୍ୟଥା ଆରମ୍ଭ ହେଲା । ତିନିଦିନ ଧରି ଏ ଯନ୍ତ୍ରଣା ଭୋଗିସାରିବା ପରେ, ପେଟ ଗୋଳମାଳ ହେଲା । ଛାତିରେ ଏପରି ବ୍ୟଥା ହେଲା ଯେ, ସତେ କି ହୃଦଘାତ ଘଟିଛି ମନେ ହେଲା । ଡାକ୍ତରୀ ପରୀକ୍ଷା ପରେ ସେହି ସନ୍ଦେହ ମନରୁ ଦୂର ହେଲା । ବାୟୁ ଜନିତ ଗୋଳମାଳ ହେତୁ ଏପରି ଘଟିଥିବା ଜାଣି ପରିବାର ଲୋକେ ଟିକେ ଆଶ୍ୱସ୍ତ ହେଲେ ।

ଏହିପରି ଗୁରୁନାଥ ବର୍ଷସାରା ବହୁବାର ରୋଗର ଶୀକାର ହେଲେ । ଗ୍ରାମର ସବୁଲୋକ ତାଙ୍କୁ ଆହା କଲେ । ଏହି ଖବର ତାଙ୍କ ମଧୁର ସମ୍ପର୍କୀୟ ଶଙ୍କରଙ୍କ ନିକଟରେ ପହଁଚିବାରୁ ସେ ତାଙ୍କୁ ଦେଖିବାପାଇଁ ଆସିଲେ । ଗୁରୁନାଥ ତାଙ୍କୁ ନିଜର ସମସ୍ତ ଦୁଃଖ ଜଣାଇ କହିଲେ, “ବୟସ ବଢିବା ସଙ୍ଗେ ସଙ୍ଗେ ମୁଁ ଶକ୍ତିହୀନବି ହୋଇପଡୁଛି । ତେଣୁ ମୁଁ ବିଭିନ୍ନ ବେମାରୀ କବଳରେ ପଡି ଯାହାଖାଲି ହନ୍ତସନ୍ତ ହେଉଛି ।”

“ତୁମର ଏହି ଧାରଣା ଅମୂଳକ । ତୁମକୁ ତ ମୋଟେ ପଚାଶ ବର୍ଷ ବୟସ । ମୋତେ ଦେଖିଲ, ଷାଠିଏ ବର୍ଷ ବୟସରେ ମୁଁ କେତେ ସୁସ୍ଥ, ଚଳଚଂଚଳ ରହିପାରିଛି । ଆରାମ୍ରେ ସବୁଆଡେ ଚଲାବୁଲା ବି କରିପାରୁଛି । ସ୍ୱାସ୍ଥ୍ୟ ପାଇଁ ସର୍ବଦା ଏତେ ଚିନ୍ତିତ ହେବା କଣ ବା ଆବଶ୍ୟକ?”


ଗପ ସାରଣୀ

ତାଲିକାଭୁକ୍ତ ଗପ