ଚାଣକ୍ୟ କଥା

ପ୍ରାଚୀନ କାଳରେ ଚଣକ ଗ୍ରାମରେ ଚଣି ନାମକ ଏକ ବ୍ୟକ୍ତି ଥିଲେ । ସେ ବ୍ୟକ୍ତି ଆଜୀବକମତାବଲମ୍ବୀ ଥିଲେ । ତାଙ୍କ ପତ୍ନୀଙ୍କ ନାମ ଚଣେଶ୍ୱରୀ ଥିଲା । ତାଙ୍କରି ପୁତ୍ର ହେଉଛନ୍ତି ଇତିହାସ ପ୍ରସିଦ୍ଧ ବ୍ୟକ୍ତି ଚାଣକ୍ୟ ।

                ଚାଣକ୍ୟ ଜନ୍ମରୁହିଁ ଏକ ବ୍ୟତିକ୍ରମ ଥିଲେ । ସବୁଗୁଡିକ ଦାନ୍ତ ଥାଇ ସେ ଜନ୍ମ ହୋଇଥିଲେ । ମୁନିମାନେ କହିଲେ ଯେ ଦାନ୍ତ ଥାଇ ଜନ୍ମ ହେବା ବ୍ୟକ୍ତି ଭବିଷ୍ୟତରେ ରାଜା ହୁଅନ୍ତି । ଏକଥା ଶୁଣି ପିତା ଚଣି ଶିଶୁର ଦାନ୍ତଗୁଡିକ ଉପାଡି ଦେଲେ, କାରଣ ସେ ଏସବୁ ଭୌତିକ ସୁଖ ପରିବର୍ତ୍ତେ ଶିଶୁ ଯେପରି ଭବିଷ୍ୟତରେ ବ୍ରହ୍ମାନନ୍ଦ କରି ପାରିବ ତାହା ସେ ଚାହୁଁଥିଲେ । ତା’ପରେ ପୁଣି ମୁନିମାନେ ଭବିଷ୍ୟତବାଣୀ କଲେ ଯେ ଚାଣକ୍ୟ ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷ ଭାବରେ ଦିନେହେଲେ ବି ରାଜ୍ୟ ଶାସନ କରିବ ।

                କାଳକ୍ରମେ ଚାଣକ୍ୟ ବଡ ହେଲେ ଓ ସକଳ ଶାସ୍ତ୍ର ଅଧ୍ୟୟନ କଲେ ଓ ସମୟ ଅନୁସାରେ ସେ ଏକ ଗରୀବ କନ୍ୟାକୁ ବିବାହ କଲେ । ଥରେ ସାନ ଭାଇର ବିବାହ ଉତ୍ସବରେ ଯୋଗ ଦେବାପାଇଁ ତାଙ୍କ ପତ୍ନୀ ପିତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କର ଅନ୍ୟ ଦୁଇ ବିବାହିତା ଭଉଣୀ ମଧ୍ୟ ଥିଲେ । ସେମାନେ ଧନୀ ଥିଲେ । ତେଣୁ ସାନ ଭଉଣୀର ଗରୀବ ଅବସ୍ଥା ଦେଖି ତାକୁ ସେମାନେ ବହୁତ ଅପମାନିତ କଲେ । ସେ ଦୁଃଖରେ ଶ୍ୱଶୁର ଘରକୁ ଫେରି ଆସି ସ୍ୱାମୀଙ୍କୁ ସବୁକଥା କହିଲେ । ଏକଥା ଶୁଣି ଧନ ଅର୍ଜ୍ଜନ କରିବାକୁ ସଂକଳ୍ପ କରି ଚାଣକ୍ୟ ଘରୁ ବାହାରି ପଡିଲେ । ଚାଣକ୍ୟ ତ ଶୁଣିଥିଲେ ଯେ ପାଟଳୀପୁତ୍ରର ରାଜା ନନ୍ଦ ବୁଦ୍ଧିଜୀବୀମାନଙ୍କୁ ଅଧିକ ସତ୍କାର କରିଥା’ନ୍ତି । ସେ ଯାଇ ପାଟଳୀପୁତ୍ରରେ ପହଁଚିଲେ ଓ ଶେଷରେ ସେ ନନ୍ଦଙ୍କ ଦରବାରରେ ଯାଇ ପହଁଚିଲେ । ସେଠାରେ ଏକ ସୁସଜ୍ଜିତ ଆସନ ଦେଖି ତା’ଉପରେ ସେ ବସି ପଡିଲେ, ମାତ୍ର ସେତେବେଳ ପର୍ଯ୍ୟନ୍ତ ରାଜା ଦରବାରକୁ ଆସି ନଥାନ୍ତି ।

                କିଛି ସମୟ ପରେ ରାଜା ନନ୍ଦ ଓ ତାଙ୍କ ପୁତ୍ର ସେଠାରେ ଆସି ପହଁଚିଲେ । ଜଣେ ପରିଚାରକ ଚାଣକ୍ୟକୁ ଅନ୍ୟ ଏକ ଆସନ ବସିବାକୁ ଦେଲେ ମଧ୍ୟ ସେ ସେଠାରୁ ଆଉ ଉଠିଲେ ନାହିଁ । ସେ ଏସବୁ ଇଚ୍ଛା କରି କରିଥିଲେ । ତା’ପରେ ଅନ୍ୟ ଏକ ଆସନରେ ତାଙ୍କ ଗଡୁ, ଅନ୍ୟ ଏକ ଆସନରେ ତାଙ୍କ ଲୁଗା, ଏବଂ ଅନ୍ୟ ଏକ ଆସନରେ ତାଙ୍କ ବାଡି ମଧ୍ୟ ସେ ରଖିଥା’ନ୍ତି । ରାଜଦରବାରରେ ଜଣେ ବିଦେଶୀର ଏପରି ଧୃଷ୍ଟତା ପରିଚାରକ ଆଦୌ ସହ୍ୟ କରି ପାରିଲା ନାହିଁ । ସେ ଚାଣକ୍ୟଙ୍କୁ ମାରି କରି ସେଠାରୁ ବାହାର କରିଦେଲା । ଏଥିରେ ଚାଣକ୍ୟଙ୍କର କ୍ରୋଧ ଅସହ୍ୟ ହୋଇ ଉଠିଲା । ସେ ଶପଥ କଲେ କି ନନ୍ଦ ବଂଶ ଧ୍ୱଂସ କରିବେ । ତା’ପରେ ସେ ସେଠାରୁ ବାହାରି ଆସିଲେ ।

                ପ୍ରଥମରୁହିଁ ଚାଣକ୍ୟ ଜାଣିଥିଲେ କି କୌଣସି ଯୋଗ୍ୟ ବ୍ୟକ୍ତିର ସହାୟତାରେହିଁ ସେ ରାଜ୍ୟ ଶାସନ କରିପାରିବେ । ତେଣୁ ସେ ଏକ ଯୋଗ୍ୟ ବ୍ୟକ୍ତିର ଅନ୍ୱେଷଣ କରୁଥା’ନ୍ତି । ସେ ଇତିମଧ୍ୟରେ ଅନେକ ଗ୍ରାମ, ନଗର ବୁଲି ସାରିଥା’ନ୍ତି । ବୁଲୁ ବୁଲୁ ଥରେ ସେ ଏକ ଗ୍ରାମରେ ଯାଇ ପହଁଚିଲେ । ସେ ଗ୍ରାମର ଲୋକେ ରାଜାଙ୍କର ମୟୁର ସବୁ ପାଳି ଥାଆନ୍ତି । ସେହି ଗ୍ରାମର ମୁଖିଆଙ୍କର ଝିଅ ସେତେବେଳେ ଗର୍ଭବତୀ ଥାଏ । ସେ ଚନ୍ଦ୍ରଙ୍କର କିରଣ ପାନ କରିବାକୁ ଇଚ୍ଛା କରିଥାଏ । ଗର୍ଭବତୀ ନାରୀର ଇଚ୍ଛା ପୂରଣ କରିବା କଥା । କିନ୍ତୁ ଏହା ଏକ ଅଜବ କଥା ଥିଲା । ଚାଣକ୍ୟ ଏ ବିଷୟରେ କିଛି ସମୟ ଚିନ୍ତା କରି ଗ୍ରାମ ମୁଖିଆଙ୍କୁ କହିଲେ, “ମୁଁ ଆପଣଙ୍କ କନ୍ୟାକୁ ଚନ୍ଦ୍ର କିରଣ ପାନ କରାଇ ପାରିବି । କିନ୍ତୁ ତା’ ଗର୍ଭରୁ ଜନ୍ମ ନେଉଥିବା ପୁତ୍ର ମୋ ଦାୟିତ୍ୱରେ ରହିବ ।” ତାଙ୍କ କଥାରେ ସେମାନେ ସମ୍ମତ ହେଲେ ।

ଚାଣକ୍ୟ ଗୋଟିଏ କୁଟୀର ବନାଇଲେ । ସେଥିରେ କୌଣସି ଝରକା ନଥାଏ । ଭିତର ଅନ୍ଧକାର, ଛପର ମଝିରେ ଗୋଟାଏ କଣା କରିଥା’ନ୍ତି ଯେପରିକି ଚନ୍ଦ୍ର କିରଣ ଯାଇ ଘର ମଝିରେ ପଡିବ । ଯେଉଁଠି କିରଣ ପଡିଥାଏ ସେଠାରେ ମିଠା ଦୁଧର ଏକ ପାତ୍ର ରଖା ହୋଇଥାଏ । ତାହା ଚନ୍ଦ୍ରର ଭ୍ରମ ସୃଷ୍ଟି କରୁଥାଏ । ଗର୍ଭବତୀ ନାରୀ ତାହା ପିଇ ସନ୍ତୁଷ୍ଟ ହେଲା । କିଛିଦିନ ପରେ ତା’ର ଗୋଟିଏ ପୁଅ ଜନ୍ମ ହେଲା । ତା’ର ନାମ ଚନ୍ଦ୍ରଗୁପ୍ତ ରଖାଗଲା ।

ତା’ପରେ ଚାଣକ୍ୟ ଧନ ଅର୍ଜନ ପାଇଁ ଦେଶାଟନ କଲେ । କିଛି ବର୍ଷ ପରେ ସେ ପୁନର୍ବାର ସେହି ଗ୍ରାମକୁ ଫେରି ଆସି ଦେଖିଲେ ତ ଗ୍ରାମ ସୀମାନ୍ତରେ ଗୁଡିଏ ଗାଈଆଳ ପିଲା ଖେଳୁଛନ୍ତି; ତାଙ୍କ ମଧ୍ୟରେ ଜଣେ ସୁନ୍ଦର ବାଳକ ଏକ ପଥର ଉପରେ ବସି ନିଜକୁ ରାଜା ବୋଲାଉଛି । ଚାଣକ୍ୟ ସେହି ବାଳକକୁ ପରୀକ୍ଷା କରିବା ପାଇଁ କୌତୁକରେ କହିଲେ, “ମହାରାଜ, ମୋତେ କିଛି ଦାନ ଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ