ଭୂତଙ୍କ ସହାୟତା

କନକପୁରର କମଳେଶ ସହରରେ ଚାକିରୀ କରେ । ସେ ପ୍ରତିଦିନ ସକାଳୁ ସହରକୁ ଯାଏ ଓ ସଂଧ୍ୟାରେ ଘରକୁ ଫେରେ । ପିଲାଦିନରୁ ବାପ ମରିଯିବାରୁ, ତା’ର ମା’ ବହୁକଷ୍ଟରେ ତାକୁ ପାଳିପୋଷି ମଣିଷ କରିଛି ।

                କମଳେଶର କଣ୍ଠ ବଡ ମଧୁର ଥିଲା । ଦିନେ ସେ ତା ମା’ଙ୍କର ଅନୁରୋଧରେ ତାଙ୍କୁ ଗୀତ ଗାଇ ଶୁଣାଉଥିଲା । ତା’ର ମା’ ଆଖି ବନ୍ଦ କରି ଶୁଣୁଥିଲେ; ସେ ଏତେ ମୁଗ୍ଧ ହୋଇଗଲେ ଯେ ଆଉ ଆଖି ଖୋଲିଲେ ନାହିଁ; ଚିରଦିନ ପାଇଁ ସେ ମହାନିଦ୍ରାରେ ହଜିଗଲେ । ମା’ର ମୃତ୍ୟୁ ପରେ କମଳେଶ ପୁରାପୁରି ଅନାଥ ହୋଇଗଲା । ତା’ର ନିଜର ବୋଲି ସାରା ସଂସାରରେ ଆଉ କେହିବି ନଥାଏ । ଏଣୁ ନିଜେ ରନ୍ଧାବଢା କରି ସେ ଖାଏ । ତା’ର ସାଙ୍ଗସାଥୀମାନେ କହିଲେ, “ଆରେ ଏମିତି ଆଉ କେତେଦିନ ଚଳିବୁ? ଭଲ କନ୍ୟାଟିଏ ଦେଖି ତାକୁ ବାହା ହୋଇ ପଡ ।”

                ବିବାହ କଥା ଶୁଣିବା ମାତ୍ରେ ତା’ ମନରେ ହଠାତ୍ ପାର୍ବତୀର କଥା ଆସିଲା । ପାର୍ବତୀର ବାପା ଜଣେ ଛୋଟ ବ୍ୟବସାୟୀ । ପାର୍ବତୀ ତାଙ୍କର ଗୋଟିଏ ବୋଲି ଝିଅ । ସେ ଦେଖେ ପ୍ରତିଦିନ ପାର୍ବତୀ ଗ୍ରାମ ଶେଷରେ ଥିବା ଶିବ ମନ୍ଦିରକୁ ଫୁଲ ନେଇ ପୂଜା କରିବାକୁ ଯାଏ । କିନ୍ତୁ କେବେ ହେଲେବି ସେ ତା’ ସହିତ କଥା ହୋଇ ନାହିଁ ।

                ଦିନେ ସଂଧ୍ୟାରେ ସେ ସହରରୁ ଫେରି ଦେଖିଲା, ପାର୍ବତୀ ଫୁଲ ତୋଳୁଛି । କମଳେଶ ସାହସ କରି କହିଲା, “ମୁଁ ତୁମକୁ ପ୍ରତିଦିନ ଦେଖେ, କିନ୍ତୁ କଥା କହିବାକୁ ଚାହିଁଲେ ମଧ୍ୟ କଥା କହିବାର ସୁଯୋଗ ପାଏ ନାହିଁ । ତୁମେ ଦେଖୁଛ ଯେ ମୁଁ କିପରି ଏକାକୀ ଓ ମାତୃହୀନ; ମୋତେ ସାହାଯ୍ୟ କରିବାକୁ ତୁମର କ’ଣ ଇଚ୍ଛା ହୁଏ ନାହିଁ?”

                ପାର୍ବତୀ କହିଲା, “ମୁଁ ଜାଣେ ତୁମେ ଖୁବ୍ ଭଲ ଗୀତ ଗାଇପାର । କିନ୍ତୁ ତରବାରୀ ଚଳାଇ ପାର କି? ତୁମକୁ ଜଣେ ସାହସୀ ବୋଲି କୁହାଯାଇ ପାରିବ କି? ଲୋକେ ତୁମର ଖୁବ୍ ପ୍ରଶଂସା କରନ୍ତି । କିନ୍ତୁ ତାହା କେବଳ ମୁଣ୍ଡ ତଳକୁ କରି ଚାଲ ବୋଲି । ମୁଣ୍ଡ ଉଠାଇ ଚାଲିବା ଭଳି ନା ତୁମର ସାହସ ଅଛି, ନା ଆର୍ଥିକ ସାମର୍ଥ୍ୟ । ପୁଣି ତୁମେ ନିଜକୁ କେବେ ଦର୍ପଣରେ ଦେଖିଛ? ତୁମେ ମନେରଖ ତୁମକୁ ସାହାଯ୍ୟ କରିବା ପାଇଁ ମୋ ମନରେ ତିଳେ ମଧ୍ୟ ଦୟା ନାହିଁ । ଏପରି ପ୍ରସ୍ତାବ ଭବିଷ୍ୟତରେ ଆଉ ଯେପରି କେବେବି କରିବ ନାହିଁ ।” ଏତିକି କହି ସେ ସେଠାରୁ ଚାଲି ଯିବାକୁ ଉଦ୍ୟତ ହେଲା ।

                କମଳେଶ କିଛି କହିବା ପୂର୍ବରୁ ପାର୍ବତୀ ତୋଳିଥିବା ଫୁଲକୁ ଫିଙ୍ଗି ଦେଇ ଚାଲିଗଲା । ଏପରି ବ୍ୟବହାରରେ କମଳେଶର ମନ ଦୁଃଖରେ ଭାଙ୍ଗି ପଡିଲା । ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ସେ ନିରାସକ୍ତ ଭାବରେ ଜଙ୍ଗଲ ଆଡକୁ ଚାଲିଲା ।

                ସେଦିନ ନିର୍ମଳ ଜ୍ୟୋସ୍ନାରାତ୍ରି ଥିଲା । ସେ ଯାଇ ଗୋଟାଏ ପଥର ଉପରେ ବସିପଡି ତା’ ମା’ର ପ୍ରିୟ ଗୀତଟି ବୋଲିବାକୁ ଆରମ୍ଭ କଲା । ଗୀତ ଶେଷ ହେବାବେଳକୁ ଗୋଟିଏ ଗଛର ପଛପଟରୁ କିଛି ଶବ୍ଦ ଶୁଣାଗଲା; ଯେପରି କିଏ କହୁଛି; “ଆଃ କି ମଧୁର, କି ଅଦ୍ଭୁତ ଗୀତ । ଆମେ ଏହି ରାଗ ବିଷୟ ଜାଣିନାହୁଁ, କିନ୍ତୁ ଆମ ଚେତନା ସଙ୍ଗୀତ ସାଗର ମଧ୍ୟରେ ଡୁବିଗଲା ।” ଏତିକି କହି ତିନୋଟି ଭୂତ ତାଳି ମାରି ମାରି ତା’ ସମ୍ମୁଖରେ ଆସି ଛିଡା ହେଲେ ।

                ଜୀବନ ପ୍ରତି ବିମୁଖ କମଳେଶ ସେ ଭୂତମାନଙ୍କୁ ଦେଖି ଆଦୌ ଭୟ କଲା ନାହିଁ । ଭୂତମାନେ କହିଲେ, “ତମେ ଯେଉଁ ଗୀତ ଗାଇଲ, ତାହା ଅତି ସୁନ୍ଦର, କିନ୍ତୁ ବିଷାଦରେ ଭରା । ଏବେ ଉଲ୍ଲାସରେ ଭରା କୌଣସି ଏକ ଗୀତ ବୋଲି ଆମକୁ ଆନନ୍ଦିତ କର ।”

                କମଳେଶ ଦୀର୍ଘ ନିଃଶ୍ୱାସ ପକାଇ କହିଲା “ମୋ ଜୀବନରେ ତ ସବୁ ଆନନ୍ଦ ଲୋପ ପାଇ ଯାଇଛି । ବିଷାଦଭରା ଗୀତହିଁ ବୋଲି ପାରିବି । ଆନନ୍ଦଭରା ଗୀତ ବୋଲିବା ମୋ ପାଇଁ ଏବେ ଅତ୍ୟନ୍ତ କଷ୍ଟସାଧ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ