ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ

ଗୋଟିଏ ଗ୍ରାମରେ ଫଜଲ ଓ ଅସଲ ନାମରେ ଦୁଇଟି ଭାଇ ଥା’ନ୍ତି । ବଡଭାଇ ଫଜଲ୍ ଭାଗ୍ୟବାନ୍ ଓ ଧନୀ ଥିଲା, କିନ୍ତୁ ସାନଭାଇ ଅସଲ ନିପଟି ଦରିଦ୍ର ଥିଲା । ହେଲେ ମଧ୍ୟ ସେ ସାଧୁ ସ୍ୱଭାବର ଥିଲା ।

                ଫଜଲର କ୍ଷେତରେ କାମ କରି ଅସଲ କୌଣସି ମତେ ଆପଣା ପେଟ ପୋଷେ । ଦିନେ ଭାଇର କ୍ଷେତ ଜଗୁଥିବା ବେଳେ ସେ ଦେଖିଲା ଜଣେ ଶ୍ୱେତବସ୍ତ୍ର ପରିହିତା ମହିଳା ସେହି କ୍ଷେତ ଚାରିପାଖରେ ବୁଲୁଛନ୍ତି । ସେ ବାଲିଗୁଡିକ ଏକାଠି କରି ଗଛ ମୂଳରେ ଦେଉଛନ୍ତି ଓ ଗଛଗୁଡିକୁ ଛୁଇଁ ଛୁଇଁ ବୁଲୁଛନ୍ତି । ଏସବୁ ଘଟଣା ଦେଖି ଅସଲ ବହୁତ ଆଶ୍ଚର୍ଯ୍ୟ ହେଲା । ସେହି ମହିଳା ତା’ର ନିକଟତର ହୁଅନ୍ତେ ସେ ପଚାରିଲା, “ତୁମେ କିଏ? ଏଠି ଏପରି ଏକୁଟିଆ କାହିଁକି ବା ବୁଲୁଛ?”

                “ମୁଁ ତୋ ବଡଭାଇର ଭାଗ୍ୟଦେବୀ । ତଳେ ଖସି ପଡିଥିବା ମାଟିସବୁକୁ ମୁଁ ଗଛମୂଳକୁ ଦେଉଛି ।”

                ଅସଲ ପଚାରିଲା “ତେବେ ମୋର ଭାଗ୍ୟଦେବୀ କାହାଁନ୍ତି?”

                “ତୋର ଭାଗ୍ୟଦେବୀ? ହେଇଟି ସେଇ ଦୂରରେ ଥିବା ଦକ୍ଷିଣ ପାହାଡର ପଛରେ ସେ ଅଛନ୍ତି ।” ଏତିକି କହି ସେ ଅଦୃଶ୍ୟ ହୋଇଗଲେ ।

ଅସଲ ଘରକୁ ଗଲା । କିଛି ଖାଦ୍ୟ ଜିନିଷ ଓ ବ୍ୟବହାର୍ଯ୍ୟ ଜିନିଷ ସବୁ ଏକାଠି ବାନ୍ଧି ନିଜର ଭାଗ୍ୟଦେବୀଙ୍କ ଅନ୍ୱେଷଣରେ ସେ ବାହାରି ପଡିଲା । ତା’ ଚୁଲି ପଛପଟରୁ କାହୁଁ ଗୋଟିଏ ଥୁରୁ ଥୁରୁ ବୁଢୀ ଉଠି ଆସି କାନ୍ଦି କାନ୍ଦି କହିଲା, “ମୋତେ ଛାଡି କୁଆଡେ ଯାଉଛୁ? ମୋତେ ସାଙ୍ଗରେ ନେଇ ଚାଲ୍ ।”

ଅସଲ ସେହି ବୁଢୀର ବିକୃତ ମୁହଁ ଓ ଜିଦ୍ଖୋର୍ ଭାବ ଦେଖି ତାକୁ ଅନେକ ବୁଝାଇଲା । ତଥାପି ମଧ୍ୟ ସେ ବୁଢୀ ଯିବା ପାଇଁ ଜିଦ୍ ଧରିଲା । ଅସଲ କହିଲା, “ଏତେ ଦୂର ବୋହିନେବା କଷ୍ଟ ହେବ । ତେଣୁ ତୁ ଯଦି ଏଇ ଛୋଟ ବୋତଲରେ ପଶିଯିବୁ ତେବେ ମୁଁ ଅନ୍ୟ ଜିନିଷ ସହିତ ତୋତେବି ବୋହିନେବି ।” ବୁଢୀ ସେଥିରେ ରାଜି ହେଲା ଓ ଛୋଟ ରୂପ ଧରି ବୋତଲରେ ପଶିଗଲା । ଅସଲ ସେ ବୋତଲର ମୁହଁ ବନ୍ଦ କରିଦେଲା ଓ ତାକୁ ନେଇ ରାସ୍ତାରେ ଯିବାବେଳେ ଗୋଟାଏ ପୋଖରୀ ପାଖ କାଦୁଅରେ ସେଇଟିକୁ ସେ ପୋତି ଦେଇ ଚାଲିଗଲା ।

ଅସଲ ଦକ୍ଷିଣପଟ ପାହାଡକୁ ଲକ୍ଷ୍ୟ ରଖି ଚାଲିଲା । ଚାଲି ଚାଲି ଯାଇ ଶେଷରେ ସେ ସେହି ପାହାଡ ଅତିକ୍ରମ କରିଯାଇ ଏକ ଛୋଟ ସହରରେ ପହଁଚିଲା । ସେଠାରେ ଜଣେ ଧନୀ ବ୍ୟକ୍ତିଙ୍କ ସହିତ ତା’ର ଦେଖା ହେଲା । ସେ ତାକୁ ଚାକିରୀରେ ରଖିଲେ ।

ଧନୀବ୍ୟକ୍ତି ଅସଲକୁ କହିଲେ, “ଦେଖ, ମୁଁ ମୋ ନିଜ ପାଇଁ ଭୂଇଁ ତଳେ ଗୋଟିଏ ଘର ତିଆରି କରିବି । ସେଥିପାଇଁ ମୂଳଦୂଆ ପକାଇବାକୁ ହେବ ଓ ବହୁତ ଗଭୀର ପର୍ଯ୍ୟନ୍ତ ମାଟି ଖୋଳିବାକୁ ହେବ । ତୁମେ ସେ ଖୋଳିବା କାମ କରିବ । ଖୋଳୁ ଖୋଳୁ ଯଦି କିଛି ଧନ ତୁମକୁ ମିଳିବ ତେବେ ତାହା ତମର ।”

ଅସଲ ଖୁସି ହୋଇ ଖୋଳିଲା । ଖୋଳୁ ଖୋଳୁ ତାକୁ କିଛି ସୁନା ମିଳିଲା । ଯଦିଓ ଧନୀବ୍ୟକ୍ତି ତାକୁ କହିଥିଲେ ଯେ ତାକୁ ଯାହା ମିଳିବ ସେସବୁ ତା’ର, ତଥାପି ସେ ସେଥିରୁ ଅଧେ ମାଲିକକୁ ଦେଇ ଅଧେ ନିଜେ ରଖିଲା । ସେ ପୁଣି ମାଟି ଖୋଳିବାକୁ ଲାଗିଲା । ଖୋଳୁ ଖୋଳୁ ବହୁତ ଗଭୀରକୁ ଯିବା ପରେ ସେ ଅନେକ ଧନରତ୍ନ ପାଇଲା । ତା’ପରେ ସେ ଦେଖିଲା ସେଠାରେ ଗୋଟିଏ ସିନ୍ଦୁକ ଅଛି । ସେହି ସିନ୍ଦୁକରୁ କିଛି ଶବ୍ଦ ଆସୁଥିବାର ସେ ଶୁଣିପାରିଲା । ସେ ଭଲ କରି କାନ ଡେରି ଶୁଣିଲା ଯେ ଉକ୍ତ ସିନ୍ଦୁକ ଭିତରୁ କିଏ କହୁଛି, “ସିନ୍ଦୁକ ଖୋଲ ।” ଅସଲ ତତ୍କ୍ଷଣାତ୍ ସିନ୍ଦୁକ ଖୋଲିଦେଲା ଏବଂ ତା’ ଭିତରୁ ଜଣେ ଦେବୀ ବାହାରି ଆସିଲେ । ସେ ମଧ୍ୟ ଶ୍ୱେତବସ୍ତ୍ର ଧାରଣ କରିଥିଲେ । ଅସଲ ପଚାରିଲା, “ତୁମେ କିଏ?”

“ମୁଁ ତୁମର ଭାଗ୍ୟଦେବୀ । ତମେ ମୋତେ ଆଜିଯାଏଁ ଖୋଜୁଥିଲ ନା? ମୁଁ ତୁମକୁ ଛାଡି ଆଉ କୁଆଡେ ବି ଯିବି ନାହିଁ ।” ଏତିକି କହି ଭାଗ୍ୟଦେବୀ କୁଆଡେ ଅଦୃଶ୍ୟ ହୋଇଗଲେ ।

ଜମି ଭିତରୁ ଯେଉଁସବୁ ଧନରତ୍ନ ମିଳିଥିଲା ସେସବୁ ଅସଲ ନେଇ ତା’ର ମୁନିବକୁ ଅଧେ ଦେଲା ଓ ବାକି ଅଧକ ନେଇ ନିଜ ଗ୍ରାମକୁ ସେ ଚାଲିଗଲା । ସେ ଖୁବ୍ ଅଳ୍ପଦିନ ଭିତରେ କୋଟିପତି ହୋଇଗଲା ଓ ଗ୍ରାମରେ ସୁନ୍ଦର ଘରବାଡି କରି ଖୁସିରେ ରହିଲା । କିନ୍ତୁ ସଦା ସର୍ବଦା ଗରୀବ ଅସହାୟ ଲୋକଙ୍କୁ ସେ ବହୁତ ଦାନ ଦେଉଥାଏ ।

ଦିନେ ରାସ୍ତାରେ ଯାଉ ଯାଉ ସେ ତା’ର ଭାଇ ଫଜଲକୁ ଦେଖିଲା । ତାକୁ ଘରକୁ ଡାକି ନେଇ ସେ ତା’ର ବହୁତ ଆଦର ଅଭ୍ୟର୍ଥନା କଲା ଓ ସ୍ତ୍ରୀ ପିଲାଙ୍କ ପାଇଁ ଅନେକ ଉପହାର ଦେଇ ତାକୁ ସେ ସେଠାରୁ ବିଦାୟ ଦେଲା । କିନ୍ତୁ ଏସବୁ ଦେଖି ଫଜଲର ମନ ଖାଲି ଈର୍ଷ୍ୟାରେ ବିଦୀର୍ଣ୍ଣ ହୋଇଯାଉଥିଲା । ଅସଲଠାରୁ ସେ ସମସ୍ତ ବୃତାନ୍ତ ଶୁଣିଥିଲା । ତେଣୁ ସେ ଭାବିଲା କାଦୁଅରୁ ବୋତଲଟି ବାହାରକରି ଦରିଦ୍ରତାର ଦେବୀଙ୍କୁ ପୁଣି ଅସଲ ଘରକୁ ଫେରାଇ ଆଣିବ ।

ସେୟା କଲା । କିନ୍ତୁ ବୋତଲ ଫିଟିବା ମାତ୍ରେ ଦରିଦ୍ରତାର ଦେବୀ ଫଜଲକୁ କହିଲା, “ଧନ୍ୟବାଦ, ତୁ ମୋର ବହୁତ ଉପକାର କଲୁ । ଏବେ ତତେ ଛାଡି ମୁଁ ଆଉ କୁଆଡେ ବି ଯିବି ନାହିଁ ।” ଏତିକି କହି ସେ ଯାଇ ତା’ର କାନ୍ଧରେ ସବାର ହୋଇ ବସିଲା । ତା’ପରେ ତା’ର ଉପହାର ଗୁଡିକ ଚୋରମାନେ ନେଇଗଲେ । ଘରେ ଆସି ସେ ଶୁଣିଲା ଯେ ତା’ର ଘରବାଡି ଗାଈଗୋରୁ ସବୁ ପୋଡି ଯାଇଛନ୍ତି । ପୁଣି କିଛିଦିନ ପରେ ତା’ର ଜମିବାଡି ମଧ୍ୟ ବନ୍ୟାରେ ଭାସିଗଲା । ସେ ନିଃସ୍ୱ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ