ଈର୍ଷ୍ୟା

ଗୋଟିଏ ଗ୍ରାମରେ ବଳଭଦ୍ର ନାମକ ଦରିଦ୍ର ଲୋକଟିଏ ତା’ର ପରିବାର ସହିତ ଥାଏ । ସେ କାଠୁରିଆ ଥିଲା । ନିତି ନିତି ଜଙ୍ଗଲରେ କାଠ କାଟି ସେ ଯାହା ପଇସା ପାଏ ସେଥିରେ ପରିବାର ଚଳାଏ । ଦିନେ ହେଲେ ସମସ୍ତେ ପେଟ ଭରି ଖାଇବାକୁ ପାଆନ୍ତି ନାହିଁ ।

                ଦିନେ ସେ କାଠ କାଟିବାକୁ ବାହାରିଛି । କଳାମେଘ କାହୁଁ ଘୋଟି ଆସିଲା, ଅଳ୍ପସମୟ ଭିତରେ । ବର୍ଷା ପଡିବାକୁ ଲାଗିଲା । ବଳଭଦ୍ର ଘରୁ ତ ବାହାରି ଯାଇଥିଲା, ଜଙ୍ଗଲରେ ଏକ ଭଙ୍ଗା ପୁରୁଣା ଘର ଥିଲା, ସେଠାରେ ଯାଇ ସେ ଆଶ୍ରୟ ନେଲା । କିଛି ସମୟ ପାଇଁ ବର୍ଷା ହୋଇ ତ ଛାଡି ଗଲା, କିନ୍ତୁ ସବୁଗଛ ଓ କାଠ ତ ଓଦା, କରିବ ବା କ’ଣ? ଦେଖିଲା ସେହି ପୁରୁଣା ଘରେ କାଠର ଗୋଟିଏ ବଡ ଦେବୀମୂର୍ତ୍ତି; ଭାବିଲା, “ଏଇଟି ତ ବଢିଆ ହୋଇଛି, ଆଜି ଦିନକ ଚଳିଯିବ ।” ଏହା କହି ସେ କୁରାଢୀ ଉଠାଇଲା । ଠିକ୍ ଚୋଟ ବାଜିବା ପୂର୍ବରୁ ସେ ମୂର୍ତ୍ତି ଭିତରୁ ଜ୍ୟୋତି ଦେଖା ଦେଲା । ଦେବୀମୂର୍ତ୍ତି ପ୍ରକଟ ହୋଇ କହିଲେ, “ଆରେ, ଆରେ ମୂର୍ଖ । କ’ଣ କରୁଛୁ? ତୁ ମୋତେ ହାଣି ଦେବାକୁ ବସିଛୁ?” ବଳଭଦ୍ର ସଙ୍ଗେସଙ୍ଗେ କୁରାଢୀ ହାତରୁ ତଳକୁ ପକାଇ ଦେଇ, ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା, “ମୋତେ କ୍ଷମା କର । ମୁଁ ଜାଣିନଥିଲି କି ଆପଣ ଏହି ପୁରୁଣା ମୂର୍ତ୍ତି ମଧ୍ୟରେ ଏବେ ମଧ୍ୟ ଅଛନ୍ତି । ମୁଁ ଭାବିଥିଲି କେହି ପୂଜା ନକରୁଥିବା କାଠର ମୂର୍ତ୍ତିକୁ ଆଜି ମୁଁ କାଟିକରି ନେଇଯିବି । ଆଜି ମା ମୁଁ ଆପଣଙ୍କୁ ପାଇଛି । ମୁଁ ବଡ ଦରିଦ୍ର ଲୋକ । ଆଜିଠୁ ମୋ ଦୁଃଖ ଗଲା, ମା’ ମୋତେ ଦୟା କରନ୍ତୁ ।”

                ଦେବୀ କହିଲେ, “ମୁଁ ତୋର ଦରିଦ୍ରତା ବିଷୟ ଜାଣେ । ଦରିଦ୍ର ତ ସବୁ ପ୍ରକାରର ପାପ କରିପାରେ; ତୁ ତ କିଛି ଜାଣିଶୁଣି ପାପ କରିନାହୁଁ । ତୋ ଉପରେ ମୋର ରାଗ କ୍ରୋଧ କିଛି ନାହିଁ । ତୁ ଗୋଟିଏ ନୂଆ ବଡ ପାତ୍ର ମଧ୍ୟରେ ମୋ ନାମ ଲେଖି ମୋତେ ସ୍ମରଣ କରିବୁ । ପାତ୍ରଟି ସେତେବେଳେ ଢଙ୍କା ହୋଇଥିବ । ତା’ପରେ ଦେଖିବୁ ପାତ୍ରଟି ନାନା ପ୍ରକାର ସୁସ୍ୱାଦୁ ଖାଦ୍ୟରେ ପୂର୍ଣ୍ଣ ହୋଇଥିବ । ତମେମାନେ ମନ ଖୁସିରେ ଖାଇବ । ଆଉ କଷ୍ଟ କରିବାକୁ ହେବ ନାହିଁ ।”

                ବଳଭଦ୍ର କୁରାଢୀକୁ ଦୂରକୁ ଫିଙ୍ଗିଦେଇ ଦେବୀଙ୍କୁ ପ୍ରଣିପାତ କରି ଗୀତ ଗାଇ ଗାଇ ବର୍ଷାରେ ନାଚିକୁଦି ଆରାମରେ ଯାଇ ଘରେ ପହଁଚିଲା ।

                ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କାଠ ଆଜି ଆଣିଲ ନାହିଁ କି? କୁରାଢୀ ଗଲା କୁଆଡେ? ଆଜି ଭୋକଉପାସରେ ରହିବାକୁ ହେବ ନା କ’ଣ?” କାଠ ଆଣିନା, ପୁଣି ଗୀତ ଗାଇ, ନାଚିକୁଦି ବର୍ଷାରେ ଓଦା ହୋଇ ଚାଲିଛ? ଆଜି ଇଏ କି ନୂଆ ଢଙ୍ଗ? ପେଟ ଭୋକରେ ଜଳିବା ବେଳେ ଗୀତ ଗାଇବା କେଡେ ସୁନ୍ଦର କଥାଟି? “ଏଣିକି କୁରାଡୀ ଓ କାଠର କିଛିବି ଦରକାର ନାହିଁ । ଦେବୀଙ୍କର ଶୁଭଦୃଷ୍ଟି ଆମ ଉପରେ ପଡିଛି ।” ଆଜି କାଠ କାଟିବାକୁ ଯାଇ ବଣ ଜଙ୍ଗଲ ଓଦା ହୋଇଥିବାରୁ ଗୋଟିଏ ପୁରୁଣା ଭଙ୍ଗା ଘରେ ଥିବା କାଠର ଏକ ଦେବୀମୂର୍ତ୍ତିକୁ ଦେଖି ତାକୁ କାଟି ନେଇ ଆସିବାକୁ ଚାହିଁଲି । କିନ୍ତୁ ସେ ସେଥିରେ ଥିଲେ । ମୋର ମୂର୍ଖତା ଯୋଗୁଁ ସେ ନରାଗି ବରଂ ମୋଠାରୁ ମୋ ଦାରିଦ୍ର୍ୟ ବିଷୟ ଶୁଣି ମୋତେ ବର ଦେଲେ । ସେ କହିଲେ, “ଆଜିଠାରୁ ଜାଣ ଯେ ତୋ ଦୁଃଖ ଗଲା । ତୁ ଘରକୁ ଯାଇ ନୂଆ ପାତ୍ରଟିରେ ମୋ ନାମ ଲେଖି ତାକୁ ଘୋଡାଇ ଦେବୁ, ସେଥିରେ ନାନା ପ୍ରକାରର ଖାଦ୍ୟ ଆସିଯିବ । ତମେମାନେ ଆନନ୍ଦରେ ସେସବୁ ଖାଇବ ।” ଦେବୀଙ୍କ କଥା ଶୁଣି ମୁଁ ଆନନ୍ଦରେ ଗଦ୍ଗଦ୍ ହୋଇ ତାଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ଆସିଲି । ଏବେ ଦେଖିବାର କଥା ଦେବୀଙ୍କ ଆଜ୍ଞାରେ ନୂଆ ପାତ୍ରରୁ କି ଧରଣର ଖାଦ୍ୟ ମିଳୁଛି ।”

ବଳଭଦ୍ରର ସ୍ତ୍ରୀ ନୂଆ ବାସନଟିଏ ଆଣିଲା ଓ ତା’ଉପରେ ଢାଙ୍କୁଣୀଟିଏ ଦେଇ ଖାଲି ଚୁଲି ଉପରେ ବସାଇ ଓହ୍ଲାଇ ଦେଖିଲା ପାତ୍ରଟି ନାନା ସ୍ୱାଦିଷ୍ଟ ଖାଦ୍ୟରେ ଭରା । ସାରା ପରିବାର ଅତି ଆନନ୍ଦରେ ବସି ସବୁ ଖାଇଲେ । ପିଲାମାନେ ଏପରି ଖାଦ୍ୟ ତାଙ୍କ ଜୀବନରେ ପ୍ରଥମଥର ପାଇଁ ଖାଉଛନ୍ତି । ତା’ପରେ ନିଦ ମଧ୍ୟ ଗଭୀର ହେଲା ।

ସେହିଦିନଠାରୁ ସେମାନେ ସଦାବେଳେ ଭଲ ଭଲ ଜିନିଷ ଖାଇଲେ ଓ ବନ୍ଧୁବାନ୍ଧବଙ୍କୁ ଡାକି ମଧ୍ୟ ଖାଇବାକୁ ଦେଲେ । ଏକଥା କ୍ରମେ ସମସ୍ତେ ଜାଣିଲେ ଯେ ଦରିଦ୍ର ବଳଭଦ୍ର ଘରେ ବହୁତ ଖାଦ୍ୟ ମିଳୁଛି । କିନ୍ତୁ କେଉଁଠୁ ମିଳୁଛି, ତାହା କେହିବି ଜାଣେ ନାହିଁ ।

ତାଙ୍କ ପଡୋଶୀ ଘରର ସ୍ତ୍ରୀର ନାମ ମନ୍ଦୋଦରୀ । ସେ ଏସବୁ କଥାର ମୂଳତତ୍ତ୍ୱ ଜାଣିବା ପାଇଁ ଦିନେ ବଳଭଦ୍ରର ସାନପୁଅ ଟିକୁକୁ ଡାକି ପଚାରିଲେ, “କଥା କ’ଣ କି ଟିକୁ? ଏତେ ଭଲ ଭଲ ଜିନିଷ ସମସ୍ତିଙ୍କୁ ଡାକି ଖୁଆଉଛ?” ଟିକୁ ସବୁକଥା ଆମୁଳଚୂଳ ବର୍ଣ୍ଣନା କରି କହିଲା, “ମାଉସୀ, ଜାଣ, ନାହିଁକି? ବାପା କାଠ କାଟିବାକୁ ଜଙ୍ଗଲକୁ ଯାଇଥିଲା । ବଣରେ ସେ ଗୋଟିଏ କାଠର ଦେବୀମୂର୍ତ୍ତି ଦେଖି ତାକୁ କାଟିବାକୁ ଯାଉଥିଲା, ସେଥିରୁ ଦେବୀ ପ୍ରକଟ ହୋଇ ବାପାକୁ ବର ଦେଲେ । ସେହିଦିନଠାରୁ ଆମର ଆଉ ଦୁଃଖକଷ୍ଟ ନାହିଁ । ଏସବୁ ସେହି ଦେବୀଙ୍କ କୃପା ।”

ଏସବୁ କଥା ଶୁଣି ମନ୍ଦୋଦରୀ ଖାଲି ଈର୍ଷ୍ୟାରେ ଜଳିଗଲା । ସେ ଗୋଟାଏ ଉପାୟ ପାଂଚିଲା । ମୁଣ୍ଡରେ ପଟି ବାନ୍ଧି ସେ ଶୋଇଲା । ରନ୍ଧାବଢା ନାହିଁ । ପିଲା ଖାଇବାକୁ ମାଗିବାରୁ ସେ ତାକୁ ଧମକ ଦେଇ ସେଠାରୁ ବିଦାକଲା । ଶେଷକୁ ସ୍ୱାମୀ ଆସି ପହଁଚି କହିଲା, “କଥା କ’ଣ? ଏମିତି ପଟି ବାନ୍ଧି କାହିଁକି ବସିଛ? ରନ୍ଧାରନ୍ଧି କରିନା?”

                ମନ୍ଦୋଦରୀ କାନ୍ଦି ମୁଣ୍ଡପିଟି କହିଲା “ରନ୍ଧାରନ୍ଧି? ଜୀବନସାରା କ’ଣ ମୁଁ ଖାଲି ରାନ୍ଧୁଥିବି? ନିହାତି ବାଜେ ଲୋକସବୁ ଦେବୀଙ୍କ କୃପା ଲାଭ କରି ଧନୀ ହୋଇ ଗଲେଣି । ରନ୍ଧାରନ୍ଧି ନ କରି ସୁନ୍ଦର ସ୍ୱାଦିଷ୍ଟ ଭୋଜନ ଖାଇ ଚାଲିଛନ୍ତି । ଖାଲି ଆମର କିଛି ନାହିଁ । ହାୟ କପାଳ ।”

                ତା’ପରେ ତା’ର ସ୍ୱାମୀର ବହୁ ଅନୁରୋଧ ପରେ ସେ ସବୁ କଥା କହିଲା । ବିଚାରା ସ୍ୱାମୀ ଏବେ କରେ କ’ଣ; କହିଲା, “ଏବେ କୁହ ମୁଁ କ’ଣ କରିବି?” ମନ୍ଦୋଦରୀ କହିଲା “ପୁଣି ଏଥିରେ ପଚାରିବାର କ’ଣ ଅଛି? କୁରାଢୀ ନେଇ ଜଙ୍ଗଲକୁ ଯାଇ ଦେବୀ ମୂର୍ତ୍ତିକୁ ହାଣିବାକୁ ଚେଷ୍ଟା କରିବ; ତା’ପରେ ବର ପାଇ ଆସିବ । ତମେ ସେପରି ନ କଲେ ମୁଁ ବାପ ଘରକୁ ପଳାଇବି । ରନ୍ଧାରନ୍ଧିକୁ ମୁଁ ଆଉ ପାରିବି ନାହିଁ ।”

                ସ୍ୱାମୀ ଗୁରୁଦାସ କହିଲା, “ରାଗିଯାଇ ଦେବାଦେବୀଙ୍କ ମୁଣ୍ଡକୁ ହାଣିବାକୁ କହୁଛ? ଇଏ କିପରି କଥା?”

                ମନ୍ଦୋଦରୀ କହିଲା “ତୁମର ଟିକିଏ ବି ବୁଦ୍ଧି ନାହିଁ । ଯେଉଁ ଦେବତା ପ୍ରାର୍ଥନା କଲେ ବର ନ ଦିଅନ୍ତି; ତାଙ୍କୁ ଦଣ୍ଡ ଦେଲେ ବର ମିଳିବ ।”

                ଗୁରୁଦାସ ଜାଣିଥିଲା ସ୍ତ୍ରୀ କଥା ନମାନିଲେ ଜୀବନସାରା ଅଶାନ୍ତି । ସୁତରାଂ କାନ୍ଧରେ କୁରାଢୀ ପକାଇ ସେ ଜଙ୍ଗଲକୁ ଗଲା । ମନ୍ଦୋଦରୀ କଥା ଅନୁସାରେ ଜଙ୍ଗଲ ଖୋଜିବା ପରେ ସ୍ଥାନଟି ସେ ଦେଖିଲା, ଦେବୀମୂର୍ତ୍ତି ମଧ୍ୟ ଦେଖିଲା, ଚୋଟ ମାରିବାକୁ ସେ କୁରାଢୀ ଉଠାଇଲା । ଠିକ୍ ତା ପରମୂହୁର୍ତରେହିଁ ଭୂମିକମ୍ପ ଉଠିଲା; ମୂର୍ତ୍ତି ମଧ୍ୟରୁ ଆଲୋକ ଦେଖା ଦେଲା । ଗୁରୁଦାସର ଆଖି ସେ ଆଲୁଅରେ ଅନ୍ଧ ହୋଇଗଲା । ସେ ଏକ ଭୟଙ୍କର ସ୍ୱର ଶୁଣିଲା ।

                “ନୀଚ୍ଚ, ସ୍ୱାର୍ଥପର, ତୁ ଖାଦ୍ୟ ଲୋଭରେ ମୋତେ କୁରାଢୀ ମାରିବାକୁ ଯାଉଛୁ?” ଗୁରୁଦାସ ଅନୁଭବ କଲା ତା’ ଦେହ ଥରୁଛି । ସାରା ଦେହ ଜଳୁଛି ଓ ଆଖି ଅନ୍ଧ । ସେ ଅଣ୍ଡାଳି ସାଷ୍ଟାଙ୍ଗ ପ୍ରଣିପାତ କରି କହିଲା, “ମା, ମୋତେ କ୍ଷମା କର । ଜାଣେ ମୋର ଅପରାଧର କୌଣସି କ୍ଷମା ନାହିଁ । ତେବେ ବଳଭଦ୍ର ତ ଏପରି କଲା, ତୁ ତା’ ଉପରେ କୃପାଦୃଷ୍ଟି ଦେଲୁ । ମୋର ଦୋଷ କ’ଣ? ମୋ ଉପରେ ଏ କ୍ରୋଧ କାହିଁକି?” ଦେବୀମାତା କହିଲେ “ବଳଭଦ୍ର ସିନା ଆଜନ୍ମ ଦରିଦ୍ର । ହେଲେ ତୁ ତ ଆଉ ଦରିଦ୍ର ନୋହୁଁ କ୍ଷମା କାହିଁକି କରିବି?”

                ସେ କହିଲା “ସେ ଦରିଦ୍ର । ମୁଁ ଅଜ୍ଞାନୀ । ମୋତେ କ୍ଷମା କର ।” ଦେବୀ କହିଲେ “ଗୋଟିଏ ସର୍ତ୍ତରେ ମୁଁ ତୋତେ କ୍ଷମା କରିପାରେ । ବଳଭଦ୍ରର ପାତ୍ରରେ ସବୁ ଦେଇଛି । କିନ୍ତୁ ଘିଅ ଦେଇ ନାହିଁ । ତୁ ଯଦି ସବୁଦିନେ କିଛି ଘିଅ ନେଇ ତାକୁ ଦେବୁ, ତେବେ ତୋର ପାପର ପ୍ରାୟଶ୍ଚିତ ହେବ ।”

                ସେ କହିଲା “ମା’ ତୋର ଯାହା ଇଚ୍ଛା । କିନ୍ତୁ ମୋତେ ସୁସ୍ଥ କରିଦେ, ଅନ୍ଧ ହୋଇଗଲି ।” ତା’ପରେ ସେ ଧୀରେ ଧୀରେ ସୁସ୍ଥ ହୋଇ ଘରକୁ ଫେରି ସ୍ତ୍ରୀକୁ ସବୁକଥା କହିଲା ।” ତୋରି କଥା ଶୁଣି ଆଜି ମୋର ଏପରି ଦଶା ହେଲା । ଆମେ ତ ଭଲରେ ଥିଲେ । ଭଗବାନ ଯାହା ଦେଇଥା’ନ୍ତି ସେଥିରେ ସନ୍ତୁଷ୍ଟ ରହିବା ଆମର ଉଚିତ୍ । ଆମକୁ ତ ଭଗବାନ୍ କିଛି ଅଭାବରେ ରଖି ନଥିଲେ । ତୁ କେବଳ ଅନ୍ୟର ଭଲ ଦେଖି ଈର୍ଷ୍ୟା କରି ମୋତେ ଏପରି ବିପଦରେ ପକାଇଲୁ ଦେଖିଲୁ ତ ଫଳ କିପରି ବିପରୀତ ହେଲା?” ମନ୍ଦୋଦରୀ ଏଥର ମନେ ମନେ ବହୁତ ରାଗିଲା; ପ୍ରତିଦିନ କିଛି ଘିଅ ନେଇ ବଳଭଦ୍ର ଘରେ ଦେଇ ଆସୁଥାଏ ତା’ଛଡା ଆଉ ତ କିଛି କରିବାର ଉପାୟହିଁ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ