ଦୁରାଶା

ନାଥିଆ ବଡ ଦରିଦ୍ର ଥିଲା । ଛିଣ୍ଡାକନ୍ଥା ପିନ୍ଧି ଘର ଘର ବୁଲି ସେ ଭିକ ମାଗେ । ତା’ ବେଶ ଦେଖି କୁକୁର ଭୁକନ୍ତି । କ୍ଷେତରେ ଥିବା ଚାଷୀମାନେ ଖାଇବା ପରେ ଯାହା ବଳକା ଥାଏ, ସେତକ ତାକୁ ସେମାନେ ଡାକି ଦେଇ ଦିଅନ୍ତି । ବେଳେବେଳେ ଦିନ ଦିନ ଧରି ତାକୁ କିଛି ଖାଇବାକୁ ମିଳେ ନାହିଁ । ଯେଉଁ ଦିନ ଯାହା ମିଳେ ତାହା ସେ ଖାଏ, ନହେଲେ ସେ ସେମିତି ଉପାସରେ ଶୁଏ ।

                ଏଥର ଅନ୍ୟବର୍ଷ ପରି ଫସଲ ଭଲ ନ ହେବାରୁ ଭିକ୍ଷା ମିଳିବା ମଧ୍ୟ କଷ୍ଟ । ସେ ଗୋଟିଏ ଗ୍ରାମରୁ କିଛି ନ ପାଇବାରୁ ସେ ଗ୍ରାମ ଛାଡି ଆଗ ଗ୍ରାମରେ ଯାଇ ଭିକ୍ଷା ମାଗିଲା । ରାସ୍ତାରେ ଯାଉ ଯାଉ ଜଣେ ବୁଢାକୁ ସେ ଭେଟିଲା । ବୁଢା ତାକୁ କହିଲା, “ତୁମକୁ ଦେଖିଲେ ମୋତେ ଭାରି ଦୟା ଲାଗୁଛି । ତୁମ ପେଟ ତ ପିଠିରେ ଲାଗିଯାଇଛି । ଏ ନିଅ ଚଣା ।” ଏତିକି କହି ବୁଢା ଚଣାଟିଏ ତାକୁ ଦେଲା । ନାଥିଆ ପଚାରିଲା ଚଣାଟିଏ ନେଇ ମୁଁ କ’ଣ କରିବି? ଏଥିରେ ମୋ ପେଟ କିପରି ଭରିବ?”

                ବୁଢାଟି କହିଲା “ଏଇଟି ଖାଇଦେଲେ ତୁମର ବେଶି କିଛି ଲାଭ ହେବ ନାହିଁ । କିନ୍ତୁ ଏଇଟି ତୁମ ପାଖରେ ଥିଲେ, ତୁମକୁ ସମସ୍ତେ ଅତିଥି ଭାବରେ ସତ୍କାର କରିବେ । ମୋ କଥା ଉପରେ ବିଶ୍ୱାସ ରଖ ।”

                ଅନ୍ଧକାର ହେବା ପୂର୍ବରୁ ନାଥିଆ ଗୋଟିଏ ଗ୍ରାମରେ ଯାଇ ପହଁଚିଲା । ଗୋଟିଏ ଘର ପାଖରେ ଠିଆ ହୋଇ ବଡ ପାଟିରେ ସେ କହିଲା, “ଘର ମାଲିକେ, ମୁଁ କ୍ଷୁଧାର୍ତ୍ତ, କିଛି ଖାଇବାକୁ ଦିଅ ।”

                ଘରର ମାଲିକ ବାହାରକୁ ଆସି ସେହି ଭିକାରୀକୁ ଦେଖିଲେ । ତା’ପରେ ସେ ତାକୁ ଭିତରକୁ ଡାକିନେଇ ପେଟ ପୂରାଇ ଖାଇବାକୁ ଦେଲେ । “ଆଜି ରାତିକ ପିଣ୍ଡାରେ ଶୋଇଯାଅ । ଏତେବେଳେ ତମେ ଆଉ କୁଆଡେ ବା’ ଯିବ?”

ନାଥିଆ ଖୁସି ହେଲା । ଆଜି ପ୍ରଥମ ଥର ପାଇଁ ସେ ଏପରି ଆଦର ଓ ସହାନୁଭୂତି ପାଇଲା । ସେ ଭାବିଲା ଏ ସବୁ ସେଇ ଚଣାରହିଁ ମହିମା ।

ସକାଳୁ ଘରବାଲାର କୁକୁଡା ନାଥିଆ ପାଖକୁ ଆସିଲା । କୁକୁଡା ତା’ର ଚଣାଟି ଖାଇ ଦେଉଛି ନାଥିଆ ଚିତ୍କାର କରି କହିଲା, “ହେ ଭଗବାନ୍, ମୋ ଚଣାକୁ କୁକୁଡା ଖାଇଗଲା ।”

ଘରର ମାଲିକ ବାହାରକୁ ଆସି କହିଲେ, “ଗୋଟିଏ ଚଣା କୁକୁଡା ଖାଇ ଦେଲା ତ ସେଥିପାଇଁ କାହିଁକି ଏତେ ଚିତ୍କାର କରୁଛ? ଯେତେ ଚଣା ଦରକାର ନେଇଯାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ