ପରୀକ୍ଷା

ଅନେକ ଦିନ ତଳର କଥା । ସେତେବେଳେ ଯୁଗଳପୁର ଗୋଟାଏ ସମୃଦ୍ଧ ତାଲୁକ ଥିଲା । ତାହା ଶ୍ରୀପୁର ଜମିଦାରଙ୍କ ଜମିଦାରିର ଏକ ଅନ୍ତର୍ଭୁକ୍ତ ଥିଲା ।

                ଯୁଗଳପୁରରେ ଜମିଦାରଙ୍କର ଯିଏ ପ୍ରତିନିଧି ଥିଲେ, ତାଙ୍କୁ ନାଏବ କୁହାଯାଉଥିଲା । ନାଏବ ଲୋକଙ୍କଠୁଁ ଖଜଣା ଆଦାୟ କରିବାଠୁଁ ଆରମ୍ଭ କରି ସେମାନଙ୍କ ହାରିଗୁହାରି ସବୁ ଶୁଣିବା ଯାଏଁ ଓ ଝଗଡାଝାଟି ଫଏସଲା କରିବା ଯାଏଁ ସବୁ କାମ ସେ କରୁଥିଲେ ।

                ଯିଏ ନାଏବ ଥିଲେ, ସିଏ ଜଣେ ବିବେକୀ ଓ ବୁଦ୍ଧିମାନ୍ ଲୋକ । ତିରିଶ ବର୍ଷ ନାଏବ କାମ କରିବା ପରେ ତାଙ୍କ ଦେହାନ୍ତ ହୋଇଗଲା । ନୂଆ ନାଏବ କିଏ ହେବ, ଏବେ ତାହାହିଁ ହେଲା ପ୍ରଶ୍ନ ।

                ଜମିଦାରଙ୍କ ଦେବାନ୍ ଘୋଷଣା କଲେ, ଯିଏ ନାଏବ ପଦ ପାଇଁ ପ୍ରାର୍ଥୀ ହେବ, ସିଏ ପ୍ରଥମେ ଜମିଦାରଙ୍କ ଗନ୍ତାଘରିଆକୁ ଭେଟିବା ଲୋଡା ।

                ଦଶଜଣ ପ୍ରାର୍ଥୀ ଗନ୍ତାଘରିଆକୁ ଅଲଗା ଅଲଗା ସମୟରେ ଭେଟିଲେ । ଗନ୍ତାଘରିଆ ସମସ୍ତଙ୍କୁ ଆଗାମୀ ମାସ ପହିଲା ଦିନ ଜମିଦାରଙ୍କୁ ଭେଟିବାକୁ କହିଲା ।

                ଯଥା ସମୟରେ ଦଶଜଣ ପ୍ରାର୍ଥୀ ଆସିଗଲେ । ଦେବାନ୍ କହିଲେ, “ଏମାନଙ୍କ ଭିତରୁ ଯମୁନାପ୍ରସାଦକୁ ମୁଁ ଓ ଗନ୍ତାଘରିଆ ମନୋନୀତ କରିଛୁ ।”

                ବାକି ନଅ ପ୍ରାର୍ଥୀଙ୍କ ଭିତରେ ଗୁଞ୍ଜରଣ ଖେଳିଗଲା । ସମସ୍ତେ ଗନ୍ତାଘରିଆ ଆଡେ ଅନାଇ କ’ଣ କହିବେ ବୋଲି ହେଲେ, କିନ୍ତୁ ସେମାନେ କିଛିବି କହି ପାରିଲେ ନାହିଁ ।

                ଦେବାନ୍ ବୁଝାଇଦେଲେ “ହଜୁର୍! ମୋ ପରାମର୍ଶରେ ଗନ୍ତାଘରିଆ ସମସ୍ତଙ୍କୁ ଉତ୍କୋଚ ଦେବାପାଇଁ ଇଙ୍ଗିତ ଦେଇଥିଲେ । ଦଶଜଣରୁ ନଅଜଣ ଦେଲେ; କେବଳ ଯମୁନାପ୍ରସାଦହିଁ ଦେବାକୁ ନାସ୍ତି କରିଦେଲେ । ଏ ନଅଜଣ ଯଦି ଉତ୍କୋଚ ଦେବାକୁ ରାଜି ହେଲେ, ତେବେ ଉତ୍କୋଚ ନ ନେବେ ବୋଲି ସେକଥା କିଏ କହିବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ