ଦିବସ ବା ରାତ୍ରି?

ରାମଗଡର ଜମିଦାର ଉପେନ୍ଦ୍ର ଥିଲେ । ନିୟମିତ କରଆଦାୟ କରିବା ସହିତ ଜନସାଧାରଣଙ୍କ ସମସ୍ତ ସୁଖଦୁଃଖର ସଠିକ୍ ସମ୍ବାଦ ଦେଇ ପାରୁଥିବା ବ୍ୟକ୍ତିର ସନ୍ଧାନରେ ସେ ଥିଲେ । ସେ ଚାହୁଁଥିଲେ ଯେ, ଉକ୍ତ ବ୍ୟକ୍ତିଟି ଖୁବ୍ ବୁଦ୍ଧିମାନ୍ ଓ ଚତୁର ହୋଇଥିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଦେବାନ ସାହେବ ଡେଙ୍ଗୁରା ମଧ୍ୟ ଦେଲେ । ଯଦି ଏପରି କେହି ଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତେବେ ସେ ତୁରନ୍ତ ଆସି ଜମିଦାରଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।

                ଜମିଦାରଙ୍କ ଉପସ୍ଥିତିରେ ଦେବାନ୍ ପ୍ରତ୍ୟାଶୀ ଯୁବକ ମାନଙ୍କୁ ଜଣ ଜଣ କରି ପ୍ରଶ୍ନ ପଚାରିଲେ, ତାହା ହେଲା “ମନେକର, ବାରଫୁଟ ଗଭୀର, ଓ ଦଶଫୁଟ ଓସାରର ଏକ ଗାତରେ ତୁମେ ପଡିଗଲ, ଏବେ ତୁମେ କିପରି ତହିଁରୁ ବାହାରକୁ ଆସିପାରିବ?” ଏଭଳି ପ୍ରଶ୍ନର ପ୍ରାୟ ସମସ୍ତେ ଏକ ପ୍ରକାର ଉତ୍ତର ଦେଲେ । ତାହା ଥିଲା – “ସାହାଯ୍ୟ ପାଇଁ ଆମେ ଚିତ୍କାର କରିବୁ । ଚିତ୍କାର ଶୁଣି କେହି ନା କେହି ତ ନିଶ୍ଚୟ ଆସିବେ, ଆଉ ମୋତେ ଉପରକୁ ଉଠାଇ ନେବେ ।” କିନ୍ତୁ ସର୍ବଶେଷରେ ଜଣେ ଯୁବକ ଦେବାନଙ୍କୁ ପଚାରିଲା, “ମହାଶୟ, ମୁଁ ଯେଉଁ ଗର୍ତ୍ତରେ ପଡିଯିବି ସେଠାରେ କଣ ସିଡିଟିଏ ଥିବ?”

                ତହୁଁ ଦେବାନ୍ କହିଲେ “ସିଡିଟିଏ ଥିଲେ, ମୁଁ ବା କାହିଁକି ଏ ପ୍ରଶ୍ନ ପଚାରନ୍ତି?”

                ଏକଥା ଶୁଣି ଯୁବକ ପଚାରିଲା “ସମୟ ଦିନ କି ରାତି?” ଯୁବକର ଏପରି କଥା ଶୁଣି ସେ ଦେବାନ୍ ବିରକ୍ତିର ସହ କହିଲେ “ସମସ୍ୟା ଦିନ ବା ରାତିକୁ ନେଇ ନୁହେଁ, ବରଂ ଗାତରୁ ଉପରକୁ ଆସିବାଟାହିଁ ଅସଲ ସମସ୍ୟା” । ଏହାପରେ ଯୁବକ ଜଣକ କହିଲା “ଯଦି ରାତ୍ରି କାଳ ନୁହେଁ ଓ ମୁଁ ମଧ୍ୟ ଅନ୍ଧ ନୁହେଁ, ତେବେ କେଉଁ ଉଦ୍ଧେଶ୍ୟରେ ଭଲା ମୁଁ ସେ ଗାତ ଭିତରକୁ ଗଳି ପଡିବି?” ଯୁବକଟିର ଏଭଳି ପ୍ରତ୍ୟୁତ୍ତର ଶୁଣି ଜମିଦାର ସ୍ମିତହାସ୍ୟ ସହିତ ତୁରନ୍ତ ଆଦେଶ ଦେଲେ, “ଯଥାଶୀଘ୍ର ଏହି ବ୍ୟକ୍ତିଟିକୁ ନିଯୁକ୍ତି ଦିଆଯାଉ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ