ଆନ୍ତର ସୌନ୍ଦର୍ଯ୍ୟ

ଧର୍ମପୁର ଗ୍ରାମରେ ଦୁଇ ମିତ୍ର ଥିଲେ । ସେମାନେ ହେଲେ କେଶବ ଓ ରାଜୀବ । ପରେ ଜୀବିକା ଅର୍ଜନ ସକାଶେ ସେ ଦୁହେଁ ଦୁଇଟି ଭିନ୍ନ ଗ୍ରାମରେ ରହି ବ୍ୟବସାୟ କଲେ ମଧ୍ୟ ସେମାନଙ୍କର ମିତ୍ରତା ଅତୁଟ ଥିଲା ।

                କିଛିଦିନ ମଧ୍ୟରେ ସେ ଦୁଇଜଣଙ୍କର ବ୍ୟବସାୟ ବହୁତ ଉନ୍ନତି କଲା । ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ । କେଶବର ପୁଅ ବିଦ୍ୟାଧର ଓ ରାଜୀବର ଝିଅ ମନ୍ଦାକିନୀ – ଏ ଦୁଇଜଣଙ୍କର ବିବାହ ଯୋଗ୍ୟ ବୟସ ହୋଇ ଯାଇଥାଏ । ଦୁଇ ମିତ୍ରଙ୍କର ଇଚ୍ଛା ଥାଏ ଏମାନଙ୍କୁ ବିବାହ ଦେଇ ଦୁଇ ବନ୍ଧୁଙ୍କର ବନ୍ଧୁତା ସ୍ଥାୟୀ କରିବେ ।

                ଦିନେ ସେ ଦୁଇଜଣ ନିଜ ନିଜର ମନକଥା ନିଜ ନିଜର ପୁଅ ଝିଅଙ୍କୁ କହିଲେ । ଏହା ଶୁଣି ମନ୍ଦାକିନୀ ଭାରି ଖୁସି ହେଲା, କାରଣ ପିଲାଦିନରୁ ବିଦ୍ୟାଧରକୁ ବିବାହ କରିବା ତ ତା’ର ଏକ ସ୍ୱପ୍ନ ଥିଲା । କିନ୍ତୁ ବିଦ୍ୟାଧର ପ୍ରଥମେ ସମ୍ମତି ଦେଲାନାହିଁ, କାରଣ ତା’ ଆଖିରେ ମନ୍ଦାକିନୀ ଏତେ ବେଶୀ ସୁନ୍ଦରୀ ନୁହେଁ ।

                କେଶବ ତା’ ପୁଅକୁ ବହୁତ ବୁଝାଇଲା, କିନ୍ତୁ ବିଦ୍ୟାଧର କହିଲା, “ପତ୍ନୀ ପସନ୍ଦ କରିବା ମୋ ଉପରେ ଛାଡି ଦିଅନ୍ତୁ ।”

                କେଶବକୁ ଏହା ବଡ ବିରକ୍ତ ଲାଗିଲା । ସେ କହିଲା, “ଏମିତି କଥା କହୁଛୁ ଯେପରି ତୁ ଜଣେ ରାଜକୁମାର! ମୋ କଥା ମାନି, ମନ୍ଦାକିନୀକୁ ବିବାହ କର ।”

                “ହେଲା ଏବେ ମୁଁ ରାଜକୁମାର ନୁହେଁ । ତଥାପିବି ମୋର ଏତିକି ସ୍ୱାଧୀନତା ଅଛି ଯେ ମୋ ପାଇଁ ମୁଁ ନିଜେ କନ୍ୟା ପସନ୍ଦ କରିବି । ମୋର ଆବଶ୍ୟକ ସୁନ୍ଦରୀ ଝିଅ ଏବଂ ସେପରି ଝିଅ ଖୋଜିବା ପାଇଁ ମୁଁ ନିଜେ ଦେଶ ଭ୍ରମଣରେ ଯିବି ।” ଏହାକହି ବିଦ୍ୟାଧର ତା’ ଘରୁ ବାହାରିଗଲା ।

                ଏଣେ ରାଜୀବ ଯେତେବେଳେ ବିଦ୍ୟାଧରର ନିଷ୍ପତି ଜାଣିଲା, ସେତେବେଳେ ତା’ର ମନ ବଡ ଦୁଃଖ ହେଲା । କିନ୍ତୁ ଏ ନିଷ୍ପତିରେ ମନ୍ଦାକିନୀ ଆଦୌ ବିଚଳିତ ହେଲା ନାହିଁ । ସେ କହିଲା, “ଏପରି କେତେକ ଲୋକ ଥା’ନ୍ତି ଯେଉଁମାନେ କେବଳ ସ୍ୱପ୍ନ ରାଜ୍ୟରେ ବୁଲୁଥା’ନ୍ତି । ବିଦ୍ୟାଧର ବି ସେହିମାନଙ୍କ ମଧ୍ୟରୁ ଜଣେ । ଠିକ୍ ଅଛି ମୁଁ ତା’ର ମନ ବଦଳାଇବାକୁ ଚେଷ୍ଟା କରିବି । ହେଲେ ସେଥିପାଇଁ ମୁଁ କିଛି ସମୟ ଚାହେଁ ଓ ଆପଣଙ୍କ ଅନୁମତି ।”

                ରାଜୀବ ତା’ ଝିଅର ପ୍ରସ୍ତାବକୁ ସ୍ୱୀକାର କଲା । ତା’ପରେ ମନ୍ଦାକିନୀ ଏକ ପୁରୁଷ ବେଶ ଧାରଣ କରି ବିଦ୍ୟାଧରକୁ ଖୋଜିବାକୁ ଘରୁ ବାହାରି ଗଲା । ଖୋଜି ଖୋଜି ଶେଷରେ ସେ ଯାଇ ତାକୁ ଏକ ଗ୍ରାମରେ ପାଇଲା ।

                ପୁରୁଷ ବେଶରେ ଥିବାରୁ ବିଦ୍ୟାଧର ମନ୍ଦାକିନୀକୁ ମୋଟେ ଚିହ୍ନିପାରିଲା ନାହିଁ । ମନ୍ଦାକିନୀ କହିଲା, “କହିପାରିବ ତୁମର ଏପରି ଦେଶ ଭ୍ରମଣ କେବେ ଶେଷ ହେବ?”

                ବିଦ୍ୟାଧର କହିଲା “ମୁଁ କୌଣସି ସୁନ୍ଦରୀ କନ୍ୟା ଖୋଜୁଛି । ପାଇଲେ ତାକୁ ମୁଁ ବିବାହ କରିବି । ଖୋଜୁ ଖୋଜୁ ବର୍ଷ ବର୍ଷ ମଧ୍ୟ ବିତିଯାଇ ପାରେ । ମୋ କଥା ଛାଡ । ଏବେ ତୁମ କଥା କୁହ ।”

                ମନ୍ଦାକିନୀ କହିଲା “ମୁଁ ସଂଗୀତକୁ ବହୁତ ଭଲ ପାଏ । ଝିଅମାନଙ୍କର ସୌନ୍ଦର୍ଯ୍ୟ ବିଷୟରେ ମୁଁ ଆଦୌ ପ୍ରଭାବିତ ନୁହେଁ । କିଛି ବର୍ଷ ପୂର୍ବରୁ ମୁଁ ଏପରି ଏକ ଝିଅକୁ ଭଲ ପାଉଥିଲି ଯେ ତା’ର କଣ୍ଠ କୋକିଳର କଣ୍ଠ ପରି ମଧୁର ଥିଲା; କିନ୍ତୁ ସେ ଦେଖିବାକୁ ଏତେ ସୁନ୍ଦର ନଥିଲା । କୌଣସି ଏକ ଦୁର୍ଘଟଣା ଯୋଗୁଁ ତା’ର ସେ ସ୍ୱର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଗଲା ଓ ସେ ନିଜେ ମଧ୍ୟ ମୂକ ହୋଇଗଲା । ଏହାପରେ ମୋ ମନରେ ବଡ ଦୁଃଖ ଆସିଲା ଓ ସଂସାର ପ୍ରତି ବୈରାଗ୍ୟଭାବ ଜାତ ହେଲା । ସେହି ଦିନଠାରୁ ମୋ ମନର ଶାନ୍ତି ପାଇଁ ମୁଁ ଏଠି ସେଠି ଘୁରି ବୁଲୁଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ