ବିଷବୃକ୍ଷ

ପାଟଣାଗଡ ରାଜ୍ୟରେ ମହାରାଜା ବିଷ୍ଣୁବର୍ଦ୍ଧନ ଶାସନ କରୁଥା’ନ୍ତି । କୁମାର ରାଜବର୍ଦ୍ଧନ ହେଲେ ତାଙ୍କର ଏକମାତ୍ର ପୁତ୍ର । ସେ ସର୍ବଦା ରାଜକାର୍ଯ୍ୟରେ ବୃଦ୍ଧ ପିତାଙ୍କର ସହାୟତା କରୁଥା’ନ୍ତି । ଥରେ ରାଜା କୁମାରଙ୍କୁ ତାଙ୍କ ରାଜବଂଶର ଓ ରାଜ୍ୟର ଇତିହାସ ପଢି ଶୁଣାଉଥା’ନ୍ତି । ସେଥିରେ ଲେଖା ଅଛି ଯେ, “ରାଜ୍ୟର ଉତ୍ତର ଦିଗରେ ଥିବା ବନ ମଧ୍ୟରେ ଗୋଟିଏ ବିଷବୃକ୍ଷ ଅଛି । ତା’ର ବିଶେଷତ୍ୱ ଏହି ଯେ ତା’ ମୂଳରେ କେହି ଛିଡାହୋଇ କିଛି କାମନା କଲେ ତାହା ତାକୁ ନିଶ୍ଚୟ ମିଳିଯିବ । ପୂର୍ବଜ ରାଜାମାନେ ସେହି ବୃକ୍ଷର ସହାୟତାରେ ରାଜ୍ୟର ଅନେକ ସମସ୍ୟା ସମାଧାନ କରିଛନ୍ତି ।”

                ରାଜବର୍ଦ୍ଧନ ପୋଥିରୁ ସେଇଟା ପଢିବା ପରେ ଉତ୍ତର ପଟ ବନକୁ ଯାଇ ସେ ବିଷବୃକ୍ଷକୁ ଖୋଜିଲେ । ଦଶଦିନ କାଳ ଅକ୍ଳାନ୍ତ ପରିଶ୍ରମ କରି ଶେଷକୁ ସେ ସେହି ବୃକ୍ଷଟି ପାଇଲେ । ତା’ପରେ ସେ ତାଙ୍କ ମନେ ମନେ ନାନା ପ୍ରକାର ଯୋଜନା ପ୍ରସ୍ତୁତ କଲେ କିପରି ବିଷବୃକ୍ଷର ଶକ୍ତିକୁ ରାଜକାର୍ଯ୍ୟରେ ଓ ଲୋକହିତକର କାର୍ଯ୍ୟରେ ଉପଯୋଗ କରି ପାରିବେ ।

                ଦିନେ ସେ ବସି ବିଷବୃକ୍ଷ ବିଷୟରେ ଭାବୁଥା’ନ୍ତି ଠିକ୍ ଏଇ ସମୟରେ ସେନାପତିଙ୍କ ପତ୍ନୀ ଶାନ୍ତି ସେଠାରେ ଆସି ପହଁଚି ରାଜବର୍ଦ୍ଧନଙ୍କୁ ନମସ୍କାର କରି କହିଲେ, “ଯୁବରାଜ, ମୋର ସ୍ୱାମୀଙ୍କୁ ଆପଣ ସୀମାନ୍ତ ଅଂଚଳକୁ ପଠାଇଛନ୍ତି, ମୋ ପିଲାମାନେ ଦୁଇଦିନ ହେବ କିଛିବି ଖାଇ ନାହାଁନ୍ତି କାରଣ ସେମାନେ ତ ସର୍ବଦା ତାଙ୍କ ପିତାଙ୍କ ସହ ଭୋଜନ କରନ୍ତି ।

                ରାଜବର୍ଦ୍ଧନ ବିଷବୃକ୍ଷ କଥା ମନେ ପକାଇ କହିଲେ, “ଆଚ୍ଛା, ଆଚ୍ଛା, ସେ ଆଜିହିଁ ଆସିଯିବେ; ତମେ ଏବେ ତମ ଘରକୁ ଯାଅ ।”

                ତା’ପରେ ଯୁବରାଜ ରାଜବର୍ଦ୍ଧନ ସେ ବିଷବୃକ୍ଷ ସାହାଯ୍ୟରେ ସେନାପତି ରୂପ ନେଇ ତାଙ୍କ ଘରକୁ ଗଲେ । ପିତାଙ୍କୁ ଦେଖି ପିଲାମାନେ ଅତି ଆନନ୍ଦିତ ହୋଇ ନାଚିଲେ, ଡେଇଁଲେ । ପତ୍ନୀ ଶାନ୍ତି ଖୁସି ହୋଇ ନିଜେ ରାନ୍ଧି ଖାଇବାକୁ ଦେଲେ । ସେନାପତିରୂପୀ ଯୁବରାଜ ପିଲାମାନଙ୍କୁ ନିଜ କୋଳରେ ବସାଇ ଖୁଆଇଲେ । ଠିକ୍ ଏହି ସମୟରେ ସେଠାରେ ସେନାପତି ଆସି ପହଁଚିଲେ । ସେ ଦେଖିଲେ ତାଙ୍କରି ପରି ଅବିକଳ ଦେଖିବାକୁ ଜଣେ ବ୍ୟକ୍ତି ତାଙ୍କରି ଆସନରେ ବସି ତାଙ୍କରି ପିଲାଙ୍କୁ ଖୁଆଇ ଦେଉଛନ୍ତି । ଏସବୁ ଘଟଣା ଦେଖି ତାଙ୍କ ମଥା ହଠାତ୍ ଗରମ ହୋଇଗଲା । ସେ ଗୋଟାଏ ବାଡି ଉଠାଇ ନେଇ ଯୁବରାଜଙ୍କୁ ପ୍ରହାର କରୁ କରୁ କହିଲେ, “ଆରେ ଏ ଦୁଷ୍ଟ ତୁ କିଏ? କୌଣସି ତାନ୍ତ୍ରିକ ନା ମାୟାବୀ? ତୋର ପୁଣି ଏଡେ ସାହସ ଯେ ତୁ ମୋ ରୂପ ନେଇ ମୋରି ଘରେ ବସି ମୋ ସ୍ତ୍ରୀର ସେବା ପାଉଛୁ ଓ ପିଲାମାନଙ୍କୁ ଧରି ଚଳୁଛୁ? ଏହା କି ଆସ୍ପର୍ଦ୍ଧ? କହ ତୁ କିଏ?” ଏତିକି କହୁ କହୁ ସେ ସେନାପତିରୂପୀ ଯୁବରାଜଙ୍କୁ ବହୁତ ପିଟି ପକାଇଲେ ।

                ଏପରି ଅଚାନକ ଭାବରେ ପ୍ରହାର ଖାଇ ଯୁବରାଜ ସେଇଠି ଟଳି ପଡୁ ପଡୁ ସବୁକଥା ଖୋଲି ସେନାପତିଙ୍କୁ କହିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଦଶଦିନ ଲାଗିଲା ।

                କିଛିଦିନ ପରେ; ଦିନେ ଯୁବରାଜ ଛଦ୍ମବେଶରେ ରାଜ୍ୟର ହାଲ୍ ବୁଝିବାପାଇଁ ରାତିରେ ବାହାରିଥା’ନ୍ତି । ସେ ଯାଉ ଯାଉ ଗୋଟିଏ ଘର ମଧ୍ୟରୁ ସ୍ୱାମୀ ସ୍ତ୍ରୀଙ୍କର କଳି ଶୁଣିପାରିଲେ । ସେ କାନ୍ଥ ପାଖରେ କିଛି ସମୟ ଠିଆ ହୋଇ ସେମାନଙ୍କ କଳି ଓ କଥାବାର୍ତ୍ତା ଶୁଣି ସେମାନଙ୍କ କଳିର କାରଣ ବୁଝିବାକୁ ଚେଷ୍ଟା କଲେ ।

                ସ୍ତ୍ରୀ ରାଗିଯାଇ କହୁଥାଏ, “ଆମ କମଳା ସାଙ୍ଗର ସବୁ ଝିଅ ତ ବାହା ହୋଇ ଗଲେଣି । ତମେ କ’ଣ ଆମ ଝିଅକୁ ଆଜୀବନ କୁମାରୀ ରଖିବ?”

                ସ୍ୱାମୀ କହୁଛି “ଆରେ ତମେ କାହିଁକି ରାଗୁଛ? ବିହାରୀ ଆସିଯାଉ ଦେଖିବ ଏକାଦିନକେ ବାହାଘର ଶେଷ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ