ଗ୍ରୀଷ୍ମ ଦିନ ହୋଇଥାଏ । ଖରା ତେଜରେ ନଦୀ, ନାଳ, କୂଅ, ପୋଖରୀ ସବୁ ଶୁଖିଗଲା । ରାଜ୍ୟର ଅବସ୍ଥା ଅନୁଧ୍ୟାନ କରିବାକୁ ଦିନେ ଆକବର ବିରବଲଙ୍କୁ ସାଙ୍ଗରେ ଧରି ବାହାରିଲେ । ରାସ୍ତାରେ ଯିବା ସମୟରେ ଏକ କୂପ ପଡିଲା । ରାଜା ବିରବଲଙ୍କର ବୁଦ୍ଧି ପରୀକ୍ଷା କରିବାପାଇଁ ହଠାତ୍ ନିଜ ହାତରୁ ମୁଦି ବାହାର କରି କୂପ ମଧ୍ୟକୁ ଫିଙ୍ଗିଦେଲେ । କୂପରେ ତ’ ପାଣି ନଥାଏ । ଏହାପରେ ରାଜା ବିରବଲଙ୍କୁ ପ୍ରଶ୍ନ କଲେ, “ବିରବଲ! କୂପ ମଧ୍ୟରେ ମୁଁ ମୋର ମୁଦିଟିକୁ ପକାଇଲି । ତୁମେ କୂପ ମଧ୍ୟରେ ପ୍ରବେଶ ନକରି ମୁଦି ବାହାର କରି ମୋତେ ଆଣି ଦେଇପାରିବ କି?”
ରାଜାଙ୍କ କଥା ଶୁଣି ସାରିବାପରେ ବିରବଲ କିଛି ସମୟ ନୀରବ ରହି କହିଲେ, “ମହାରାଜ! ଏ ଦୁନିଆଁରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଆପଣ ମୋତେ ଯେଉଁ କାର୍ଯ୍ୟ କରିବାକୁ କହିଲେ ମୁଁ କରିପାରିବି । ହେଲେ କିଛି ଦିନ ଲାଗିଯିବ ।” ବିରବଲଙ୍କ କଥା ଶୁଣି ଆକବର କହିଲେ, “ବିରବଲ! ତୁମେ ଯେତେଦିନ ଚାହିଁବ ମୁଁ ତୁମକୁ ସେତେ ଦିନ ସମୟ ଦେବି ।” ପରଦିନ ବିରବଲ ରାସ୍ତାରୁ କିଛି ଗାଈ ଗୋବର ଆଣି କୂପର ଯେଉଁ ସ୍ଥାନରେ ମୁଦି ପଡିଥିଲା ସେହି ସ୍ଥାନରେ ପକାଇ ଦେଲେ । କୂପ ତ’ ଶୁଖିଲା ଥିଲା । ଖରା ତେଜରେ ଗୋବର ଗୁଡିକ ଶୁଖିଗଲା । ଖରାଦିନ ପରେ ବର୍ଷା ଦିନ ଆସିଲା । ଜୋର୍ ବର୍ଷା ହେବାରୁ ନଦୀ, ନାଳ, କୂଅ, ପୋଖରୀ ସବୁ ପାଣିରେ ଭର୍ତି ହୋଇଗଲା । ଏହି ସମୟରେ ରାଜା ଆକବରଙ୍କୁ ବିରବଲ ସାଂଗରେ ଧରି ରାଜ୍ୟ ଭ୍ରମଣରେ ବାହାରିଲେ । ଯେମିତି ରାଜା ଯାଇ କୂପ ନିକଟରେ ପହଁଚିଛନ୍ତି, ବିରବଲ ମଧ୍ୟ କୂପ ପାଖକୁ ଚାଲିଗଲେ । ବିରବଲ ଦେଖିଲେ ଶୁଖିଲା ଗୋବର ଗଦାଟି ବର୍ଷାପାଣି ପାଇ ଉପରକୁ ଉଠି ଆସିଛି । ଏହାପରେ ବିରବଲ ହାତ ବଢାଇ ଗୋବର ଗଦାଟିକୁ ଉପରକୁ ନେଇ ଆସିଲେ । ରାଜାଙ୍କ ଆଗରେ ଗୋବର ଗଦାକୁ ଭାଙ୍ଗି ଦେଇ ରାଜାଙ୍କ ମୁଦି ସେଥିରୁ ବାହାର କରିଦେଲେ ।
ବିରବଲଙ୍କ ପ୍ରଖର ବୁଦ୍ଧି ଦେଖି ରାଜାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ରାଜା ଖୁସି ମନରେ ସେହି ମୁଦିଟି ବୀରବଲଙ୍କ ଆଙ୍ଗୁଠିରେ ପିନ୍ଧାଇଦେଲେ ।