ଶାସନ କ୍ଷମତା

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ, ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ, ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ତମେ ଏ ଦେଶର ସମ୍ରାଟ । ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଧରାତିରେ ଶ୍ମଶାନରେ ବୁଲି ବୁଲି ଏଭଳି କଷ୍ଟ ପାଉଛ । ତୁମର କଷ୍ଟ ପ୍ରତି ମୋର ସହାନୁଭୂତି ଆସୁଛି । ଜ୍ଞାନୀମାନେ କୁହନ୍ତି ଥରେ ଆଶାର ବନ୍ଧନରେ ବାନ୍ଧି ହେଲେ ସେଥିରୁ ମୁକ୍ତି ପାଇବା ବଡ ଅସମ୍ଭବ । ମଣିଷର ହୃଦୟ ପ୍ରଲୋଭନର ନିବାସସ୍ଥଳ । କିନ୍ତୁ ମୋର ଭୟ ହେଉଛି ଯାହାକୁ ତୁମେ ସାଧନା ବୋଲି କହୁଛ, ତାହା ଶେଷରେ ହଠାତ୍ କୌଣସି କାରଣରୁ ତ୍ୟାଗ କରି ଦେଇପାର । ଏହି ପରିପ୍ରେକ୍ଷୀରେ ମୁଁ ତୁମକୁ ଜ୍ଞାନୀ ଓ ତପଃଶକ୍ତି ସମ୍ପନ୍ନ ଯୁବରାଜ ଅଜୟଙ୍କ ଜୀବନକାହାଣୀ ଶୁଣାଇବି । ମନଦେଇ ମୋକଥା ଶୁଣ, ଶୁଣିଲେ ତମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

                ଅରୁଣଗିରି ରାଜ୍ୟର ରାଜା ବିକ୍ରମସେନ୍ଙ୍କ ଅଜୟ ଓ ବିଜୟ ନାମକ ଦୁଇ ପୁତ୍ର ଥିଲେ । ଅଜୟ ଜ୍ଞାନୀ ଥିଲେ । ମାତ୍ର ବିଜୟ ରାଜ୍ୟଲୋଭୀ ଥିଲେ । ମାତ୍ର ଷୋଳବର୍ଷ ବୟସରେ ଅଜୟ ସମସ୍ତ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ । ରାଜା ଅଜୟଙ୍କୁ ଯୁବରାଜ ଭାବରେ ଘୋଷିତ କରିବା ପାଇଁ ଚାହିଁଲେ । କିନ୍ତୁ ବିଜୟ ସେଥିରେ ଆପତ୍ତି କରି କହିଲେ, “ଅଜୟ ବୟସରେ ମୋ ଠାରୁ ବଡ ସିନା, କିନ୍ତୁ ରାଜ୍ୟଶାସନର ଦକ୍ଷତା ତା’ ମଧ୍ୟରେ ମୋଠାରୁ କମ୍ । ଜୀବନ ପ୍ରତି ତା’ର ଦୃଷ୍ଟିକୋଣ ଦାର୍ଶନିକ ।”

                ସେତେବେଳେ ଅଜୟ ସେଠାରେ ଉପସ୍ଥିତ ହୋଇ କହିଲେ, “ଜନକ ଜ୍ଞାନୀ ଓ ସୁଶାସକ ଥିଲେ । ଜ୍ଞାନ ତ ପ୍ରତ୍ୟେକ ଲୋକର ଆବଶ୍ୟକ । ଜଣେ ସୁଶାସକ ପାଇଁ ତାହା ତ ଅପରିହାର୍ଯ୍ୟ । ତୁମେ କିଛିଟା ଜ୍ଞାନ ଅର୍ଜନ କରିବାକୁ ଚେଷ୍ଟାକର ।”

                ବିଜୟ କହିଲେ “କୌଣସି ବିଷୟରେ କିଛି ଜାଣିବା ମୋ ଜାତକରେ ସୁଧା ନାହିଁ । ତୁମେ ତ ଅନେକ ବେଦାନ୍ତ, ଦର୍ଶନ ପଢିଛ, ତମର ପୁଣି ରାଜ୍ୟ ପାଇବାର ଲୋଭ କାହିଁକି?”

                ଏହି କଥାରେ ଅଜୟ ହସି ଦେଇ କହିଲେ, “ମୁଁ ତ କେବେବି ନିଜକୁ ଜଣେ ଦାର୍ଶନିକ ବୋଲି କହିନାହିଁ । ତୁମେହିଁ ମୋତେ ପୁଣି ବୈଦାନ୍ତିକ ପଣ୍ଡିତ କହୁଛ, ତାହା ନୁହେଁ । ପୁଣି ପିତା ଯେତେବେଳେ ମୋତେ ଯୁବରାଜ କରିବାକୁ ଚାହାଁନ୍ତି ତୁମେହିଁ ସେଥିରେ ବାଧା ସୃଷ୍ଟି କରୁଛ ।”

                ରାଜା ବିକ୍ରମସେନ୍ ବିଜୟଙ୍କୁ ସାନ୍ତ୍ୱନା ଦେଇ କହିଲେ, “ପୁତ୍ର, ମୋର ଅନ୍ତରର ଇଚ୍ଛା ହେଉଛି ତୁମେ ଦୁହେଁ ରାମଲକ୍ଷ୍ମଣଙ୍କ ପରି ପରସ୍ପରକୁ ସ୍ନେହଶ୍ରଦ୍ଧା କର । ଜ୍ୟେଷ୍ଠପୁତ୍ରର ରାଜ ଗାଦିରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ତାହା ନ୍ୟାୟସଙ୍ଗତ ଓ ଆମ ସମାଜରେ ପ୍ରଚଳିତ ଏକ ତଥାକଥିତ ନୀତି ।”

                ବିଜୟ କହିଲେ “ମୁଁ ଏ ସମାଜର ନୀତି ଚାହେଁନାହିଁ । ସାମର୍ଥ୍ୟର ତ ପୁଣି ଗୋଟାଏ ମୂଲ୍ୟ ଅଛି?”

                ଅଜୟ କହିଲେ, “ତୁମର ସମାଜ ଉପରେ ବିଶ୍ୱାସ କିଛିଟା ଅଛି ବୋଲି ତୁମେ ଯୁବରାଜ ହେବାକୁ ଚାହୁଁଛ । ତମେ ଯଦି ସାମର୍ଥ୍ୟ ଉପରେ ଅଧିକ ମୂଲ୍ୟ ଦେବ ତେବେ ସମଗ୍ର ରାଜ୍ୟର ଯୁବକଙ୍କ ସହିତ ପ୍ରତିଯୋଗିତା ହେବ ।” ଏକଥା ଶୁଣି ବିଜୟର ମୁହଁ ହଠାତ୍ ଫିକା ପଡିଗଲା । ଅଜୟ ଅଳ୍ପହସି କହିଲେ, “ସେଥିପାଇଁ ତୁମକୁ କହୁଛି କିଛିଟା ବେଦାନ୍ତ ପଢ । ସେଥିରୁ ତାର୍କିକ ଜ୍ଞାନ ପାଇ ପାରିବ ।”

                ବିଜୟ ଚିଡିଯାଇ କହିଲେ, “ରାଜା ପାଇଁ ବାହୁବଳର ଯୋଗ୍ୟତା ଯଥେଷ୍ଟ ଆବଶ୍ୟକ, ମାତ୍ର ତର୍କର ଯୋଗ୍ୟତା ନୁହେଁ । ତର୍କ ପାଇଁ ତ ମନ୍ତ୍ରୀ ଅଛନ୍ତି । ମୁଁ ତୁମକୁ ବାହୁବଳରେ ନିଶ୍ଚୟ ହରାଇ ଦେଇପାରିବି ।”

                ଅଜୟ କହିଲେ, “ଠିକ୍ ଅଛି ପ୍ରତିଯୋଗିତା ଦୁଇ ବର୍ଷ ପରେ ହେବ । ଏବେ ପ୍ରସ୍ତୁତି ଚାଲୁ ।” ବିଜୟ ବହୁତ ପରିଶ୍ରମ କରି ଯୁଦ୍ଧବିଦ୍ୟାକୁ ଏପରି ଆୟତ୍ତ କରି ପାରିଲେ ଯେ ଗୁରୁମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅଜୟ ମଧ୍ୟ କିଛିଟା ପ୍ରସ୍ତୁତ ହେଉଥିଲେ । ଦୁଇବର୍ଷ ପରେ ପ୍ରତିଯୋଗିତା ହେଲା । କିନ୍ତୁ ବିଜୟହିଁ ହାରିଗଲେ । ସେ ହାରିଯାଇ କହିଲେ, “ତୁମେ ଏତେ ପ୍ରକାର ଯୁଦ୍ଧବିଦ୍ୟାରେ ଏତେ ପାରଙ୍ଗମ, ସେଥିରେ ପୁଣି କହୁଛ କ’ଣ ନା ରାଜଗାଦି ପାଇଁ ମୋର ଆକାଂକ୍ଷା ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ