ସୁନା ସଂଗ୍ରହ ପାଇଁ ଚାଲାକି

ଉନବିଂଶ ଶତାବ୍ଦୀର ଶେଷ ଆଡକୁ ଆମେରିକାରେ ଘଟିଲା ଏକ ମଜାଦାର ଘଟଣା । ଫିଲାଡେଲ୍ଫିଆରେ ଥିବା ଟଙ୍କା ତିଆରି କାରଖାନା ବା ମୁଦ୍ରଶାଳା ନିକଟରେ ଥିଲା ଖୁବ୍ ପୁରୁଣା ଚର୍ଚ୍ଚଟିଏ । ଚର୍ଚ୍ଚଟିର ମରାମତି ଦରକାର ପଡିଲା । କିନ୍ତୁ ପାଖରେ ରହୁଥିବା ଜଣେ ବ୍ୟକ୍ତି ଚର୍ଚ୍ଚର ଛାତକୁ ତିନିହଜାର ଡଲାର୍ ଦେଇ କିଣିନେବା ନିମନ୍ତେ ପ୍ରସ୍ତାବ ଦେଲେ । ଛାତଟି ଏତେ ଦୁର୍ବଳ ହୋଇ ପଡିଥିଲା ଯେ ତାହା ଆଉ ମରାମତି କରିବା ଅବସ୍ଥାରେ ହିଁ ନ ଥିଲା । ତେଣୁ ୩୦୦୦ ଡଲାର୍ ନେଇ ଛାତଟିକୁ ବିକିଦେବା ପାଇଁ ଚର୍ଚ୍ଚର ମୁଖିଆମାନେ ତୁରନ୍ତ ରାଜି ହୋଇଗଲେ । ଚୁକ୍ତି ଅନୁଯାୟୀ ସେହି ବ୍ୟକ୍ତି ଜଣକ ୩୦୦୦ ଡଲାର୍ ଦେଲେ ଏବଂ ଭାଙ୍ଗି ନେଇଗଲେ ଛାତଟିକୁ । ଛାତର ଉପର ପରସ୍ତକୁ ଚାଂଛିନେଇ ତାକୁ ଫୁଟେଇ ଦେଲେ ସେ ନିଆଁରେ । ନିଆଁରେ ଫୁଟେଇ ଦେବାରୁ ତାଙ୍କୁ ମିଳିଗଲା ଆଠ କିଲୋଗ୍ରାମ୍ ସୁନା ।

                କିନ୍ତୁ ଚର୍ଚ୍ଚର ଛାତ ଉପରକୁ ସୁନା ଆସିଲା କେଉଁଠୁ? ଟଙ୍କାଶାଳାରେ ଧାତୁ ତରଳା ଯାଉଥିବା ବଡ ବଡ ପାତ୍ରରୁ ସୁନାର ଧୂଳି ନଳୀବାଟେ ବାହାରି ଯାଇ ଆଖ ପାଖରେ ଲାଖି ଯାଉଥିଲା । ଠିକ୍ ସେହି ଉପାୟରେ ସୁନା ଧୂଳି ଜମି ଯାଇଥିଲା ଚର୍ଚ୍ଚର ଛାତ ଉପରେ । ସେ ଛାତକୁ କିଣିଥିବା ବ୍ୟକ୍ତି ଜଣକ ଥିଲେ ଖୁବ୍ ବୁଦ୍ଧିଆ । ସେ ତାଙ୍କ ବୁଦ୍ଧି ଖଟେଇ ଓ ଅନୁମାନ ଲଗେଇ ଛାତର ଉପର ସ୍ତରରୁ ଯଥେଷ୍ଟ ସୁନା ମିଳିବ ବୋଲି ଭାବି ନେଲେ । ନିଜ ବୁଦ୍ଧି ବଳରେ ଜମା ୩୦୦୦ ଡଲାର୍ ଖର୍ଚ୍ଚ କରି ସେ ପାଇଗଲେ ଆଠ କିଲୋଗ୍ରାମ୍ ସୁନା ।

                 ଇଉରୋପର ଏକ ବଡ ବ୍ୟାଙ୍କ୍ରେ କାମ କରୁଥିଲେ ଜଣେ କ୍ୟାସିଅର୍ । ତାଙ୍କ ବିଷୟରେ ମଧ୍ୟ ରହିଛି କାହାଣୀଟିଏ । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବର ଏହି ଘଟଣା । ସେତେବେଳେ ତ ବହୁ ଦେଶରେ ପ୍ରଚଳିତ ଥିଲା ସୁନାର ମୁଦ୍ରା । ତେଣୁ ପ୍ରତିଦିନ ହଜାର ହଜାର ସଂଖ୍ୟାର ସୁନାଟଙ୍କା ବ୍ୟାଙ୍କ୍କୁ ଆସୁଥିଲା । ଟଙ୍କା ରହିଥିବା ଥଳିମାନ ବ୍ୟାଙ୍କ୍ରେ ପହଁଚିବାମାତ୍ରେ ବଡ ବଡ ଟେବୁଲ୍ ଉପରେ ସୁନାଟଙ୍କା ଗୁଡିକୁ ଥାକ ଥାକ କରି ରଖାଯାଉଥିଲା । ତା’ପରେ ତା’କୁ ଗଣି ଓ ପୁଡିଆରେ ବାନ୍ଧି ରଖା ଯାଉଥିଲା ଟଙ୍କା ରହୁଥିବା କୋଠରି ଭିତରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ