ଭାବନାଭୂତ

କିଟ୍ମିଟ୍ ଅନ୍ଧକାର । ଆଖିକୁ ମଧ୍ୟ କିଛି ଦିଶୁନି । ରହି ରହି ସେ ଜଙ୍ଗଲ ମଧ୍ୟରୁ ଶୃଗାଳର ହୁକ ହୋ ଶବ୍ଦ ମଝିରେ ମଝିରେ ଶୁଭୁଛି । ମଶାଣୀ ପାଖ ବର ଗଛ ମୂଳେ ଜୁଇ କେତେ ବେଳୁ ଜଳି ଜଳି ଲିଭି ଯାଉଛି । ହେଲେ ସେହି ଜୁଇ ଭିତରେ ଗୋଟେ ଚିରୁଗୁଣୀ ପଶି ତା ପାଟି ମେଲେଇ ଦେଲେ ତା’ ଭିତରେ ନିଆଁ ଦେଖା ଯାଉଛି । ପାଟି ବନ୍ଦ କରି ଦେଲେ ଧପ୍ କରି ନିଆଁ ଲିଭି ଯାଉଛି । ଅଜୟ ଏହା ସବୁ ଦେଖି ଭୟରେ ଥରିବାକୁ ଲାଗିଲା । କିପରିବା ସେ ସେହି ବାଟ ଦେଇ ଯିବ? ସେତ ଫିଲ୍ମି ଦେଖିବାକୁ ସାଇକେଲ୍ ନେଇ ଯାଇ ଥିଲା ଫିଲ୍ମି ସରିବା ପରେ ସେ ଫେରୁ ଥିଲା । କଂଟା ବାଉଁଶ ବଣ ତିନି ପଟେ ତା ମଧ୍ୟରୁ କେବଳ ସାଇଁ ସାଇଁ ଶବ୍ଦ ଆସୁଛି । ବର ଗଛଟା ରାସ୍ତା ପାଖରେ । ସେ ରାସ୍ତାଟା ଲମ୍ବି ଯାଇଛି ସିଧା ଗ୍ରାମକୁ । ଗାଁଟା ପ୍ରାୟ ପାଂଚ ଶହ ଫୁଟ ମଧ୍ୟରେ ଅବସ୍ଥିତ । ଗଲାବେଳେ ତ ଅଜୟ ଏକାକୀ ଯାଇ ଥିଲା । ସେ ଏକୁଟିଆ ଏମିତି କେତେ ଥର ଫିଲ୍ମି ଦେଖି ଫେରିଛି । କାହିଁ କେଉଁଦିନ ସେ ଏପରି ଦେଖିନି । ଚିରୁଗୁଣୀଟା ଏମିତି ନିଆଁ ଧପ ଧପ କରୁଛି । ଅଜୟ ଜମା ଜାଣିନି ଯେ ସେଦିନ କାହାର ମୃତ୍ୟୁ ହୋଇଛି କି କାହାର ଜୁଇ ଜଳୁଛି ।

                ଅଜୟର ଆଉ କିଛି ଉପାୟ ନ ଥିଲା । ଭୟରେ ଛାତିଟା ତାର ଉଠପଡ ହେଉ ଥିଲା । କିଛି ଦୂରରୁ ଏ ଦୃଶ୍ୟ ଦେଖି ସାଇକେଲ୍ ଗୋଡ ଲଗାଇ ଅଜୟ ଛିଡା ହେଲା ଛାତିକୁ ଧରି ଦମ୍ଭ ନେଲା । ପ୍ରଭୁ ସଦାଶିବଙ୍କୁ ମଧ୍ୟ ହାତ ଯୋଡି ପ୍ରଣାମ କଲା । ପାଖରେ ଲୁହା ସାଇକେଲ୍ ଅଛି । ସେହି ସମୟରେ ତାର ଆଈ ମାଆ କଥା ମନେ ପଡିଲା । ସିଏ କୁହନ୍ତି ପାଖରେ ଲୁହା ଥିଲେ କୌଣସି ଭୂତ, ପ୍ରେତ, ଚିରୁଗୁଣୀ ପାଖକୁ ଆସିବେନି । ଏଥର ସାହାସ ବାନ୍ଧି ସେ ଆଡକୁ ନଚାହିଁ ଫୁଲ୍ଦମ୍ରେ ଅଜୟ ସାଇକେଲ୍ ପେଡିଲ୍ ମାଇଲା । ସେ ବର ଗଛ ଆଡକୁ ଚାହିଁବାକୁ ଯେତେ ନଚାହିଁଲେବି ତାକୁ ତା ଦୃଷ୍ଟି ବଳେ ବଳେ ସିଆଡେ ନେଇ ଯାଉ ଥିଲା । କିନ୍ତୁ ଅଜୟ ସେଠାରୁ ନିଜର ଦୃଷ୍ଟି ଫେରାଇ ଧଇଁ ସଇଁ ହୋଇ ତା ଗାଁରେ ଯାଇ ପ୍ରବେଶ କଲା । ସେ ଶୁଣିଲା ତା ପଛରୁ ସାଇଁ ସାଇଁ ଶବ୍ଦ ସହ କିଏ ଡାକିଲା ପରି । ଅଜୟ ତା ଘର କବାଟ ବାଡେଇଲା ଦାଣ୍ଡଟା ମଧ୍ୟ ନିଶୁନ୍ । କେବଳ ଖାଁ ଖାଁ ଅଜୟକୁ ଲାଗୁ ଥାଏ । କବାଟ କେଁ କରି ତାର ମାଆ ଖୋଲି ଦେବାରୁ ଅଜୟ ଚମକି ପଡିଲା । ସାଇକେଲ୍ ଘର ଭିତରକୁ ଟେକି ନେଇ ଘରେ ତାକୁ ଥୋଇ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ