ସର୍ବୋଚ୍ଚ ନ୍ୟାୟାଳୟ

ରାଜା ଶୁଭ୍ରାଂଶୁ ସେତେବେଳେ ଚମ୍ପାବତୀ ରାଜ୍ୟରେ ରାଜୁତି କରୁଥିଲେ । ସେ ପିଲାବେଳେ ଗୋଟିଏ ଗୁରୁକୂଳରେ ପାଠ ପଢିଥିଲେ । ତାଙ୍କ ସ୍ୱଭାବ ଭଲ ଥିଲା ଓ ସେ ନ୍ୟାୟପରାୟଣ ଥିଲେ । ତେବେ ତାଙ୍କର ଗୋଟିଏ ବିଶେଷ ଦୁର୍ବଳତା ଥିଲା । ସେ ତାଙ୍କ ରାଣୀଙ୍କ କଥାକୁ କେବେବି ଏଡାଇଦେଇ ପାରୁ ନଥିଲେ । ସେ ରାଣୀ ରୂପମତୀ ଓ ବୁଦ୍ଧିମତୀ ଥିଲେ ଠିକ୍, କିନ୍ତୁ ତାଙ୍କ ଭିତରେ କୌଣସି ମହତ୍ତ୍ୱ ବା ଉଦାରତା ନଥିଲା । ତାଙ୍କ କଥା ରକ୍ଷା କରିବାକୁ ଯାଇ ରାଜା ମଧ୍ୟ ଅନେକ ସମୟରେ ଭୁଲ୍ ଭାଲ୍ କାମ ସବୁ କରୁଥିଲେ ।

                ଏଥିରେ କେହି ଏମିତି ବିଶେଷ ଆପତ୍ତି କରନ୍ତି ନାହିଁ । କିନ୍ତୁ କାଳ ହେଲା ରାଣୀଙ୍କ ସାନ ଭାଇ ସୁକୁମାର । ସେ ଟୋକା ରାଜାଙ୍କ ନଅରରେ ପଡିଥାଏ । ଗୁଡାଏ ଅକର୍ମା ସାମନ୍ତ ଟୋକା ତା’ ମିତ୍ର ହୋଇଥାନ୍ତି । ରାଣୀ ତାଙ୍କର ସେ ଭାଇଟିକୁ ବହୁତ ସ୍ନେହ କରୁଥାନ୍ତି । ରାଜା ବି ତାଙ୍କ ଶଳାର ସବୁ ଆବ୍ଦାର ପୂରଣ କରୁଥାନ୍ତି । ଫଳରେ ସୁକୁମାର ଦୁର୍ଦ୍ଦାନ୍ତ ହୋଇ ଯାହା ଇଚ୍ଛା ତାହା କରୁଥାଏ । ଲୋକଙ୍କ ଉପରେ ମନଇଚ୍ଛା ଜୁଲୁମ୍ କରୁଥାଏ । ଜୁଆ ଖେଳିବା ପାଇଁ ପଇସା ଅଭାବ ପଡିଲେ ଦୋକାନ ହାଟକୁ ଯାଇ ଦୋକାନୀମାନଙ୍କଠାରୁ ନୂଆ ନୂଆ କର ଆଦାୟ କରୁଥାଏ । ସମସ୍ତେ ଭାବୁଥିଲେ ସିଏ ଯାହା କରୁଛି ତାହା ପଛରେ ନିଶ୍ଚୟ ରାଜାଙ୍କ ସମର୍ଥନ ଅଛି । ଅତଏବ ତାକୁ କେହି କିଛିବି କହି ପାରୁ ନଥାନ୍ତି । ମନ୍ତ୍ରୀ ଥରେ ଅଧେ ରାଜାଙ୍କୁ ତାଙ୍କ ଶଳାର ଦୁଷ୍ଟାମି ବିଷୟରେ ସଚେତନ କରାଇ ଦେବାକୁ ଚେଷ୍ଟା କଲେ । ରାଜା ଶୁଣି ବି ନ ଶୁଣିଲା ଭଳି ରହିଲେ ।

ରାଜ୍ୟର ଗୋଟିଏ ଗାଁରେ ଜୟମଲ୍ଲ ନାମକ ଜଣେ ଯୁବକ ଥାଏ । ସେ ଥରେ ତା’ର ଦୁଇଟି ସୁଠାମ ଘୋଡା ବିକ୍ରି କରିବାକୁ ରାଜଧାନୀର ହାଟକୁ ନେଇ ଆସୁଛି, ତାକୁ ସୁକୁମାର ଦେଖି ପକାଇଲା । ଜୟମଲ୍ଲର ସୁନ୍ଦର ଘୋଡା ଦୁଇଟି ଉପରେ ତା’ର ଆଖି ପଡିଲା । ସେ ରୁକ୍ଷ ଭାବରେ କହିଲା, “ଆରେ ଟୋକା! ଏ ଘୋଡା ଦୁଇଟି ମୋର ଦରକାର ।”

ସେତେବେଳେ ତ ଜୟମଲ୍ଲ ଆଉ ସୁକୁମାରକୁ ଚିହ୍ନି ନଥିଲା । ତେଣୁ ସୁକୁମାର କଥାର ଢଙ୍ଗଢାଙ୍ଗ ତାକୁ ମୋଟେ ଭଲ ଲାଗିଲା ନାହିଁ । ତେବେ ସେ ନିଜର ବିରକ୍ତି ପ୍ରକାଶ ନ କରି କହିଲା, “ବେଶ୍! ଏ ଘୋଡା ଦୁଇଟିର ମୂଲ୍ୟ ଏକ ଶହ ସ୍ୱର୍ଣ୍ଣ ମୁଦ୍ରା । ତାହା ଦେଇ ଏମାନଙ୍କୁ ମୋଠରୁ ନେଇ ପାର!”

“ଚୋପ୍! ତୋର ଏଡେ ସାହସ ପ୍ରଥମେ ଘୋଡାର ଦାମ୍ ହାଙ୍କୁଛୁ? ଘୋଡା ଧରି ମୋ ପଛେ ପଛେ ଆ! ଜାଣିଛୁ ତ ମୁଁ ଏ ରାଜ୍ୟର ରାଣୀଙ୍କ ଭାଇ?”

ଜୟମଲ୍ଲ କହିଲା “ସାବଧାନ! ଭଦ୍ର ଭାବରେ କଥା କୁହ!” ଏଥିରେ ସୁକୁମାର ଭୀଷଣ ଭାବେ ରାଗିଯାଇ ତା’ ପାଖକୁ ନିଜ ଘୋଡା ନେଇ ଯାଇ ତାକୁ ଚଟକଣି ପକାଇବାକୁ ଉଦ୍ୟତ ହେଲା । ଜୟମଲ୍ଲ ତା’ ହାତ ଧରି ପକାଇ ଘୋଡା ଉପରୁ ତାକୁ ଠେଲି ପକାଇ ଦେଲା ।

ସୁକୁମାର ତଳେ ପଡିଯିବାର ଲୋକେ ଦେଖିଲେ, କିନ୍ତୁ କେହି ହେଲେ ମଧ୍ୟ ତା’ ପାଖକୁ ଆସିଲେ ନାହିଁ । ସେ ଉଠି ପଡି ଆପଣା ଦେହରୁ ବାଲି ଝାଡି ସିଧା ରାଜାଙ୍କ ପାଖରେ ଯାଇ ପହଁଚିଲା ଓ ତାଙ୍କୁ କହିଲା, “ଗୋଟାଏ ଟୋକା ମୋତେ ବାଡେଇଲା ।” ଏକଥା ଶୁଣିବା ମାତ୍ରେ ରାଣୀ ଚଟାପଟ୍ ଉଠି ପଡି ତାଙ୍କ ଭାଇକୁ ଆଉଁସି ପକାଇଲେ । ରାଜା କହିଲେ, “ସାଙ୍ଗରେ ଆଠ ଦଶଜଣ ପ୍ରହରୀ ନେଇଯାଇ ତାକୁ ଚିହ୍ନଟ କରି ଯଥାଶୀଘ୍ର ଏଠାକୁ ଧରିଆଣ ।”

ରାଣୀ କହିଲେ “ଖାଲି ଧରି ଆଣିଲେ କ’ଣ ହେବ? ତାକୁ ଶୂଳିରେ ବସାଅ ।”

ମନ୍ତ୍ରୀ କିଛି କହିବା ପୂର୍ବରୁ ରାଜା ରାଣୀ ସେଠାରୁ ଉଠି ଚାଲିଗଲେ । ଖୁବ୍ ଅଳ୍ପ ସମୟ ଭିତରେ ଜୟମଲ୍ଲ ଧରା ହୋଇ ଆସିଲା । ପ୍ରହରୀ-ସର୍ଦ୍ଦାର ଆସି ରାଜାଙ୍କୁ ପଚାରିଲା, “ବନ୍ଦୀର କ’ଣ କରାଯିବ?” ରାଜାଙ୍କୁ କିଛି କହିବାକୁ ନଦେଇ ରାଣୀ କହିଲେ, “ଶୂଳୀ!” ଏହାପରେ ସେ ପ୍ରହରୀ-ସର୍ଦ୍ଦାର ସେଠୁ ଚାଲିଗଲା । ରାତିରେ କାହାକୁ ପ୍ରାଣଦଣ୍ଡ ଦେବା ନିଷେଧ । ତେଣୁ ସକାଳ ଯାଏଁ ଜୟମଲ୍ଲଙ୍କୁ କାରାଗାରରେ ରଖାଗଲା ।

ରାତିରେ ରାଜାଙ୍କ ଆଖିକୁ ଆଉ ନିଦ ଆସିଲା ନାହିଁ । ସେ ଯାହା, ଶୁଣିବାକୁ ପାଇଥିଲେ, ସେଥିରୁ ଜୟମଲ୍ଲ ଯେ ନିର୍ଦୋଷ ଏକଥା ସ୍ପଷ୍ଟ ହୋଇଯାଇଥିଲା । ତଥାପି ତା’ ପ୍ରାଣଦଣ୍ଡ ବନ୍ଦ କଲେ ରାଣୀ ରାଗିଯିବେ ।

ମଝି ରାତିରେ ରାଜା ଉଠି ଯାଇ ମନ୍ତ୍ରୀଙ୍କୁ ଡକାଇଲେ ଓ ତାଙ୍କୁ କହିଲେ, “ମନ୍ତ୍ରୀବର! କ’ଣ କଲେ ଜୟମଲ୍ଲ ରକ୍ଷା ପାଇବ ଅଥଚ ରାଣୀଙ୍କ ମନରେ କ୍ଷୋଭ ରହିବ ନାହିଁ?”

“ମହାରାଜ! ଜୟମଲ୍ଲ ରାଣୀ ଓ ସୁକୁମାରଙ୍କୁ କ୍ଷମା ଭିକ୍ଷା କରୁ । ତା’ପରେ ଆମେ ତାକୁ ଛାଡି ଦେବା ।”

ମନ୍ତ୍ରୀଙ୍କ ଏ ପ୍ରସ୍ତାବ ରାଜାଙ୍କ ମନକୁ ବେଶ୍ ପାଇଲା । ତା’ପରେ ସେ ରାଜା ଓ ତାଙ୍କ ମନ୍ତ୍ରୀ କାରାଗାରରେ ଯାଇ ପହଁଚିଲେ । ମନ୍ତ୍ରୀ ଜୟମଲ୍ଲକୁ କହିଲେ, “ଯୁବକ! ଯାହା ହେବାର ତ ହୋଇଗଲାଣି । ତମେ କାଲି ଯାଇ ରାଣୀ ଓ ସୁକୁମାରଙ୍କ ପାଖରେ ନିଜର ଔଦ୍ଧତ୍ୟ ଓ ଅସଦ୍ ବ୍ୟବହାର ପାଇଁ କ୍ଷମା ମାଗ । ତା’ପରେ ଯାଇ ତମକୁ ପ୍ରାଣଦଣ୍ଡରୁ ଅବ୍ୟାହତ ଦେବା କଥା ବିଚାର କରାଯିବ ।”

ସେମାନଙ୍କର ଏଭଳି କଥାଶୁଣି ଜୟମଲ୍ଲ ମୃଦୁ ହସ ହସି କହିଲା, “ମନ୍ତ୍ରୀ ମହୋଦୟ! ତାହାର କୌଣସି ଆବଶ୍ୟକତା ନାହିଁ । ମୁଁ ରାଜାଙ୍କ ବିଚାର ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟରେ ମୋର ଯାହା କହିବା କଥା ନିଶ୍ଚୟ କହିବି । ଆଉ ମାତ୍ର କେଇ ଘଂଟା ବାକି!”

ଏହା ଶୁଣି ରାଜା ହସି ପକାଇଲେ ଓ କହିଲେ, “ଯୁବକ! ତମେ ଭୁଲ୍ କରୁଛ । ମୋ ଆଦେଶ ଉପରେ ଆଉ କେଉଁ ନ୍ୟାୟାଳୟ ବା ହସ୍ତକ୍ଷେପ କରିବ?”

ଜୟମଲ୍ଲ ଧୀର କଣ୍ଠରେ କହିଲା, “ମହାରାଜ! ରାଜା ଈଶ୍ୱରଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରନ୍ତି ବୋଲି କୁହାଯାଏ । ଆପଣ ମୋତେ ପ୍ରାଣଦଣ୍ଡ ଦେଉଛନ୍ତି । ମୁଁ ଏହା ବିରୁଦ୍ଧରେ ସିଧା ଯାଇ ଭଗବାନଙ୍କ ପାଖରେ ଅଭିଯୋଗ କରିବି । ବିନା ଅପରାଧରେ ରାଣୀ ଓ ତାଙ୍କ ଭାଇ ପାଖରେ ମୁଁ କାହିଁକି ମୁଣ୍ଡ ନୁଆଁଇବି?”

ତା’କଥା ଶୁଣି ରାଜା ହଠାତ୍ ଚମକି ଉଠିଲେ । ବାସ୍ତବିକ, ଗୋଟାଏ ନିର୍ଦୋଷ ଲୋକକୁ ପ୍ରାଣଦଣ୍ଡ ଦେଲେ ସେ ଭଗବାନଙ୍କ ବିଚାରରୁ ମୁକୁଳି ଯାଇ ପାରିବେ କି? ସେହି ମୁହୂର୍ତ୍ତରେ ତାଙ୍କର ଜ୍ଞାନୋଦୟ ହେଲା । ସେ ଜୟମଲ୍ଲକୁ ମୁକ୍ତି ଦେଲେ ଓ ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀବର! ଏଣିକି ସତ୍ୟହିଁ ହେବ ମୋର ନିଷ୍ପତିର ମାପକାଠି, ରାଣୀ ନୁହଁନ୍ତି କି କୋଉ ଶଳା ବି ନୁହେଁ!”

ମନ୍ତ୍ରୀ ତାଙ୍କୁ ଉତ୍ସାହ ଦେଇ କହିଲେ “ମହାରାଜ ଠିକ୍ କହିଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ