କଳ୍ପବୃକ୍ଷ ଓ ଦୟାଳୁ ରାଜା

ବହୁ ପୁରୁଣା ଯୁଗର କଥା । କାଂଚନପୁର ନାମରେ ଏକ ରାଜ୍ୟ ଥିଲା । ସେଠାରେ ରାଜୁତି କରୁଥିଲେ ରାଜା ଜୀମୂତକେତୁ । ତାଙ୍କ ରାଣୀଙ୍କର ନାଁ ହେଲା କନକବତୀ । ସେ ରାଜାଙ୍କ ଶାସନରେ ତାଙ୍କ ପ୍ରଜାମାନେ ଅତ୍ୟନ୍ତ ସୁଖରେ କାଳ କାଟୁଥାଆନ୍ତି । ରାଜାଘରେ ଅବା ଅଭାବ କ’ଣ? ତଥାପି ବି ସେ ରାଜାରାଣୀଙ୍କ ମନରେ ଆଦୌ ସୁଖ ନଥାଏ । କାହିଁକିନା ତାଙ୍କ କୋଳରେ ପୁଅଟିଏ ନାହିଁ । ତାଙ୍କ ଅନ୍ତେ ଏତେ ବଡ ରାଜ୍ୟର ଉତ୍ତରାଧିକାରୀ କିଏ ହେବ? ବୃଦ୍ଧ ବୟସରେ କିଏ ତାଙ୍କର ଦେଖାଚାହାଁ କରିବ?

ରାଣୀ କନକବତୀ କେତେ ଉପବାସ ଓ ମାନସିକ କଲାପରେ ଯାଇ ତାଙ୍କର ପୁଅଟିଏ ହେଲା । ତେଣୁ ସେ ରାଜମହଲରେ କେତେ ଉତ୍ସବର ଆୟୋଜନ ହେଉଥାଏ । ସମସ୍ତେ ଖୁବ୍ ସୁଖୀ ମଧ୍ୟ ହେଉଥାଆନ୍ତି । ସେ ରାଜାରାଣୀ ତାଙ୍କ ପୁଅର ନାଁ ରଖିଲେ ଜୀମୂତବାହନ ।

ରାଜକୁମାର ଜୀମୂତବାହନ ଦିନକୁ ଦିନ ଚନ୍ଦ୍ରଉଦିଆ ପରି ବଢିବାକୁ ଲାଗିଲେ । ସେ ରାଜକୁମାର ରୂପରେ ଯେମିତି, ଗୁଣରେ ମଧ୍ୟ ଠିକ୍ ସେମିତି । ରାଜାପୁଅ ହେଲେ କ’ଣ ହେଲା, ସେ ଜୀମୂତବାହନ ଅତ୍ୟନ୍ତ ଧୀର, ସୁଶୀଳ ଏବଂ ପରୋପକାରୀ । ମନରେ ତାଙ୍କର ଗର୍ବ ବୋଲି ଟିକିଏ ବି ନାହିଁ । ରାଜକୁମାର ସବୁ ବିଦ୍ୟାରେ ପାରଙ୍ଗମ ହେଲେ ।

ଦିନେ ସେ ମହାରାଜ ଜୀମୂତକେତୁ ରାଜକୁମାର ଜୀମୂତବାହନକୁ ଯୁବରାଜ ପଦରେ ବରଣ କଲେ । ମନ୍ତ୍ରୀ ଆସି ଯୁବରାଜଙ୍କୁ ବେଳେ ବେଳେ ରାଜନୀତି ସମ୍ପର୍କରେ ଶିକ୍ଷା ଦେଉଥାଆନ୍ତି । ଦିନେ ମନ୍ତ୍ରୀ ସେ ରାଜକୁମାରଙ୍କୁ କହିଲେ – “ଯୁବରାଜ ! ଆପଣଙ୍କ ରାଜ ଉଦ୍ୟାନରେ କଳ୍ପବୃକ୍ଷ ରହିଛି । ସେଥିପାଇଁ ଏହି ରାଜବଂଶ ଅତ୍ୟନ୍ତ ଭାଗ୍ୟବାନ୍ । କଳ୍ପବୃକ୍ଷକୁ ପୂଜା କରି ଯାହା ପ୍ରାର୍ଥନା କରାଯାଏ, ସେ ତାହା ଅବିଳମ୍ବେ ପୂରଣ କରେ । ସେଥିପାଇଁ ଏ ରାଜ୍ୟକୁ ଶତ୍ରୁମାନେ ଆକ୍ରମଣ କରିବାକୁ ମୋଟେ ସାହସ କରନ୍ତି ନାହିଁ ।”

ଏହି କଥା ଶୁଣି ସେ ରାଜକୁମାରଙ୍କ ମୁଖରେ ହସ ଫୁଟିଉଠିଲା । ପୁନଶ୍ଚ ଦୁଃଖରେ ସେ ଝାଉଁଳି ପଡିଲେ । ଏସବୁ ଦେଖି ସେ ମନ୍ତ୍ରୀଙ୍କର ଆଉ ସାହସ ହେଲା ନାହିଁ ରାଜକୁମାରଙ୍କୁ କିଛି ପଚାରିବା ପାଇଁ । ତାପରେ ସେ ମନ୍ତ୍ରୀ ଯାଇ ମହାରାଜାଙ୍କୁ ରାଜକୁମାରଙ୍କ ବ୍ୟବହାର ବିଷୟରେ କହିଲେ । ସେସବୁ ଶୁଣି ମହାରାଜା ଜୀମୁତକେତୁ ଅତ୍ୟନ୍ତ ବିଚଳିତ ହେଲେ । ‘କଳ୍ପବୃକ୍ଷ’ ବିଷୟ ଶ୍ରବଣରେ ଆମ ରାଜକୁମାରଙ୍କର ଭାବାନ୍ତର କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ