ଧର୍ମନନ୍ଦନଙ୍କ କାହାଣୀ

ଅନେକ ଦିନ ତଳର କଥା । ରାକ୍ଷସ ରାଜ୍ୟରେ ଧର୍ମନନ୍ଦନ ନାମକ ଜଣେ ରାଜା ଥିଲେ । ସେ ତାଙ୍କ ପିଲାଟିଦିନରୁ ଭଲ ସ୍ୱଭାବର ଓ ବିବେକବାନ୍ ଥିଲେ । ତେଣୁ ତାଙ୍କର ଚାଲିଚଳଣ ଦେଖି ଅନ୍ୟ ରାକ୍ଷସମାନଙ୍କର ଚକ୍ଷୁଶୁଳ ହେଉଥିଲା । ଏଣୁ ସେମାନେ ତାଙ୍କ କଥାକୁ ପ୍ରାୟ ମାନୁ ନଥିଲେ । ସେମାନେ ସାଧୁସନ୍ଥଙ୍କ ଉପରେ ଦୌରାତ୍ମ୍ୟ ଚଳାଉଥିଲେ । ଉପକାରୀ ଲୋକର କ୍ଷତି କରୁଥିଲେ । ଏସବୁ ଧର୍ମନନ୍ଦନଙ୍କ ପାଇଁ ବଡ ଅସହ୍ୟ ଥିଲା ।

                ଏସବୁ କଥା ଭାବି ଧର୍ମନନ୍ଦନଙ୍କର ମନ ବଡ ବିଷର୍ଣ୍ଣ ହୋଇଗଲା । ସେ ଦିନକୁଦିନ ଦୁର୍ବଳ ହୋଇ ଯିବାରୁ ତାଙ୍କ ପିତାମାତା ରାକ୍ଷସ ବୈଦ୍ୟଙ୍କୁ ଆଣି ତାଙ୍କୁ ଚିକିତ୍ସା କରାଇବାକୁ ଚାହିଁଲେ । ଅନେକ ସମୟ ପରୀକ୍ଷା ନିରୀକ୍ଷା ପରେ ବୈଦ୍ୟ କହିଲେ, “ରାକ୍ଷସ କୁଳରେ ତୁମର ଜନ୍ମ ହୋଇ ବଡ ଭୁଲ୍ ହୋଇଯାଇଛି । ତୁମର ବ୍ୟାଧି ମାନସିକ । ତୁମେ ବରଂ କିଛିଦିନ ପାଇଁ ଯାଇ ମନୁଷ୍ୟମାନଙ୍କ ସହିତ ବସବାସ କର । କିନ୍ତୁ ଯେତେଦିନଯାଏଁ ତମେ ସେଠାରେ ରହିବ, ସେତେଦିନ ଭିତରେ ତୁମକୁ ଅନ୍ତତଃ ମାସକୁ ଜଣେ ମଣିଷ ମାରି ଖାଇବାକୁ ପଡିବ । ଯେଉଁଦିନ ତୁମର ଇଚ୍ଛା ହେବ ନିଜ ରାଜ୍ୟକୁ ଫେରିବାକୁ ସେଦିନ ଜାଣିବ ତୁମର ରୋଗ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ଯାଇଛି ।”

                ତା’ପରେ ସେ ଧର୍ମନନ୍ଦନ ବୈଦ୍ୟଙ୍କ କଥା ମାନି ମାନବ ଅଧ୍ୟୁଷିତ ଏକ ନଗରରେ ଆସି ପ୍ରବେଶ କଲେ । ଚାରିଆଡେ ବୁଲିବୁଲି ମାନବଙ୍କ ଜୀବନ ଧାରଣ ପଦ୍ଧତି ବିଷୟରେ ଅନେକ ଜ୍ଞାନ ସେ ଅର୍ଜନ କଲେ ।

                ସେ ଦେଖିଲେ ମଣିଷର ଶାରୀରିକ ବଳ ସୀମିତ; କିନ୍ତୁ ମଣିଷ ନିଜର ବୁଦ୍ଧିବଳରେ ବଡ ବଡ ଅସାଧ୍ୟ କାର୍ଯ୍ୟସବୁ ସାଧନ କରିପାରୁଛି । ସେମାନଙ୍କ ମଧ୍ୟରେ ବି ପୁଣି ଠକ, ଚୋର ଓ ନାନା ପ୍ରକାରର ଅପରାଧୀ ରହିଛନ୍ତି । କିନ୍ତୁ ସେମାନଙ୍କ ଦୌରାତ୍ମ୍ୟରୁ ସାଧାରଣ ନାଗରିକଙ୍କୁ ରକ୍ଷା କରିବା ପାଇଁ ନାନାପ୍ରକାର ଆଇନ୍କାନୁନ୍ ରହିଛି । ସେପରି ଅନୁଶାସନକୁ ମାନିବା ଦ୍ୱାରା ଜୀବନ ଶାନ୍ତିପୂର୍ଣ୍ଣ ହେଉଛି ।

                ଏସବୁ ଜୀବନଧାରା ଧର୍ମନନ୍ଦନଙ୍କୁ ବଡ ପ୍ରୀତିପ୍ରଦ ଲାଗିଲା । ସେଠାରେ ସେ ଏକ ସୁନ୍ଦର ଯୁବକ ରୂପ ନେଇ ବିଚରଣ କରୁଥିଲେ । ଜଣେ ସୁନ୍ଦରୀ ଯୁବତୀଙ୍କୁ ବିବାହ କରିବାକୁ ସେ ଚାହିଁଲେ ।

                ତାଙ୍କ ମନ ଛୁଇଁଥିବା ସେହି ଝିଅଟିର ନାମ ଲତା, କିନ୍ତୁ ସେ ବହୁତ ଦରିଦ୍ର । ତା’ର ପିତା ଶଯ୍ୟାଶାୟୀ । ମା’ ଦୁଇତିନି ଜଣଙ୍କ ଘରେ ବାସନ ମାଜି ଯାହା କିଛିବି ଆଣେ ସେଇଥିରେ କୌଣସି ମତେ ସେମାନେ ଚଳିଯାଆନ୍ତି । ଭାଇଟି କିଛି ପଢାପଢି କରିଥିଲେ ମଧ୍ୟ ବେକାର ହୋଇ ବୁଲୁଥାଏ । ଲତାର ଇଚ୍ଛା ଚାକିରି କରି ସେ ତା’ ବାପମା’ଙ୍କୁ କିଛିଟା ସାହାଯ୍ୟ କରନ୍ତା । କିନ୍ତୁ ଅବିବାହିତା ଝିଅକୁ ଅନ୍ୟ ଘରକୁ କାମ ପାଇଁ ପଠାଇବା ତାଙ୍କ ଘରର ନୀତିବିରୁଦ୍ଧ ଥିଲା ।

                ଦିନେ ଲତା ମନ୍ଦିରକୁ ଫୁଲ ନେଇ ପୂଜା ଦେବାକୁ ଯିବାବେଳେ ଧର୍ମନନ୍ଦନ ତାଙ୍କୁ ଭେଟି ନିଜ ମନକଥା ଜଣାଇଲେ । ଏକଥା ଶୁଣି ଲତା ଅତି ଦୁଃଖ ଓ ଲଜ୍ୟାରେ ବିଷର୍ଣ୍ଣ ଭାବେ ସ୍ମିତ ହସି କହିଲା, “ମୋର ବିବାହ ମୋ ଉପରେ ନିର୍ଭର କରେ ନାହିଁ, ଏହି ଗ୍ରାମରେ ମୋର ଜଣେ ଦୂରସଂପର୍କୀୟ ବ୍ୟକ୍ତି ଅଛନ୍ତି; ଆଜକୁ ଠିକ୍ ବର୍ଷକ ପୂର୍ବରୁ ତାଙ୍କ ସ୍ତ୍ରୀ ମରିଗଲେ । ସେ ମୋତେ ବିବାହ କରିବାକୁ ଚାହାଁନ୍ତି । ସେ ମୋତେ ବିବାହ କଲେ ମୋର ବାପାଙ୍କର ଚିକିତ୍ସା ସେ କରାଇବେ । ଭାଇକୁ ଚାକିରି ଦେବେ । ତାଙ୍କ ପ୍ରଥମ ସ୍ତ୍ରୀର ଚାରିଟି ପିଲା ଅଛନ୍ତି, ବଡ ଝିଅଟି ମୋହରି ବୟସର । ଆମ ଘରେ ମଧ୍ୟ କେହି ମୋତେ ସେଠାରେ ବିବାହ ଦେବାକୁ ଚାହୁଁ ନାହାଁନ୍ତି । ମାତ୍ର ଆମ ଘରଡିହ ତାଙ୍କ ପାଖରେ ବନ୍ଧା ପଡିଛି । ବିବାହ ପାଇଁ ମନା କରିଦେଲେ ସେ ଆମକୁ ଆମ ଘରୁ ତଡିଦେବେ ।”

                ସବୁକଥା ଶୁଣି ଧର୍ମନନ୍ଦନ କହିଲେ “ଘରବନ୍ଧକ ଟଙ୍କା ମୁଁ ଦେବି । ଅନ୍ୟ ଯାହା ଦରକାର ମୁଁ ସେସବୁ କରିବି । କିନ୍ତୁ ମୁଁ ତୁମକୁ ବିବାହ କରିବାକୁ ଚାହେଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ