ଯଥାର୍ଥ ସମାଧାନ

ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ        ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ ।

                ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ । ସେ ଖାଲି ଈର୍ଷାରେ ଜଳିଲା । ଦିନେ ସେ ଯାଇ ଗ୍ରାମର ମୁଖିଆଙ୍କୁ କହିଲା, “ମହାଶୟ, ବସନ୍ତ ଜଣେ ସାଧାରଣ ମଧ୍ୟବିତ୍ତ ସ୍ତରର ଲୋକ । ଗରିବଙ୍କ ଠାରୁ ବହୁତ ସୁଧ ଖାଇ ସେ ଧନୀ ହୋଇଛି । ଗରିବଙ୍କ ରକ୍ତ ଶୋଷିବା ଭଲ କି? ଆପଣ ସେସବୁ ବନ୍ଦ କରାନ୍ତୁ ।”

                ସେ ମୁଖିଆ ତ ଆଗରୁ ବସନ୍ତଠାରୁ କିଛି କିଛି ଟଙ୍କା ଖାଇଥାନ୍ତି । ତେଣୁ ଧନିକ ବାଂଛାନିଧିଙ୍କୁ ବୁଝାଇ ସୁଝାଇ ସେ ପଠାଇଦେଲେ ।

ବାଂଛାନିଧି ଏକଥାରେ ବହୁତ ରାଗିଗଲେ ଓ ରାଜାଙ୍କ ନିକଟକୁ ଯାଇ ସେ ସମସ୍ୟା ବିଷୟରେ ଅଭିଯୋଗ କଲେ । ରାଜା କହିଲେ, “ଠିକ୍ ଅଛି, ମୁଁ ଅଳ୍ପଦିନ ମଧ୍ୟରେ ଜଣେ ଜ୍ଞାନୀ ଲୋକଙ୍କୁ ସେଠାକୁ ପଠାଇବି ଓ ସେଠାରେ ଅବିଳମ୍ବେ ଏକ ପାଠଶାଳା ଖୋଲିବି ।”

ବାଂଛାନିଧି ଆଶ୍ଚର୍ଯ୍ୟ ହୋଇ କହିଲେ “ଆଜ୍ଞା, ମୁଁ ତ ବସନ୍ତର ସୁଧଖୋର ପ୍ରକୃତିକୁ ଓ ମୁଖିଆଙ୍କର ଲାଂଚଖିଆ ପ୍ରକୃତିକୁ ବନ୍ଦ କରିବା ପାଇଁ ଆପଣଙ୍କୁ ଅନୁରୋଧ କଲି । ହେଲେ ପାଠଶାଳା କଥା ତ ମୁଁ କହିନାହିଁ ।” ରାଜା ହସି ହସି କହିଲେ, “ଦେଖ, ବାଂଛାନିଧି! ଆଜି ତାଙ୍କୁ ବନ୍ଦ କଲେ କାଲି ହୁଏତ ପୁଣି ଆଉ କିଏ ସୁଧଖୋର ବା ଲାଂଚଖୋର ଆସିବ । କିନ୍ତୁ ଗ୍ରାମବାସୀ ଶିକ୍ଷିତ ହେଲେ ସେମାନଙ୍କୁ ଆଉ କେହି ମଧ୍ୟ ଠକି ପାରିବେ ନାହିଁ । ତେଣୁ ତାହାହିଁ ଯଥାର୍ଥ ସମାଧାନ । ଏବେ ତୁମେ ନିଶ୍ଚିନ୍ତ ହୋଇ ଘରକୁ ଫେରିଯାଅ । ଅବଶ୍ୟ ସେମାନଙ୍କ ଉପରେ ମୁଁ ମଧ୍ୟ ଦୃଷ୍ଟି ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ