ଗୋବିନ୍ଦର ସଂସାର ଜଞ୍ଜାଳରେ ପୂର୍ଣ୍ଣ । ବାପାଙ୍କର ଦେହଖରାପ । ବଡ ଡାକ୍ତର ଆଣିବାକୁ ହେବ । ମା’ର ସର୍ବଦା ରେଶମୀ ଶାଢି ପିନ୍ଧିବାରେ ଇଚ୍ଛା । ଦୁଇ ଭଉଣୀଙ୍କର ବିବାହ ଦେବାକୁ ହେବ । ଘର ଭାଙ୍ଗିରୁଜି ଗଲାଣି । ଘରପାଇଁ କିଛି କିଛି କାମ ମଧ୍ୟ କରିବାକୁ ହେବ ।
ଏତେଗୁଡିଏ କାମ ଠିକ୍ ଭାବରେ କରିବାକୁ ହେଲେ ଅନେକ ଟଙ୍କା ତ ଦରକାର । ହେଲେ ତା’ପାଖରେ ତ ଆଦୌ ଧନ ନାହିଁ । ତା’ର ବିବେକ, ବିଚାର ଓ ବୁଦ୍ଧି ହୁଏତ ଥାଇପାରେ । କିନ୍ତୁ ସାଂସାରିକ ବୁଦ୍ଧି ଯେ ଆଦୌ ନାହିଁ । ବିଚାରବନ୍ତ ଲୋକର ବୁଦ୍ଧି ଦ୍ୱାରା ଅନ୍ୟମାନେ ଲାଭବାନ୍ ହୁଅନ୍ତି; କିନ୍ତୁ ନିଜକ୍ଷେତ୍ରରେ କିଛି ହୁଏ ନାହିଁ ।
ତା’ର ବନ୍ଧୁମାନେ ତାକୁ କୁହନ୍ତି ଯେ ସେ ଯେପରି ହେଉ ପଛେ ଧନୀ ହେବା ଦରକାର । କିନ୍ତୁ ତା’ର ବାପା କୁହନ୍ତି, “ପୁଅ, ଅବସ୍ଥା ଯାହାହେଲେ ମଧ୍ୟ, ସାଧୁତା କେବେବି ହରାଇବୁ ନାହିଁ । ଭଲ ମଣିଷ ହେବାରେହିଁ ସମସ୍ତ ଆନନ୍ଦ ଥାଏ ।”
ପରିବାର ସମ୍ଭାଳିବା ତା’ପାଇଁ କଷ୍ଟକର ହୋଇ ଉଠିଲା । ଦିନେ ଗ୍ରାମ ଛାଡି ଚାକିରୀ ପାଇଁ ସହରକୁ ସେ ଯାଉଥାଏ । ବାଟରେ ଜଙ୍ଗଲ ପଡେ । ସେ ଚାଲି ଚାଲି ଥକି ଗଲାରୁ ଗୋଟିଏ ଗଛ ମୂଳରେ ଯାଇ ବିଶ୍ରାମ କଲା ।
ସେହି ଗଛରେ ବହୁଦିନରୁ ଭୂତଟିଏ ରହିଥାଏ । ତା’ର କେହି ସାଙ୍ଗସାଥୀ ନଥିବାରୁ ସେ ଏକୁଟିଆ ଥାଏ । ଗୋବିନ୍ଦକୁ ଦେଖି ସେ ତଳକୁ କୁଦି ପଡିଲା । ଗୋବିନ୍ଦ ଛାନିଆ ହୋଇ ଯିବାରୁ ସେ କହିଲା, “ମୋ ସହିତ କଥା କୁହ; କଥା କହି ମୋର ମନ ଖୁସି କର । ତୁମର ସହର ଯିବାର କୌଣସି ଆବଶ୍ୟକତା ନାହିଁ । ତୁମେ ଯେତେ ଧନ ଚାହିଁବ ମୁଁ ଦେବି ।”
ଗୋବିନ୍ଦ ତା’ମନରେ ସାହସ ବାନ୍ଧିଲା ଓ ଜଣେ ମହାଚୋରର କାହାଣୀ ତାକୁ ଶୁଣାଇଲା । ଭୂତ ବହୁତ ଆନନ୍ଦିତ ହେଲା । ଭୂତ କହିଲା, “ତୁମେ ଏଇଠି ରୁହ । ମୋର ସାଥୀ ହୋଇ ରହିବ । ବଡ ସୁନ୍ଦର କାହାଣୀଟିଏ ଶୁଣାଇଲ । ମୋତେ ବହୁତ ଭଲ ଲାଗିଲା ।”
ଗୋବିନ୍ଦ କହିଲା, “ମୁଁ ଅବଶ୍ୟ ତୁମ ସହିତ ରହନ୍ତି । କିନ୍ତୁ ମୋର ସାଂସାରିକ ଦାଇତ୍ତ୍ଵ ସବୁ ରହିଛି । କ’ଣ କରିବି?”
ସୁନା ମୋହର ପୂର୍ଣ୍ଣ ଥଳୀଟିଏ ଭୂତ ଦେଇ କହିଲା, “ଯାଅ ନିଜର ସବୁ ଦାଇତ୍ତ୍ଵ ପୂର୍ଣ୍ଣ କରିସାରି ପୁଣି ଏଠାକୁ ଫେରି ଆସିବ । ତୁମ ବ୍ୟତୀତ ମୋତେ ଏଠାରେ ଏକେଲା ଲାଗିବ ।”