କୃଷ୍ଟାବତାର

ନାରଦ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀଙ୍କ ବିଷୟରେ ସମସ୍ତ ସମ୍ବାଦ ଦେବା ପରେ ଶ୍ରୀକୃଷ୍ଣ କୁଣ୍ଡୀନ ନଗରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ସେ ତାଙ୍କର ଭାଇ ବଳରାମ, ସେନାପତି ସାତ୍ୟକି ଓ ଅନ୍ୟାନ୍ୟ ଯାଦବବୀର ମାନଙ୍କୁ ଡକାଇ କହିଲେ, “ଆପଣମାନେ ଶୁଣିଲେ ତ ନାରଦ ଯାହା କହିଗଲେ? ଯେ କୌଣସି ମତେ ଆମେମାନେ ସେଠାକୁ ଯାଇ ରୁକ୍ମିଣୀକୁ ଉଦ୍ଧାର କରିବା । ଜଣେ ନିଃସହାୟ ରାଜକୁମାରୀକୁ ତା’ର ଇଚ୍ଛା ବିରୁଦ୍ଧରେ ବିବାହ ଦିଆଯାଉଛି; ପୁଣି ସେ ତା’ ମନରେ ମୋତେହିଁ ବରଣ କରିଛି ଓ ମୋତେ ନ ପାଇଲେ ସେ ଆତ୍ମହତ୍ୟା କରିବ, ଏସବୁ ଶୁଣିବା ପରେ ମୁଁ କିପରି ସ୍ଥିର ରହିବି? ଅଧିକନ୍ତୁ ତାକୁ ରକ୍ଷା କରିବାକୁ ସେ ଅନୁରୋଧ କରି କହି ପଠାଇଛି । ଆହୁରି ମଧ୍ୟ ସମସ୍ତେ ଜାଣନ୍ତି ଯେ ସେ ଲକ୍ଷ୍ମୀ ଅଂଶରେ ଜନ୍ମ ହୋଇଛି । ତେଣୁ ସାଧାରଣ କୌଣସି ମଣିଷକୁ ସେ କେବେବି ବିବାହ କରିପାରିବ ନାହିଁ । ଏବେ ଯେତେ ଡେରି ହେବ ସେତେ ବିପଦ । ବିବାହ ପୂର୍ବରୁ ଯେମିତି ହେଲେ ମଧ୍ୟ ଆମମାନଙ୍କୁ ସେଠାରେ ପହଁଚିବାକୁ ହେବ । ସେନାପତିମାନେ ଯଥାଶୀଘ୍ର ସୈନ୍ୟ ସଜ୍ଜା କରନ୍ତୁ । ସାତ୍ୟକି ଯାଦବବୀରମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ସମ୍ମୁଖରେ ରହିବେ । ବଳରାମ ମଝିରେ ରହିବେ ଓ ଶେଷରେ ଉଗ୍ରସେନ ରହିବେ । ମୁଁ ସମସ୍ତ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହୋଇ ସମ୍ମୁଖ ଭାଗରେ ରହିବି ।”

                ଅନତିବିଳମ୍ବେ ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ ସୈନ୍ୟବାହିନୀ ଓ ଯାଦବବୀରମାନେ ପ୍ରସ୍ତୁତ ରହିଲେ । ଶୁଭସୂଚକ ବାଦ୍ୟ ସବୁ ବଜାଗଲା । ଶ୍ରୀକୃଷ୍ଣ ବୀର ବେଶରେ ସଜ୍ଜିତ ହୋଇ ରଥରେ ବସିଲେ । ତା’ପରେ ଯାତ୍ରା ଆରମ୍ଭ ହେଲା ।

ଶ୍ରୀକୃଷ୍ଣ ନାନା ପ୍ରକାର ଆୟୁଧରେ ସଜ୍ଜିତ ହୋଇ, ନାନା ପ୍ରକାର ବେଶ ଓ ଅଳଙ୍କାର ଧାରଣ କରି ରଥରେ ବସିଥାନ୍ତି । ଯଥା ସମୟରେ ବିରାଟ ସେନାବାହିନୀ ଓ ଯାଦବବୀରମାନଙ୍କ ସହିତ ଶ୍ରୀକୃଷ୍ଣ ଯାଇ ବିଦର୍ଭ ଦେଶରେ ପହଁଚିଲେ । ଶ୍ରୀକୃଷ୍ଣ ସୈନ୍ୟମାନଙ୍କୁ ଓ ସେନାପତିମାନଙ୍କୁ ଦୂରରେ ରଖି ସ୍ୱୟଂ ଅଳ୍ପ କେତେକ ସୈନ୍ୟ ସାଙ୍ଗରେ ଧରି କୁଣ୍ଡୀନ ନଗରୀରେ ଯାଇ ପହଁଚିଲେ । ଶ୍ରୀକୃଷ୍ଣଙ୍କୁ ଦେଖି ରୁକ୍ମିଣୀଙ୍କ ପିତା ଭୀଷ୍ମକ ତାଙ୍କ ଅନ୍ତର ମଧ୍ୟରେ ଅତ୍ୟନ୍ତ ଆନନ୍ଦିତ ହେଲେ । କିନ୍ତୁ ଅନ୍ୟମାନେ ଆଶ୍ଚର୍ଯ୍ୟ ହେଲେ କାରଣ ଶ୍ରୀକୃଷ୍ଣଙ୍କୁ ତ ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇ ନଥିଲା! ପୁଣି ରାଜକନ୍ୟାଙ୍କର ବିବାହ, ପ୍ରଥା ଅନୁଯାୟୀ ସ୍ୱୟମ୍ବର ଦ୍ୱାରା ହୁଏ । କିନ୍ତୁ ଏଠାରେ ଅଭିଭାବକମାନଙ୍କ ଇଚ୍ଛାରେ ରୁକ୍ମିଣୀଙ୍କ ବିବାହ ହେଉଛି । ତେଣୁ ନିମନ୍ତ୍ରିତ ନ ହୋଇ ମଧ୍ୟ ଶ୍ରୀକୃଷ୍ଣ ଏଠାକୁ କିପରି ଆସିଲେ? କେହି କେହି କହିଲେ ଶିଶୁପାଳ ତ ଯେତେହେଲେ ବି ତାଙ୍କର ପିଉସୀ ପୁଅ ଭାଇ । ତେଣୁ ସେ ଆସିଛନ୍ତି । ପୁଣି କିଏ କହିଲା, “ନାଁ ଶିଶୁପାଳ ଓ ଜରାସନ୍ଧ ତ ଶ୍ରୀକୃଷ୍ଣଙ୍କ ନିଜର ଶତ୍ରୁ ପରି ଦେଖନ୍ତି । ତେଣୁ ସେ ଏଠାକୁ କିପରି ଆସିଛନ୍ତି?”

କିଏ ବା କହିଲା, “ରୁକ୍ମିଣୀଙ୍କ ବିବାହ ଅତି ସମାରୋହରେ ହେଉଛି । ତେଣୁ ଯାଦବମାନେ ଏ ସୁଯୋଗ ଛାଡି ନପାରି ଲୋଭଗ୍ରସ୍ତ ହୋଇ ଆସିଛନ୍ତି । ଏତେବଡ ଆନନ୍ଦ, ଉତ୍ସବ, ସମାରୋହ କେଉଁଠି ବା ଆଉ ଦେଖିବାକୁ ମିଳିବ?”

କିନ୍ତୁ ରୁକ୍ମିଣୀ ଯେତେବେଳେ ଶ୍ରୀକୃଷ୍ଣଙ୍କ ଆଗମନର ଖବର ପାଇଲେ ତାଙ୍କୁ ଲାଗିଲା ଗ୍ରୀଷ୍ମଋତୁରେ ତପ୍ତ ହୋଇଥିବା ପୃଥିବୀ ଉପରେ ଶୀତଳ ଜଳର ବର୍ଷା ପଡିଲା । ସେ ତାଙ୍କ ମନେ ମନେ ଭାବିଲେ, “ମୋର ଏ ଭୟଙ୍କର ଦୁର୍ଦ୍ଦିନରେ ଭଗବାନ୍ କୃଷ୍ଣଙ୍କୁ ଥରେ ଅନ୍ତତଃ ଦେଖିବି । ହୁଏତ ସେ ମୋର ଏ ଦୁଃଖପୂର୍ଣ୍ଣ ପରିସ୍ଥିତିକୁ ହୃଦୟଙ୍ଗମ କରି ମୋର ଉଦ୍ଧାର ପାଇଁ ଏଠାକୁ ଆସିଛନ୍ତି । ଯଦି ତାହା ହୋଇ ନଥାଏ ତେବେ ଜୀବନ ସାରା ଯାହା ନାମରେ ମୁଁ ମୋ ନିଜକୁ ସମର୍ପଣ କରିଛି ତାଙ୍କୁହିଁ ଥରେ ଆଖିରେ ଦେଖିବି ଓ ବିବାହ ବେଦୀକୁ ଯିବା ପୂର୍ବରୁ ପ୍ରାଣ ବିସର୍ଜନ ଦେବି । କାରଣ କୃଷ୍ଣାର୍ପିତ ଏ ମନ, ପ୍ରାଣ ନେଇ ମୁଁ ପୁଣି ଆଉ କାହାକୁ ଓ କିପରି ବା ବିବାହ କରିବି? ଯାହା ସେହି ଲୀଳାମୟଙ୍କ ଇଚ୍ଛା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ