ଭଲମନ୍ଦ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଣବୁଦା ମଧ୍ୟରୁ ସାଇଁସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଘୋର ଅନ୍ଧାର ମଧ୍ୟରେ କିଛିବି ଦେଖାଯାଉ ନାହିଁ । ତଥାପି ମଧ୍ୟ ତୁମେ ନିଜର କର୍ତ୍ତବ୍ୟ କରିଚାଲିଛ । ତୁମର ପରିଶ୍ରମ ଦେଖି ତୁମ ପ୍ରତି ମୋର ବହୁତ ଦୟା ଆସୁଛି । ମୁଁ ତ ଏକଥା ବୁଝିପାରୁନାହିଁ ଯେ ଲକ୍ଷ୍ୟ ସିଦ୍ଧ ହେଲେ, ତୁମର ଲାଭ ହେବ ବା ଅନ୍ୟମାନଙ୍କର ଲାଭ ହେବ । କାରଣ କେବେ କେବେ ନିଃସ୍ୱାର୍ଥୀ ବ୍ୟକ୍ତି ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ଦରିଦ୍ରଙ୍କ ପାଇଁ ଅଧିକ ସାହାଯ୍ୟ କରୁଥିଲେ । କେବେ କେବେ ପରିସ୍ଥିତିର ପ୍ରଭାବରେ ଆସି କେତେକ ମୂଲ୍ୟହୀନ ଲୋକ ମଧ୍ୟ ଠିକ୍ ରାସ୍ତାକୁ ଆସିଥା’ନ୍ତି । ତାହାର ଜ୍ୱଳନ୍ତ ଉଦାହରଣ ହେଲା ରଙ୍ଗନାଥ । ମୁଁ ତା’ର କାହାଣୀ ତୁମକୁ ଶୁଣାଇବି । ତଦ୍ୱାରା ତୁମର ଶ୍ରମଭାର ଲାଘବ ହେବ ।” ମନଦେଇ ତାହା ଶୁଣ । ବେତାଳ ଗପିଲା –

– ରଙ୍ଗନାଥ ରାୟପୁର ଗ୍ରାମର ବଡ ଧନୀଲୋକ ଥିଲେ, ତାଙ୍କ ପାଖକୁ ବହୁତ ଲୋକ ଯିବା ଆସିବା କରୁଥିଲେ । ସେ ନିଜେ ଚଉତରା ଉପରେ ବସି ବହୁତ କାହାଣୀ ଶୁଣାନ୍ତି ଓ କୁହନ୍ତି, “ଅନ୍ୟର କ୍ଷତି କରିବା ଯେତିକି ପାପ, ଅନ୍ୟକୁ ସାହାଯ୍ୟ କରିବା ମଧ୍ୟ ସେତିକି ପାପ । ତେଣୁ ମଣିଷର କର୍ତ୍ତବ୍ୟ ହେଉଛି ନିଜ ଜୀବନକୁ ଭଲ ଭାବରେ ଚଳାଇବା, ଅନ୍ୟକଥା ଚିନ୍ତା କରିବାର କୌଣସି ଦରକାର ନାହିଁ । ସେହି ପ୍ରକାର ଜୀବନରେ କେବଳ ଶାନ୍ତି ଅଛି ଓ ଆନନ୍ଦ ଅଛି । ତଦ୍ୱାରା ନିଜର ମଙ୍ଗଳ, ଅନ୍ୟମାନଙ୍କର ମଧ୍ୟ ମଙ୍ଗଳ ।”

ରଙ୍ଗନାଥଙ୍କର ଏପରି କଥା ଶୁଣି ଶୁଣି ଗ୍ରାମବାସୀଙ୍କର ପରୋପକାର ପ୍ରବୃତ୍ତି ପୁରାପୁରି ଭ୍ରଷ୍ଟ ହୋଇଗଲା । ଥରେ ଜଣେ ସାଧୁ ସେ ଗ୍ରାମକୁ ଆସିଲେ; ସେ ଧର୍ମସଭାରେ କହିଲେ, “ଅନ୍ୟ ପାଇଁ କାର୍ଯ୍ୟ କରିବାରେ ଜୀବନର ସାର୍ଥକତା ଥାଏ । ତାହା ଦ୍ୱାରା କେବଳ ଇହଲୋକ ପାଇଁ ନୁହେଁ, ବରଂ ପରଲୋକ ପାଇଁ ମଧ୍ୟ ପୁଣ୍ୟ ଅର୍ଜନ ହୋଇଥାଏ ।” ଧୀରେ ଧୀରେ ସାଧୁଙ୍କ ପ୍ରଭାବରେ ଗ୍ରାମବାସୀମାନେ ପରୋପକାର କାର୍ଯ୍ୟ କରିବାକୁ ଲାଗିଲେ ।

ସେହି ଗ୍ରାମରେ ବୀରଦାସ ନାମରେ ଜଣେ ଲୋକ ଥାଏ । ପିଲାବେଳେ ଘର ଭାଙ୍ଗି ପଡି ତା’ର ମା’ବାପ ମରିଗଲେ; ନିଜେ ମଧ୍ୟ ସେ ଛୋଟା ହୋଇଗଲା । କୌଣସି କାମ କରି ନପାରି ସେ ଭିଖ ମାଗି ନିଜ ପେଟ ପୋଷେ । ତା’ର ଜଣେ ସମ୍ପର୍କୀୟ ବ୍ୟକ୍ତି ଧର୍ମଦାସ ଭାବିଲା ନିଜ ଘରେ ବୀରଦାସକୁ ସେ ରଖିବ । ଏକଥା ସେ ରଙ୍ଗନାଥଙ୍କୁ କହିଲା ।

ରଙ୍ଗନାଥ କହିଲେ, “ତୁମେ ଯଦି ତାକୁ ଘରେ ରଖିବ, ତାହାହେଲେ ସେ କିଛିଟା ସୁସ୍ଥ ହୋଇଯିବ । କିନ୍ତୁ ତୁମେ କାହିଁକି ନିଜ ଉପରକୁ ଏ ବୋଝ ନେବ? ତାକୁ ମୋ ଘରକୁ ପଠାଇ ଦିଅ । ତାକୁ ବାଉଁଶ ପାତିଆରେ ଟୋକେଇ ବୁଣା ମୁଁ ଶିଖେଇ ଦେବି । ସେ ଆପେ ଆପେ ତା’ ପେଟ ପୋଷିବ । ଗ୍ରାମରେ ସମସ୍ତେ ଯେପରି ତା’ଠାରୁ ଟୋକେଇ ଝୁଡି କିଣନ୍ତି । ଆମେ ତାକୁ ଏପରି ସାହାଯ୍ୟ କରିବା ।”

ଧର୍ମଦାସ ଏଥିରେ ସମ୍ମତ ହେଲା । କିନ୍ତୁ ଏକଥା ରଙ୍ଗନାଥର ସ୍ତ୍ରୀକୁ ଆଦୌ ଭଲ ଲାଗିଲା ନାହିଁ । ସେ କହିଲା ଯେ ଜଣେ ଅପାରଗ ଲୋକକୁ ଘରେ ବସାଇ ଖାଇବାକୁ ଦେବାର କିଛି ମାନେ ହୁଏ? ରଙ୍ଗନାଥ ତା’ ସ୍ତ୍ରୀକୁ ବୁଝାଇ କହିଲା, “ତୁ ଗୋଟାଏ ମୂର୍ଖ, ଏଥିରେ ବହୁତ ଲାଭ ହେବ ଏବଂ ମୁଁ ସେଥିରୁ ଅଧେରୁ ବେଶି ରଖି ତାକୁ ଅଳ୍ପ ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ