ଯାଦୁ ମହଲ

(ରାଜକୁମାରୀଙ୍କୁ ଠାବ କରିବା ପାଇଁ ମହେନ୍ଦ୍ରନାଥ ପ୍ରଥମେ ହ୍ରଦ ଭିତରେ ଥିବା ପ୍ରାସାଦକୁ ଯାଇ ସେଠାରେ ଭଲ ଭାବରେ ସବୁ ଦେଖିଲେ; ହ୍ରଦରେ ଚଳପ୍ରଚଳ ହେଉଥିବା ନାବିକ ସହିତ ସେ କଥାବାର୍ତ୍ତା ହୋଇ ନିଜର ଲକ୍ଷ୍ୟ ବିଷୟରେ କହିଲେ । ନାବିକଟି ସବୁ ଶୁଣି ତାଙ୍କର ସାଫଲ୍ୟ କାମନା କଲା । ଏଥର ଆଗକୁ ପଢନ୍ତୁ)

                ନାବିକଠାରୁ ବିଦାୟ ନେବା ପରେ ମହେନ୍ଦ୍ର ହ୍ରଦର କୂଳେ କୂଳେ ଚାଲିବାକୁ ଲାଗିଲେ । ଅଳ୍ପ ଜଙ୍ଗଲିଆ ଭୂଇଁରେ ରାସ୍ତା ନଥିଲା, ସେ ବେଳେବେଳେ କିଛିଦୂର ପର୍ଯ୍ୟନ୍ତ ଚଲାବାଟ ଯାଉଥିଲେ । କେବେ ବା ପୁଣି ତାହା ନିଶ୍ଚିହ୍ନ ହୋଇ ରହୁଥିଲା । ତେଣୁ ସେ ଗଛର ଡାଳ କାଟି କାଟି ରାସ୍ତା କରିଥିଲେ । ଶେଷରେ ଯାଇ ଯାଇ ସେ ଏକ ଖୋଲା ସ୍ଥାନରେ ପହଁଚିଲେ । ବଡ ବଡ ପଥର ଖଣ୍ଡ ସେଠାରେ ଅଛି ଓ ହ୍ରଦକୁ ଓହ୍ଲାଇବା ପାଇଁ ପାହାଚ ହୋଇଛି ।

                ପଥର ଉପରକୁ ଉଠିଯାଇ ସେ ଚାରିଆଡକୁ ଚାହିଁ ଦେଖିଲେ । ନିକଟରେ କୌଣସି ଲୋକାଳୟ ନାହିଁ । ଅନତିଦୂରରେ ଗୋଟିଏ କୁଟୀର । ମହେନ୍ଦ୍ର ସେଇଆଡକୁ ଗଲେ । ସେଠାରେ ପହଁଚି ସେ ଦେଖିଲେ କେହି କେଉଁଠି ନାହିଁ । ହଠାତ୍ ପଛରୁ ଏକ ଗମ୍ଭୀର କଣ୍ଠରେ କିଏ କହିଲେ, “ବତ୍ସ, ଏଠାରେ କ’ଣ ତୁମେ କାହାକୁ ଖୋଜୁଛ?” ଏକଥା ଶୁଣି ମହେନ୍ଦ୍ର ହଠାତ୍ ପଛକୁ ଫେରି ଚାହିଁ ଦେଖିଲେ ସେ ଜଣେ ସନ୍ନ୍ୟାସୀ ।

ମହେନ୍ଦ୍ର କହିଲେ, “ସେପରି କିଛି ନୁହେଁ, ମୁଁ ଏହି ଜଙ୍ଗଲରେ ବୁଲୁବୁଲୁ ଏଠାରେ ଆସି ପହଁଚି ଗଲି ।” ସନ୍ନ୍ୟାସୀଙ୍କର କରୁଣାପୂର୍ଣ୍ଣ ଦୃଷ୍ଟି ଓ ଶାନ୍ତ ମୁଖମଣ୍ଡଳ ଦେଖି ସେ ଅଭିଭୂତ ହେଲେ ।

ସନ୍ନ୍ୟାସୀ ମହେନ୍ଦ୍ରଙ୍କ କାନ୍ଧରେ ହାତ ରଖି ବଡ ସ୍ନେହରେ କହିଲେ “ଆଉ ଅଳ୍ପ ସମୟ ପରେ ତ ଅନ୍ଧକାର ଆସିଯିବ; ସଂଧ୍ୟାବେଳେ ଏହି ବନ ମଧ୍ୟରେ ତୁମେ କୁଆଡେ ବୁଲିବା ଆଦୌ ଉଚିତ୍ ହେବ ନାହିଁ । ଆଜି ରାତିରେ ତୁମେ ଏଠାରେ ମୋ କୁଟୀରରେ ରହି ଯାଅ ।” ଏହାପରେ ସେ ସନ୍ନ୍ୟାସୀ ଓ ମହେନ୍ଦ୍ରନାଥ କୁଟୀରରେ ପ୍ରବେଶ କଲେ । ସନ୍ନ୍ୟାସୀ କହିଲେ, “ମୁଁ ବହୁବର୍ଷ ଧରି ନାନା ସ୍ଥାନ ବୁଲି ଦେଖିଲି । କିନ୍ତୁ ଏକାନ୍ତରେ ଓ ଶାନ୍ତିରେ ରହିବା ପାଇଁ ଶେଷରେ ଏହି ସ୍ଥାନକୁ ମୁଁ ପସନ୍ଦ କଲି । ଏଠାରେ ପହଁଚିବା ପରେ ମୋର ଆଉ କୁଆଡକୁ ଯିବାକୁ ମନ ହେଉନାହିଁ । ମୋର ଠିକ୍ସେ ମନେ ନାହିଁ କେତେବର୍ଷ ମୁଁ ଏଠି ରହିଲିଣି । କିନ୍ତୁ ଏପଟ ଅଂଚଳରେ ପ୍ରଥମ ବ୍ୟକ୍ତି ତୁମକୁ ମୁଁ ଆଜି ଦେଖୁଛି ।”

ମହେନ୍ଦ୍ରନାଥ ସନ୍ନ୍ୟାସୀଙ୍କର ପଦସେବା କରୁ କରୁ କହିଲେ, “ଭଗବାନ୍, ମୋର ନାମ ମହେନ୍ଦ୍ରନାଥ, ମୁଁ ବୀରଗିରିରେ ରହେ । ସେଠାରେ ମୋ ମା ମନ୍ଦିର ପାଇଁ ଫୁଲ ତୋଳେ ଓ ମାଳା ତିଆରି କରେ; ଶୈଶବରେ ମୋର ପିତାଙ୍କର ଦେହାନ୍ତ ହୋଇଗଲା । ନିଜ ଲୋକ ଭିତରେ ମୋର ମା’ ଓ ଦାଦା ଖୁଡୀ । ଖୁଡୀ ଗୋଟିଏ ପିଲାକୁ ଜନ୍ମ କରିବାକୁ ଯାଇ ହଠାତ୍ ମରିଗଲେ । ସେ ଦୁଃଖ ସହି ନପାରି ମୋର ଦାଦା ଦିନେ ଘର ଛାଡି କୁଆଡେ ପଳାଇଲେ ଯେ ସେ ଆଉ ଫେରି ନାହାଁନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ