ବିବେକ ଓ ବଚନ

ମନୋହର ଥିଲାବାଲା ଘରର ପିଲା । ଶିଶୁ ବୟସରୁ ସେ ତ ତା’ ବାପାଙ୍କୁ ହରାଇଥାଏ । ତେଣୁ ମା ତାକୁ ବହୁତ ଆଦରରେ ବଢାଇଥାନ୍ତି । ତେଣେ ମା’ଙ୍କ ମା, ଅର୍ଥାତ୍ ତା’ର ଆଇ, ତାକୁ ଆହୁରି ଆଦର କରୁଥାନ୍ତି । ତା’ର ମାମୁଁ ନଥିବାରୁ ଆଇଙ୍କ ସବୁ ସମ୍ପତ୍ତି ମଧ୍ୟ ତାକୁ ମିଳିବ ବୋଲି ମନୋହର ଜାଣିଥାଏ ।

                ମନୋହରର ଧାରଣା ହୋଇଯାଉଥାଏ, ସେ ଯାହାକୁ ଯାହା କହିଲେ ମଧ୍ୟ କେହି ତାକୁ କେବେବି କିଛି କହିବେ ନାହିଁ । ସେ ଯାହା ପ୍ରତି ଯେତେ ଖରାପ ବ୍ୟବହାର କଲେ ବି ଅନ୍ୟ ସମସ୍ତେ ତା’ ପ୍ରତି ଭଲ ବ୍ୟବହାର କରୁଥିବେ । ପ୍ରକୃତରେ ଗାଁ ଲୋକମାନେ ବି ତା’ର ଉଦ୍ଧତ ବ୍ୟବହାର ସହ୍ୟ କରୁଥିଲେ । ସେ କଥାବାର୍ତ୍ତା, ଚାଲିଚଳଣରେ ଅଭଦ୍ର ହେଲେ ମଧ୍ୟ ଅନ୍ୟମାନେ ତା’ ପ୍ରତି ବେଶ୍ ଭଦ୍ର ବ୍ୟବହାର କରୁଥିଲେ । ତା’ର କାରଣ ହେଲା, ମନୋହରର ପରଲୋକଗତ ପିତା ସୁକୁମାରବାବୁ ସମସ୍ତଙ୍କର ଉପକାର କରୁଥିଲେ । ସେ ଯେପରି ବିନୟୀ ଓ ବିବେକୀ ଥିଲେ, ଠିକ୍ ସେହିପରି ଦାନୀ ମଧ୍ୟ ଥିଲେ ।

                ହଁ, ଏକଥା ମଧ୍ୟ ସ୍ୱୀକାର କରିବାକୁ ହେବ ଯେ ମନୋହର ତା’ ବାପାଙ୍କ ଦାନ ଗୁଣଟି ପାଇଥିଲା । ସେ ମଧ୍ୟ ଗାଁର ପର୍ବପର୍ବାଣୀ ପାଇଁ ତଥା କୌଣସି ଲୋକ ଅଭାବ ଅସୁବିଧାରେ ପଡିଲେ ତାହା ଦୂର କରିବା ପାଇଁ ହାତ ଖୋଲି ଦାନ କରୁଥିଲା ।

                ଦିନେ ପଡୋଶୀ ଗାଁର ଜଣେ ଯୁବକ ଶ୍ରୀକୁମାର ତା’ସାନ ଭଉଣୀ ପାଇଁ ମନୋହର ସହ ବିବାହ ପ୍ରସ୍ତାବ ଧରି ମନୋହର ଘରକୁ ଆସିଲା । ଶ୍ରୀକୁମାର ଜଣେ ଜମିଦାରଙ୍କ ପୁଅ । ସେ ପିଣ୍ଡାରେ ବସିଛି, ମନୋହର ଘର ଭିତରେ ତା’ର ଜଣେ ସାଙ୍ଗକୁ କହିଲା, “ଆରେ, ଜମିଦାରଙ୍କ ଝିଅ ଯଦି ଜମିଦାରଙ୍କ ପୁଅ ଭଳି ଦେଖିବାକୁ ହୋଇଥିବ, ତେବେ ଜାଣ କଥା ସରିଲା!”

                ସେକଥା ଶ୍ରୀକୁମାର ଶୁଣି ପକାଇଲା । ଶ୍ରୀକୁମାର ମଧ୍ୟ ଖୁବ୍ ଶୀଘ୍ର ରାଗିଯାଉଥାଏ । ମନୋହର ବାହାରି ଆସିବା ମାତ୍ରେ ସେ କହିଲା, “ଶୁଣ । ମୋ ଭାଗ୍ୟ ଭଲ ମୋ ଭଉଣୀ ତମ ରୂପ ଦେଖିନାହିଁ । ଦେଖିଥିଲେ କହନ୍ତା, ଭାଇ, ତମେ ଜୁଆଇଁ ଖୋଜିବାକୁ ଯାଇଥିଲ ନା ଗୋଟିପୁଅ ନାଚ ପାଇଁ କାହାକୁ ଖୋଜୁଥିଲ? ଆଚ୍ଛା, ମୁଁ ଯାଉଛି ।”

                ମନୋହର ପ୍ରଶ୍ନ କଲା “ମୁଁ ଯଦି ଦେଖିବାକୁ ସେପରି, ତେବେ କାହିଁକି ପ୍ରସ୍ତାବ ଧରି ଆସୁଥିଲ?”

                “କଥା କ’ଣ କି, ତମ ବାପା ମୋ ବାପାଙ୍କର ବିଶେଷ ବନ୍ଧୁ ଥିଲେ । ମୁଁ ଭାବିଲି, ତମ ପ୍ରତି ଆମେ ଦୟା ନକଲେ ଆଉ କିଏ ବା କରିବ?” ଏହା କହି ଶ୍ରୀକୁମାର ସେଠାରୁ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ