ଚାକରର ବୁଦ୍ଧି

ରଥିପୁରର ଭୂପତିଙ୍କର ଜଣେ ଚାକର ଦରକାର ଥିଲା । ସେ ଏକଥା ତାଙ୍କ ବନ୍ଧୁ କିଶୋରଙ୍କୁ କହିଥିଲେ । କିଶୋର କହିଲେ, “ମୋ ପାଖରେ ଦୁଇ ଜଣ ଚାକର ଅଛନ୍ତି । ସେ ଦୁହେଁ ଭାରି ବିଶ୍ୱାସୀ । ସେ ଦୁହିଁଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ । ସେମାନଙ୍କ ମଧ୍ୟରୁ ଜଣେ ଭାରି ଚତୁର । କାମରେ ବେଶି ମନ ଦିଏ ନାହିଁ କିନ୍ତୁ ବେଶି ବେତନ ମାଗେ । ଅନ୍ୟଟି ଟିକିଏ ବୋକା, ହେଲେ ସେ ଖୁବ୍ ମନପ୍ରାଣ ଦେଇ କାମ କରେ । ବେତନ ମଧ୍ୟ ବେଶି ଦାବୀ କରେ ନାହିଁ । ଏଥିମଧ୍ୟରୁ କେଉଁ ଜଣକ ତୁମର ଦରକାର? କୁହ ମୁଁ ତାକୁ ତୁମ ନିକଟକୁ ପଠାଇଦେବି ।”

                ତା’ପରେ ଭୂପତି ଟିକେ ଭାବିଚିନ୍ତି କହିଲେ “ଗୃହକର୍ତ୍ତା ବୁଦ୍ଧିମାନ ହୋଇଥିଲେ, ଚାକର ବୋକା ହେଲେ ବି ଚଳିବ । କାମ ମନ ଦେଇ କରେ, ସେ ପୁଣି ଭାରି ବିଶ୍ୱାସୀ । ସେଇ ଭଲ ହେବ । ତୁମେ କହୁଛ ସେ ଅଧିକ ବେତନ ମଧ୍ୟ ଦାବୀ କରେ ନାହିଁ । ତେଣୁ ଦ୍ୱିତୀୟଟିକୁହିଁ ପଠାଇଦିଅ ।”

                ତା’ପରେ ଦ୍ୱିତୀୟ ଚାକର ଶଙ୍କର, ଭୂପତିଙ୍କ ପାଖରେ ଯାଇ କାମକଲା । ମାସେ ତା’ର କାମ ଦେଖି ଭୂପତି ଖୁବ୍ ସନ୍ତୁଷ୍ଟ ହେଲେ । ଭୂପତିଙ୍କ ବିବାହିତା ଝିଅ ସହରରେ ଥାଏ । ସେ ଥରେ ତା’ର ଜଣେ ଚାକର ଦ୍ୱାରା ଚିଠିଟିଏ ବାପାଙ୍କ ପାଖକୁ ପଠାଇଥିଲା । ସେଥିରେ ଲେଖିଥିଲା, “ମୋ ନଣନ୍ଦର ବିବାହ ଠିକ୍ ହୋଇଯାଇଛି । ଦୁଇଟି ସବୁଜ ରଙ୍ଗର ଶାଢୀ ପାଇଁ ବରପକ୍ଷ ବରାଦ ଦେଇଛନ୍ତି । ଆସନ୍ତା ଶନିବାର ମଧ୍ୟରେ ଆପଣ ତାହା ପଠାନ୍ତୁ ।”

                ପତ୍ରବାହକ ଭୂପତିଙ୍କୁ କହିଲା, “ମହାଶୟ, ଆଜି ସଂଧ୍ୟାକୁ ମୁଁ ସହର ଫେରିଯାଉଛି । ଆଜି ଯଦି ଶାଢୀ ଦେଇପାରିବେ ତ ମୁଁ ତାହା ନେଇଯିବି ।”

                ଭୂପତି ମଙ୍ଗୁଦାଦାଙ୍କୁ ଖବର ପଠାଇ ଜାଣିଲେ ଯେ ତାଙ୍କ ପାଖରେ ସେପରି ଶାଢୀ ନାହିଁ । ରଙ୍ଗ ଦେଇ ଶାଢୀ ପ୍ରସ୍ତୁତ କରିବାକୁ ନିହାତି କମ୍ରେ ଦୁଇଦିନ ଲାଗିବ ।” ଭୂପତି ସେହି ଲୋକକୁ କହିଲେ, “ତୁମେ ସହରକୁ ଚାଲିଯାଅ । ମୁଁ ଆମ ଲୋକ ହାତରେ ଶାଢୀ ପଠାଇଦେବି ।”

ଭୂପତି ଶଙ୍କରକୁ ଡାକି ସବୁ ବୁଝାଇଦେବା ପରେ, ସେ କହିଲା, “ଆପଣ ନିଶ୍ଚିନ୍ତ ରହନ୍ତୁ । ଶାଢୀ ପ୍ରସ୍ତୁତ ହୋଇଗଲେ ମୁଁ ନିଜେ ଯାଇ ଦେଇ ଆସିବି ।”

ଶୁକ୍ରବାର ଦିନ ପ୍ରବଳ ବର୍ଷା; ସକାଳୁ ବର୍ଷା ସେମିତି ଲାଗିରହିଛି । ବର୍ଷା ଟିକିଏ ବନ୍ଦ ହେବାମାତ୍ରେ ମଙ୍ଗୁଦାଦା ଶାଢୀ ଦୁଇଟି ଧରି ଭୂପତିଙ୍କ ପାଖରେ ଆସି ପହଁଚିଲେ । ସେ କହିଲେ, “ମହାଶୟ ବର୍ଷା ଯୋଗୁଁ ଶାଢୀର ରଙ୍ଗ ଭଲ ଭାବରେ ଶୁଖିନାହିଁ । ସାବଧାନତାର ସହିତ ମୁଁ ବାନ୍ଧି ଦେଇଛି । ଆଉ ଏକଦିନ ପର୍ଯ୍ୟନ୍ତ ଯେପରି ତାହା ପାଣିର ସଂସ୍ପର୍ଶରେ ନଆସେ ।” ଏତିକି କହି ସେ ସେଠାରୁ ଚାଲିଗଲେ ।

ଭୂପତି, ଶଙ୍କରକୁ ଡାକି ସବୁ ବୁଝାଇ ଦେଇ କହିଲେ, “ଶଙ୍କର, ସବୁ ଶୁଣିଲତ? ଏବେ ଏହାକୁ ଯତ୍ନର ସହିତ ସହରକୁ ନେଇଯିବ ।”

ଶଙ୍କର କହିଲା, “ଆପଣ କହିବା ମୁତାବକ ମୁଁ ଏହାକୁ ବହୁତ ଯତ୍ନରେ ନେବି । ଯେପରିକି ବୁନ୍ଦାଏ ପାଣି ମଧ୍ୟ ଏଥିରେ ପଡିବ ନାହିଁ । ମୁଁ ମୋ କଥାରୁ ଭିନ୍ନ କାମ କେବେବି କରେ ନାହିଁ । ମୁଁ ଏବେ ମୋ ଘରକୁ ଯାଇ ଖାଇପିଇ ସେଠାରୁ ଶୀଘ୍ର ସହରକୁ ଯିବି ।”

ସେ ଯିବା ପରେ ଭୂପତି ଓ ତାଙ୍କ ସ୍ତ୍ରୀ ସହରରେ ଥିବା ଝିଅ ବିଷୟରେ ଆଳାପ ଆଲୋଚନା କଲେ । ଭୂପତି କହିଲେ, “ନଣନ୍ଦର ବିବାହ ପାଇଁ ବରବାଲା ଯେଉଁପରି ଶାଢୀ ଚାହୁଁଥିଲେ, ତାହା ଆମ ଝିଅ ଦେଉଛି । ଶାଶୁଘରେ ଆମ ଝିଅର ବହୁତ ପ୍ରଶଂସା ନିଶ୍ଚୟ ହେବ ।”

ଭୂପତି ପୁଣି କହିଲେ, “ଭଲ ହେଲା; ଶଙ୍କର ପରି ବିଶ୍ୱାସୀ ଚାକର ଠିକ୍ ସମୟରେ କାମ ଦେଲା । ନହେଲେ ଶନିବାର ସକାଳୁ ମୋତେହିଁ ସେଠାକୁ ଯିବାକୁ ହୋଇଥା’ନ୍ତା । ଆଜିକାଲି ବେଶି ବୁଲାବୁଲି କରିବାକୁ ମୋତେ ଆଦୌ ଭଲ ଲାଗେନି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ