ପୁରସ୍କାର – ପ୍ରୋତ୍ସାହନ

ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ ।

ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ ପହଁଚିଲେ ।

ସୁଗନ୍ଧପୁର ଗ୍ରାମର ବିଶ୍ୱାସ ନାମକ ଜଣେ ଯୁବ ଶିଳ୍ପୀ, ସ୍ୱଅଙ୍କିତ ଚିତ୍ରମାନ ସହିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାମଗଡ ଆସିଥିଲେ । ସେ ଯେତେବେଳେ ଗ୍ରାମକୁ ଫେରିଗଲେ, ତାଙ୍କର ବନ୍ଧୁମାନେ ପଚାରିଲେ, “ତୁମର କୌଣସି ଚିତ୍ର ପୁରସ୍କୃତ ହେଲା କି?”

ବିଶ୍ୱାସ ମନଦୁଃଖରେ କହିଲେ, “ମୋତେ ସାନ୍ତ୍ୱନାମୂଳକ ପ୍ରୋତ୍ସାହନ-ପୁରସ୍କାର ମିଳିଛି ।”

ଏହା ଶୁଣି ବନ୍ଧୁମାନେ ବୁଝାଇଲେ, “ଏଥିରେ ମନଦୁଃଖ କରିବାର କ’ଣ ଅଛି? ଏପରି ବି କେତେ ଚିତ୍ରକର ଥିବେ, ଯେଉଁମାନଙ୍କୁ ଏହି ପୁରସ୍କାର ମଧ୍ୟ ମିଳିହିଁ ନ ଥିବ ।”

ବିଶ୍ୱାସ କହିଲେ “ମୋର ଚିନ୍ତା ସେହି କାରଣରୁ ନୁହେଁ, ମୋର ଦୁଃଖର କାରଣ, ମୋତେ ପୁରସ୍କାର ସ୍ୱରୂପ ମିଳିଥିବା ପୁସ୍ତକଟି ।”

“ଦେଖିବା କେଉଁ ପୁସ୍ତକ?” ବନ୍ଧୁଗଣ ଆଗ୍ରହ ପ୍ରକାଶ କଲେ । ବିଶ୍ୱାସ ପୁସ୍ତକ ଦେଖାଇଲେ । ତା’ର ନାମ ଥିଲା –

“ଚିତ୍ରକଳା ଶିକ୍ଷା ପଦ୍ଧତି”


ଗପ ସାରଣୀ

ତାଲିକାଭୁକ୍ତ ଗପ