ପବିତ୍ର ଜୀବନ

ଜଣେ ଅବଧୁତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଦେଖିଲେ ଗୋଟିଏ ବ୍ୟାଧ ତାହାର ଜାଲ ପକାଇ ଜନ୍ତୁଟିକୁ କିଭଳି ଧରିବ ସେଥିପାଇଁ ଏକାଗ୍ର ଭାବରେ ଏକଲୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁ ବସିଛି । ଅବଧୁତ ଜଣକ ପଚାରିଲେ କେଉଁ ବାଟେ ଗଲେ ଏ ଜଙ୍ଗଲ ଆଖପାଖରେ ଗୋଟିଏ ନଈ ବା ପାଣି ମିଳିବ, ମୋତେ ଟିକେ କହିଦେବ, ମୋତେ ଭାରି ଶୋଷ ଲାଗୁଛି । ବ୍ୟାଧ ଜଣକ କିଛି ଶୁଣି ନାହିଁ, ହଲଚଲ ହେଲାନାହିଁ, ଅବିଚଳିତ ଭାବରେ ତାହାର ଲକ୍ଷ୍ୟବସ୍ତୁ ପ୍ରତି ଧ୍ୟାନ ଦେଇବସିଲା । ସାଧାରଣ ଲୋକ ହୋଇଥିଲେ ଏ ସ୍ଥିତିର ଅନ୍ୟ ବ୍ୟାଖ୍ୟା କରିଥାଆନ୍ତା । ଯଥା ଜଣେ ସାଧୁ ପଚାରିଲେ ଦେଖିଲା ନାହିଁ, କେତେ ଅହଂକାରୀ, ସାଧୁ ନମ୍ର ଭାବରେ ପଚାରୁଛନ୍ତି ଅଥଚ ଲୋକଟା ଶୁଣିପାରିଲା ନାହିଁ, ଇଏ ମଣିଷ ଦେହଧାରୀ ଗୋଟିଏ ପଶୁ । ଏଭଳି କହିବାର ମଧ୍ୟ କାରଣ ଅଛି, କିନ୍ତୁ ଅବଧୁତ ତାକୁ ପ୍ରଣାମ କଲେ କହିଲେ ତୁମଠୁ ମୁଁ ଖୁବ୍ ବଡକଥା ଶିଖିଲି, ତୁମେ ମୋର ବିଦ୍ୟାଗୁରୁ ହେଲ । ମୁଁ ଶିକ୍ଷାଲାଭ କରି ଭଗବାନଙ୍କୁ ପ୍ରାର୍ଥନା କଲାବେଳେ ଠିକ୍ ଏହିଭଳି ନିଷ୍ଠାର ସହିତ ପୃଥିବୀର କୌଣସି କଥାକୁ ଧ୍ୟାନ ନଦେଇ ଏକାଗ୍ର ଚିତ୍ତରେ କରିବାକୁ ହୁଏ । ତୁମକୁ ପ୍ରଣାମ । ବ୍ୟାଧ ପଚାରିଲା ଆପଣ ମତେ କ’ଣ ପଚାରିଲେ ମୋ ଧ୍ୟାନ ଅନ୍ୟ ଆଡେ ଥିଲା । ଅବଧୁତ ବ୍ୟାଧକୁ ପ୍ରଣାମ କରି କହିଲେ ତୁମେ ମୋର ଗୁରୁ ହେଲ । ଏକାଗ୍ରତା ମହାମନ୍ତ୍ର ତୁମଠୁ ମୁଁ ଶିଖିଲି, କିଛି ବାଟ ଗଲାପରେ ସେ ଦେଖିଲେ ଗୋଟିଏ ବଗ ମାଛଟିଏ ଥଂଟରେ ଧରି ଉଡୁଛି, ଦଳ ଦଳ କୁଆ ତା’ ପଛରେ କା କା କା କରି ଉଡୁଛନ୍ତି । ବେଶ୍ ଖଣ୍ଡେ ବାଟ ଉଡିଗଲା ପରେ ହଠାତ୍ ବଗଟା ଥଂଟରୁ ମାଛଟା ଫୋପାଡି ଦେଲା, ଆଉଗୋଟେ ବଗ ଧାଇଁ ଆସି ତାକୁ ଝାମ୍ପି ନେଲା ଏବଂ ଆକସ୍ମିକ ଭାବରେ ସବୁତକ କୁଆ ବଗକୁ ଛାଡି ତା’ ପଛରେ ଗୋଡାଇଲେ । ବଗ ନିଶ୍ଚଳ ହୋଇ ଗଛ ଡାଳରେ ବସିଲା । ଅବଧୁତ ତାକୁ ପ୍ରଣାମ କରି କହିଲେ ତୁମେ ମୋର ଦ୍ୱିତୀୟ ଗୁରୁ । କ୍ଷମତାକୁ ଜାବୁଡି ଧରିଲେ ଏହିଭଳି ଅଶାନ୍ତି କନ୍ଦଳ ପ୍ରତିଯୋଗିତାରେ ଜୀବନର ଦୁର୍ଲଭ ମୁହୂର୍ତ୍ତଗୁଡିକ ନଷ୍ଟ ହୋଇଯାଏ । ନିଷ୍କାମ ହୋଇ କ୍ଷମତାକୁ ଫିଙ୍ଗି ଦେଲେ ଏହି ଚମତ୍କାର ପୃଥିବୀକୁ ଦେଖିବାର ସୁଯୋଗ ମିଳେ । ଆସକ୍ତି ହିଁ ସମସ୍ତ ଦୁଃଖର କାରଣ । ସକାରାତ୍ମକ ଚିନ୍ତନ ଶକ୍ତି କେତେ ଶିକ୍ଷଣୀୟ । ସେ ବଗକୁ ପ୍ରଣାମ କଲେ । ଏ ସଂସାରରେ ସତ୍ ବ୍ୟକ୍ତି ସମସ୍ତଙ୍କଠାରୁ କିଛି ସତ୍ଗୁଣ ଶିକ୍ଷା କରିପାରେ । କେବଳ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଲୋଡା ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ