ସବୁଠୁ କୋମଳ ଶେଯ

ଅନେକ, ଅନେକ ଦିନ ତଳେ ଜଣେ ରାଣୀ ଥିଲେ । ତାଙ୍କ ନାମ ମୀନାକ୍ଷି । ତାଙ୍କୁ ରାତିରେ ଆଦୌ ଭଲ ନିଦ ହେଉ ନଥିଲା । ସାରା ରାତି ସେ ଖାଲି ବିଛଣାରେ ଏକଡ ସେକଡ ହେଉଥିଲେ । ଫଳରେ ତାଙ୍କ ମିଜାଜ୍ ବଡ ଖିଟିମିଟିଆ ହୋଇ ଯାଇଥିଲା । ମୁହଁରେ ବିରକ୍ତି ଓ ଅସନ୍ତୋଷ ଭାବ ଫୁଟି ଉଠିଥିଲା । ସେ ସର୍ବଦା ଅଭିଯୋଗ କରୁଥିଲେ, ମୋ ଶେଯ ଯଥେଷ୍ଟ ନରମ ହେଉନାହିଁ । ମୁଁ କିମିତି ଶୋଇବି?”

                ରାଜା ଦେଶ ବିଦେଶକୁ କେତେ ଲୋକ ପଠେଇଲେ । ସେମାନେ ସବୁଠୁଁ କୋମଳ, ଉତ୍କୃଷ୍ଟ ତୁଳାମାନ ସଂଗ୍ରହକରି ନେଇ ଆସିଲେ । ରାଜାଙ୍କ ପ୍ରଧାନ ଦରଜୀ ଅତି ସରସ ରେଶମ କନା ଭିତରେ ସେଇ ତୁଳା ପୁରାଇ ରାଣୀଙ୍କ ପାଇଁ ସୁନ୍ଦର ଶେଯଟିଏ ତିଆରିକଲେ । କିନ୍ତୁ ତାଙ୍କ ରାଣୀ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ସେ କହିଲେ, “ଇଏ ବହୁତ ଟାଣ । ଏହାଠୁ କୋମଳ ଶେଯଟିଏ ଯଦି ଯୋଗାଡ ହୋଇ ନ ପାରିବ, ତେବେ ମୋର ଦେହ ନିଶ୍ଚିତ ଖରାପ ହେବ, ହୁଏତ ମୁଁ ମରିଯିବି । ନ ଶୋଇ ମଣିଷ ବା ଆଉ କେତେଦିନ ବଂଚିରହିବ?”

ରାଜାଙ୍କ ଉତ୍କଣ୍ଠାର ଅନ୍ତ ନଥିଲା । ସେ ବଗିଚା ଭିତରେ ଖାଲି ଏପଟ ସେପଟ ହେବାକୁ ଲାଗିଲେ । ରାଜାଙ୍କୁ ଏଭଳି ହତାଶ ହେବାର ଦେଖି ମନ୍ତ୍ରୀ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ହଜୁର୍! ମୋ ମୁଣ୍ଡକୁ ଭଲ ବୁଦ୍ଧିଟାଏ ଆସିଛି । ରାଣୀଙ୍କୁ ସନ୍ତୁଷ୍ଟ କଲା ଭଳି ଉପଯୁକ୍ତ ଶେଯଟାଏ ମୁଁ ବନାଇ ପାରିବି ବୋଲି ଭାବୁଛି ।”

ରାଜା ବହୁତ ଖୁସି ହୋଇ ମନ୍ତ୍ରୀଙ୍କୁ ତାଙ୍କ ଯୋଜନା ବୁଝାଇ କହିବାକୁ ଅନୁରୋଧ କଲେ । ମନ୍ତ୍ରୀ କହିଲେ, “ମହାରାଜ! ଆପଣଙ୍କ ଉଦ୍ୟାନରେ ଶହ ଶହ ପ୍ରକାର ଫୁଲ । ଜାଇ, ଜୁଇ, ଚାମେଲି ଓ ବେଲା ଫୁଲମାନ ଦୁଧଠୁଁ ବଳି ଧଳା ଓ ତୁଷାରଠୁଁ ବଳି କୋମଳ । ଆମେ ମାଳିମାନଙ୍କୁ ଏଇ ନିର୍ଦେଶ ଦେବୁ ଯେ ପ୍ରତିଦିନ ସଞ୍ଜବେଳେ କଢ ଗୁଡିକ ଠିକ୍ ଫୁଟି ଆସିବା ବେଳକୁ ସେମାନେ ସେଗୁଡିକ ତୋଳି ଆଣିବେ । ତା’ପରେ ତହିଁ ଭିତରୁ ସବୁଠୁଁ ନରମ ଫୁଲମାନ ବାଛି ରାଣୀଙ୍କ ଶେଯ ଉପରେ ବିଛାଇ ଦିଆ ହେବ । ସେ ଶେଯ ଅତ୍ୟନ୍ତ କୋମଳ ହେବ । ପ୍ରଭାତ ବେଳକୁ ସେସବୁ ଅଧା ଫୁଟା ଫୁଲ ପୂରା ଫୁଟିଯାଇ ରାଣୀଙ୍କ କୋଠରୀକୁ ମହକାଇ ଦେବ । ରାଣୀ ସେଥିରେ ସନ୍ତୋଷ ପାଇବେ ବୋଲି ମୋର ବିଶ୍ୱାସ ।”

ଏହି ପ୍ରସ୍ତାବରେ ସେ ରାଜା ଭାରି ଖୁସିହେଲେ । ପରଦିନ ରାଜାଙ୍କ ମୁଖ୍ୟ ମାଳିକୁ ନୂଆ ବ୍ୟବସ୍ଥା କଥା ଜଣାଇ ଦିଆ ଗଲା । ଠିକ୍ ସୂର୍ଯ୍ୟାସ୍ତ ବେଳକୁ ସେ ସବୁଠୁଁ କୋମଳ କଢମାନ ତୋଳି ଆଣିଲା । ପରିଚାରିକାମାନେ ସେସବୁକୁ ନେଇ ରାଣୀଙ୍କ ଶେଯ ଉପରେ ବିଛାଇ ଦେଲେ । ସେ ରାତିରେ ରାଣୀଙ୍କର ଖୁବ୍ ଭଲ ନିଦ ହେଲା । ରାଜା ଭାରି ଖୁସି ହୋଇ ମନ୍ତ୍ରୀଙ୍କୁ ବହୁତ ପୁରସ୍କାର ଦେଲେ ।

ଦିନ ପରେ ଦିନ, ସୂର୍ଯ୍ୟାସ୍ତ ବେଳକୁ ଫୁଲ କଢମାନ ତୋଳାହୁଏ ଓ ସେଗୁଡିକୁ ରାଣୀଙ୍କ ଶେଯରେ ବିଛାଇ ଦିଆ ହୁଏ । କ୍ରମେ ରାଣୀଙ୍କ ମୁହଁରୁ ବିରକ୍ତି ଭାବ ଦୂର ହେଲା ଓ ହସ ଫୁଟିଉଠିଲା । ଅବଶେଷରେ ସମସ୍ୟାଟିର ସମାଧାନ ହୋଇଗଲା ଭାବି ରାଜା ଟିକେ ଆଶ୍ୱସ୍ତ ହେଲେ ।

କିଛିଦିନ ଉତାରୁ ଦିନେ ଭୋର୍ ବେଳକୁ ହଠାତ୍ ରାଣୀ ଚିତ୍କାର କରି ଉଠିଲେ । ପରିଚାରିକାମାନେ ତାଙ୍କ ଶେଯକଡକୁ ଦୌଡି ଗଲେ । ରାଣୀ ମୀନାକ୍ଷି ବିଛଣା ଉପରେ ବସି ନିଜ ପିଠି ଆଉଁସି ହେଉଥିଲେ ଓ ରାଗରେ ଥରୁଥିଲେ ।

ରାଜା ବି ସେଠାକୁ ଦୌଡି ଆସିଲେ ଓ କ’ଣ ହେଲା ବୋଲି ଗଭୀର ଉତ୍କଣ୍ଠା ସହ ପ୍ରଶ୍ନକଲେ । ପରିଚାରିକାମାନେ ଡରି ମରି ଠିଆ ହୋଇଥିଲେ ।

ରାଣୀ ମୀନାକ୍ଷି ପ୍ରଶ୍ନକଲେ, “କାଲି କିଏ ମୋ ଶେଯ ପ୍ରସ୍ତୁତ କରିଥିଲା?”

ଏକଥା ଶୁଣି ପରିଚାରିକାମାନେ ପରସ୍ପର ଆଡକୁ ଅନାଇଲେ । ଜଣେ ଥର ଥର କଣ୍ଠରେ କହିଲା, “ମହାରାଣୀ! ଆମେ ସଭିଏଁ ତ ଶେଯ ତିଆରି କରିଥିଲୁ,”

ରାଣୀ କହିଲେ, ଆଚ୍ଛା! ମାନିଯାଇ ଖୁବ୍ ଭଲ କଲ । ତମେମାନେ ତମ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇ ନାହଁ । ଯଦ୍ୱାରା ମୋ ଶେଯରେ କୌଣସି କଠିନ ଜିନିଷଟିଏ ରହି ଯାଇଛି । ସେହି କାରଣରୁ ମୁଁ ରାତିଯାକ ଠିକ୍ସେ ଶୋଇ ପାରିନାହିଁ ।

ପରିଚାରିକାମାନେ କହିଲେ ଯେ ସେମାନେ ତ ଯଥାସାଧ୍ୟ ସତର୍କତା ସହ ତାଙ୍କ ଶେଯ ପ୍ରସ୍ତୁତ କରିଛନ୍ତି । କିନ୍ତୁ ରାଣୀ ସେକଥା ଆଦୌ ବିଶ୍ୱାସ କଲେନାହିଁ । ରାଜା ବିଛଣା ଭିତରେ ବହୁତ ଖୋଜା ଖୋଜି କରି ରାଣୀଙ୍କୁ କଷ୍ଟ ଦେଇଥିବା ଜିନିଷଟି ବାହାର କରିବାକୁ ନିର୍ଦେଶ ଦେଲେ ।

ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ ଚାଲିଲା । ପ୍ରତି ଫୁଲକୁ ପରୀକ୍ଷା କରାଗଲା । ଶେଷରେ ସୁବାସିତ ପୁଷ୍ପ ସ୍ତୁପ ଭିତରୁ ଗୋଟିଏ ପୁଷ୍ପ ବାହାରିଲା, ଯାହାକି ଠିକ୍ ଭାବରେ ନଫୁଟିଥିବା ଯୋଗୁଁ ଟାଣ ଲାଗୁଥିଲା ।

ରାଜା ଅତ୍ୟନ୍ତ କୃଦ୍ଧ ହେଲେ । କଢଗୁଡିକୁ ଯଥାର୍ଥ ଧ୍ୟାନ ଦେଇ ନିର୍ବାଚନ ନ କରିଥିବା ହେତୁ ସେ ପରିଚାରିକାମାନଙ୍କୁ ଦୋଷ ଦେଲେ । ସେମାନେ ସମସ୍ତେ ତଥା ବଗିଚାର ମୁଖ୍ୟମାଳିବି ତଡା ଖାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ