ସତ୍ୟପାଳ ଓ ଦୁଇଶତ୍ରୁ

ନିଶା ଗରଜୁ ଥାଏ । ତୁହାକୁ ତୁହାକୁ ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ଭିତରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେହେଲେବି ବିଚଳିତ ନହୋଇ ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ପ୍ରାସାଦର ସୁଖ ଶଯ୍ୟା ଛାଡି ତମେ ଯେ ଏତେବେଳେ ନିଜ ଜୀବନକୁ ପାଣି ଛଡାଇ ମୋତେ ବଶ କରିବାକୁ ଚେଷ୍ଟା କରିଛ, ଏଥିରେ ତୁମର ଧୈର୍ଯ୍ୟ ଓ ସାହସ ପ୍ରମାଣିତ ହେଉଛି । କିନ୍ତୁ ରାଜ୍ୟ ଶାସନ ପାଇଁ ଖାଲି ଏତିକି ଗୁଣ କ’ଣ ଯଥେଷ୍ଟ କି? ସେଥିପାଇଁ ଚତୁରତା ପ୍ରୟୋଜନ । ଚତୁରତା ନଥିଲେ ରାଜା ସତ୍ୟପାଳ ଭଳି, ଜଣେ କୌଣସି କାମ ସିଧାସଳଖ ଭାବରେ ନକରି ବକ୍ର ଭାବରେ କରି ଉଭୟ ସମୟ ଓ ସୁଯୋଗ ନଷ୍ଟ କରିପାରେ । ତମକୁ ମୁଁ ଏବେ ସେ କାହାଣୀ କହୁଛି, ମନଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

ବେତାଳ ଗପିଲା : ଅନେକ ଦିନ ତଳର କଥା । ଚନ୍ଦନ ରାଜ୍ୟର ରାଜା ଚନ୍ଦ୍ରପାଳଙ୍କର ହଠାତ୍ ମୃତ୍ୟୁ ହୁଅନ୍ତେ ତାଙ୍କ ପୁଅ ସତ୍ୟପାଳ ସିଂହାସନ ଆରୋହଣ କଲେ । ଅଳ୍ପଦିନ ଭିତରେ ସେ ବୁଝିପାରିଲେ କି ରାଜ୍ୟର ଅବସ୍ଥା ମୋଟେ ଭଲନୁହେଁ । ରାଜା ଚନ୍ଦ୍ରପାଳ ଅତି ଭୋଗବିଳାସରେ ରହି ଶାସନ କାମରେ ଯମା ମନ ଦେଉନଥିଲେ । ଫଳରେ କେତେଜଣ ଖୋସାମଦକାରୀ କର୍ମଚାରୀ ରାଜାଙ୍କୁ ଖୁସି ରଖି ତେଣେ ପ୍ରଜାଙ୍କୁ ନିର୍ମମ ଭାବରେ ଶୋଷଣ କରୁଥିଲେ । ତେଣୁ ରାଜ୍ୟରେ ଦୁର୍ନୀତି ବିଶୃଙ୍ଖଳା ବ୍ୟାପି ଯାଇଥିଲା । ଆହୁରି ଦୁଃଖର କଥା ହେଲା, ଚନ୍ଦନ ରାଜ୍ୟର ସୀମାରେ ଅବସ୍ଥିତ ଭୀଲ୍ ମୁଲକର ସାମନ୍ତ ରାଜା ଜୟସେନ ନିଜକୁ ସ୍ୱାଧୀନତା ଘୋଷଣା କରିବାକୁ ବସିବା ସଙ୍ଗେସଙ୍ଗେ, ପ୍ରତିବେଶୀ ସୁନ୍ଦରପୁରର ରାଜା ପ୍ରଚଣ୍ଡବର୍ମା, ଚନ୍ଦନ ରାଜ୍ୟ ଆକ୍ରମଣ କରିବାର ଯୋଜନା କରୁଛନ୍ତି ।

ଗୁପ୍ତଚରମାନଙ୍କ ଠାରୁ ଏସବୁ ଖବର ପାଇ ରାଜା ସତ୍ୟପାଳ ତାଙ୍କ ପିତାଙ୍କ ବୃଦ୍ଧ ମନ୍ତ୍ରୀଙ୍କୁ ଡକାଇ ତାଙ୍କ ସହିତ ପରାମର୍ଶ କଲେ । ମନ୍ତ୍ରୀ କହିଲେ, “ଆପଣଙ୍କ ପିତା ତ ମୋ ପରାମର୍ଶ ଆଦୌ ଶୁଣୁ ନଥିଲେ । ଆପଣ ମୋ ପରାମର୍ଶ ଚାହୁଁଛନ୍ତି, ଏହା ଶୁଭ ଲକ୍ଷଣ । ସୁନ୍ଦରପୁରର ରାଜକନ୍ୟା ମଧୁଲିତାଙ୍କୁ ତ ଆପଣ ଭଲଭାବେ ଜାଣିଛନ୍ତି । ଦୁଇବର୍ଷ ତଳେ ଆପଣ ତାଙ୍କ ପିତାଙ୍କ ଅତିଥି ହୋଇ ସେଠାରେ କିଛିଦିନ ରହିବା ଅବସରରେ ସେ ଆପଣଙ୍କ ପ୍ରତି ବିଶେଷ ଅନୁରକ୍ତା ହୋଇ ପଡିଛନ୍ତି । ଅଧୁନା ସେ ଆପଣଙ୍କୁ ବିବାହ କରିବାକୁ ଇଚ୍ଛୁକ । ଆପଣ ବିବାହ ପ୍ରସ୍ତାବ ପଠାଇ ଦିଅନ୍ତୁ ଇଏ ତ ଗଲା ଗୋଟିଏ ସମସ୍ୟାର ସମାଧାନ ଯେଉଁଥିପାଇଁ ଆମର ଧନ ଜନ କିଛି ଖର୍ଚ୍ଚ ହେବ ନାହିଁ, ଅଥଚ ଆମେ ଏ ରାଜ୍ୟର ଭବିଷ୍ୟତ ରାଣୀଙ୍କୁ ଲାଭ କରିପାରିବୁ । କେତେ ସହଜ ଓ ସୁନ୍ଦର ଏ ସମାଧାନ । କ’ଣ ମୋ ସମାଧାନଟି ତୁମ ମନକୁ ପାଉଛି ତ?”

ରାଜା ସତ୍ୟପାଳ ପଚାରିଲେ “ରାଜକନ୍ୟା ଯଦି ମେତେ ବିବାହ କରିବାକୁ ଉତ୍ସୁକ, ତେବେ ତାଙ୍କ ପିତା ସେ ପ୍ରସ୍ତାବ କାହିଁକି ଦେଉନାହାଁନ୍ତି?” ତାଙ୍କ ପିତାଙ୍କ ତରଫରୁ ପ୍ରସ୍ତାବ ପଠାଇବା ତ ସ୍ୱାଭାବିକ, ପୁଣି ପିତା ଯେତେବେଳେ ଜାଣନ୍ତି ତାଙ୍କ କନ୍ୟାର ତାହାହିଁ ଇଚ୍ଛା ।”

ମନ୍ତ୍ରୀ କହିଲେ, “ମହାରାଜ, ରାଜା ପ୍ରଚଣ୍ଡବର୍ମା ମୂଢ । ସେ ରାଜ୍ୟଜୟ କରିବା ନିଶାରେ ମତ ହୋଇ ରହିଛନ୍ତି । ଆମ ରାଜ୍ୟ ଜୟ କରି କନ୍ୟାପାଇଁ କ’ଣ ନେଇଯିବେ ବୋଲି ସେ ରାଜକନ୍ୟାକୁ ପ୍ରଶ୍ନ କରନ୍ତେ, ରାଜକନ୍ୟା କହିଲେ କି ଆପଣଙ୍କୁ ବର ରୂପେ ପାଇଲେ ସେ ବେଶି ଖୁସି ହେବେ । ପ୍ରଚଣ୍ଡବର୍ମା “ତଥାସ୍ତୁ” ବୋଲି କହିଛନ୍ତି । ଏକଥା ମୁଁ ଆମ ଗୁପ୍ତଚରଠୁଁ ଜାଣିଛି ।”

ସତ୍ୟପାଳ ପଚାରିଲେ “ଆଚ୍ଛା ତେବେ ଭୀଲ ରାଜାଙ୍କ ସ୍ୱାର୍ଥ ବିଷୟରେ ଆମେ କ’ଣ କରିବା?”


ଗପ ସାରଣୀ

ତାଲିକାଭୁକ୍ତ ଗପ