ଗୁପ୍ତଧନ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଉଦ୍ୟତ ହୁଅନ୍ତେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତମେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରଜନୀରେ ଯେପରି ଦୁଃସାହସ ଦେଖାଉଛ ଓ ପରିଶ୍ରମ କରୁଛ, ତାହା ଅସାଧାରଣ । ତୁମ ଉଦ୍ଧେଶ୍ୟ କ’ଣ? କୌଣସି ପ୍ରକାର ତନ୍ତ୍ରସିଦ୍ଧି କରି ଗୁପ୍ତଧନର ସନ୍ଧାନ ପାଇବାକୁ ଚାହଁ କି? କିନ୍ତୁ ଗୁପ୍ତଧନର ସନ୍ଧାନ ପାଇଗଲେ ଯେ ତାହା ତମ ହାତରେ ପଡିବ, ଏପରି କଥା ନାହିଁ । ଗୁପ୍ତଧନ କାହା ହାତରେ ପଡେ ତ ଆଉ କାହା ହାତରୁ ଖସିଯାଏ । ତୁମକୁ ଗୋଟିଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । କନକପୁରୀ, ଧାନ୍ୟପୁରୀ ଓ ସପ୍ତଭୂମି ନାମକ ତିନୋଟି ରାଜ୍ୟର ସୀମାନ୍ତରେ ଗୋଟିଏ ନିଘଂଚ ଅରଣ୍ୟ ଥିଲା । ତହିଁ ଭିତରେ ଗୋଟିଏ ଡାକୁଦଳ ଥିଲେ । ସେ ଦଳ ତିନୋଟି ଯାକ ରାଜ୍ୟର ପ୍ରଜାମାନଙ୍କୁ ଭୟଭୀତ କରି ରଖିଥିଲେ ।

କନକପୁରୀର ରାଜାଙ୍କ ମୃତ୍ୟୁ ପରେ ତାଙ୍କ ତରୁଣ ପୁତ୍ର ଯୁବରାଜ ଶ୍ରୀକର ସିଂହାସନ ଆରୋହଣ କଲେ । ସେ ଧାନ୍ୟପୁରୀ ଓ ସପ୍ତଭୂମି ରାଜ୍ୟର ରାଜାମାନଙ୍କ ପାଖକୁ ପ୍ରସ୍ତାବ ପଠାଇଲେ କି ତିନି ରାଜ୍ୟର ସୈନ୍ୟମାନେ ମିଶି ସେ ଡାକୁଦଳ ଧରିବାକୁ ଚେଷ୍ଟା କଲେ ଖୁବ୍ ଭଲହେବ । କୌଣସି ଗୋଟିଏ ରାଜ୍ୟ ପକ୍ଷରେ ସେ ଭୀଷଣ ଡାକୁ ବାହିନୀକୁ ସାମ୍ନା କରି ଖତମ୍ କରିବା ଏତେ ସହଜ ହେବ ନାହିଁ । କିନ୍ତୁ ରାଜା ଶ୍ରୀକରଙ୍କ ପ୍ରସ୍ତାବ ସେ ଅନ୍ୟ ଦୁଇ ରାଜା ମୋଟେ ଗ୍ରହଣ କଲେ ନାହିଁ । ଶ୍ରୀକର ଏଥିରେ ଦୁଃଖିତ ହେଲେ, କିନ୍ତୁ ପ୍ରଜାଙ୍କ ହିତ ଦୃଷ୍ଟିରୁ ସବୁ ଶକ୍ତି ପ୍ରୟୋଗ କରି ଡାକୁଦଳକୁ ଧରିବାକୁ ସେ ଅତ୍ୟନ୍ତ ଚେଷ୍ଟା କଲେ । ଦୂରାନ୍ତରର ଗୋଟିଏ ରାଜ୍ୟରୁ ସେଥିପାଇଁ ତାଙ୍କୁ ଦଳେ ସୈନ୍ୟ ଆଣିବାକୁ ହେଲା । ସେ ସୈନ୍ୟମାନେ ବଣ ଜଙ୍ଗଲରେ ଲଢେଇ କରିବାରେ ବିଶେଷ ଭାବେ ପ୍ରବୀଣ ଥିଲେ । ବର୍ଷେ କାଳ ଅନବରତ ଚେଷ୍ଟା କରି ଅବଶେଷରେ ସେ ଡାକୁଦଳକୁ ସମୂଳେ ବିନାଶ କଲେ । ଡାକୁ ସର୍ଦ୍ଦାର ମଲା; ତା’ର ପ୍ରଧାନ ସହଚରମାନେ ଆହତ ହେଲେ । ଅନୁଚରମାନେ ରାଜାଙ୍କ ଶରଣ ପଶିଲେ ।

ଏହି ବିଜୟ ଫଳରେ ଖାଲି ଯେ ନିଜ ପ୍ରଜାଙ୍କ ଭିତରେ ସେ ରାଜାଙ୍କ ଜନପ୍ରିୟତା ବଢିଗଲା, ତାହା ନୁହେଁ, ଧାନ୍ୟପୁରୀ ଓ ସପ୍ତଭୂମିର ଲୋକେ ମଧ୍ୟ ରାଜା ଶ୍ରୀକରଙ୍କ ଜୟଗାନ କଲେ ।

କିନ୍ତୁ ଡାକୁଦଳ ସହ ବର୍ଷେକାଳ ସଂଘର୍ଷରେ ରାଜକୋଷ ପ୍ରାୟ ଶୂନ୍ୟ ହୋଇଗଲା । ରାଜ୍ୟକୁ କ୍ରମାଗତ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ରାଜା ଶ୍ରୀକର ଗୋଟିଏ ବନ୍ଧ ନିର୍ମାଣ କରିବାକୁ ଚାହୁଁଥିଲେ । କିନ୍ତୁ ସଙ୍ଗତି ନଥିଲା ।

ଏତିକିବେଳେ ଖବର ମିଳିଲା କି ଧାନ୍ୟପୁରୀର ରାଜା ବଣ ଭିତରକୁ ଯାଇ ସର୍ପଦଂଶନ ହେତୁ ପ୍ରାଣ ହରାଇଛନ୍ତି । ପରେ ପରେ ଆଉ ଏକ ଖବର ମିଳିଲା ଯେ, ସପ୍ତଭୂମିର ରାଜାଙ୍କୁ ବଣ ଭିତରେ ବାଘ ମାରି ପକାଇଛି । ମନ୍ତ୍ରୀ ଆସି ରାଜା ଶ୍ରୀକରଙ୍କୁ କହିଲେ, “ମଣିମା! ଉଭୟ ଧାନ୍ୟପୁରୀ ଓ ସପ୍ତଭୂମିରେ ଅରାଜକତା ବ୍ୟାପି ଯାଇଛି । ସଙ୍ଗେ ସଙ୍ଗେ ଉଭୟ ରାଜ୍ୟର ପ୍ରଜାମାନେ ବି ଆପଣଙ୍କୁ ବହୁତ ଶ୍ରଦ୍ଧା କରନ୍ତି । ଏପରି ସୁବର୍ଣ୍ଣ ସୁଯୋଗ ଶହ ଶହ ବର୍ଷରେ ଥରେ ମିଳେ । ଆପଣ ସେ ଦୁଇ ରାଜ୍ୟ ଅତି ସହଜରେ ଦଖଲ କରିନେଇ ପାରିବେ । ସେ ଦୁଇ ରାଜ୍ୟରୁ ଯେଉଁ ଅର୍ଥ ମିଳିବ, ସେହିଥିରେହିଁ ଆମ ଯୋଜନା ଠିକ୍ କାର୍ଯ୍ୟକାରୀ ହୋଇପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ