କମଳାପ୍ରସାଦ ଗୋରାପ

ଏତେ ବଡ କାରବାରୀ ଘର, କୁଆ କା କଲା ରାତିରୁ ଅଧରାତିଯାଏଁ ଗହଳଚହଳ ଲାଗିଥାଏ । ହେଲେ ଆଜି ସବୁ ତୁନିତାନି । ବାଟ ଗଲା ଲୋକେ ବୁଝିବେ, ଏତେବଡ ଦୋତାଲା ଘରଟାରେ ଯେପରି କେହି ବି ମଣିଷ ନାହିଁ, ତୁଚ୍ଛା ପଡିଛି । ସ୍ୱରୂପ ମାଝି ଭୋର୍ ଭୋର୍ ପହଁଚି ଲାବେଳୁ ବାବୁଙ୍କ ଘର ଉପରେ ଯେମନ୍ତ ଚଡକଟାଏ ପଡିଯାଇଛି । ଭିତର ପ୍ରସ୍ତରେ ମାଇକିନିଆଗୁଡାଙ୍କର କବର କାବର ପାଟି, ସାଆନ୍ତାଣୀଙ୍କ କଡାହୁକୁମ, ପିଲାଗୁଡାଙ୍କର ଧାଁଦୌଡ, ଗହଳଚହଳ, ବାସନକୁସନର ଝାମ୍ଝାମ୍ ଶବ୍ଦ କିଛି ଶୁଭୁ ନାହିଁ । ତାରିମା ଦାସୀ ‘ହାୟ ହାୟ’ କରି କାନ୍ଦି ପକାଉଛି, ତାହାର ପାଂଚମାସର ଦରମା ସାଢେ ସାତଟଙ୍କା ଆଗତୁରା ନେଇ ସେ ବଟମ ଦେଇଥିଲା । ଭୀମାଆଈ ଜୀବନଯାକ ଛଂଚି ଛଂଚି ତା’ ବେକରେ ଗୋଟାଏ ସୁନାମାଳି ଲଗାଇଥିଲା, ତାହା କୋଡିଏ ଟଙ୍କାରେ ବନ୍ଧା ପଡିଛି । ସେ ବଡ ଆଶା କରିଥିଲା, ବଟମରେ ବଢି ତିରିଶଟଙ୍କା ହେଲେ ଟଙ୍କାଏ ପାଂଚସୁକା କଳନ୍ତର ଫୋପାଡି ଦେଇ ମୁଠାଏ ଟଙ୍କା ଅଧିକ ପାଇଯିବ । ସେଇଟା ନିହାତି ସମ୍ଭାଳି ନ ପାରି ବାଡିଦୁଆରେ ବସି ସେ ଖାଲି ବାହୁନି ବାହୁନି କାନ୍ଦୁଛି । ସାଆନ୍ତାଣୀଙ୍କ ଡରରେ ସେ ଘର ମଧ୍ୟରେ କେହି ବି ପାଟି କରିପାରୁ ନାହିଁ । ଏଣେ ମନଦୁଃଖରେ ବାବୁଙ୍କର ଅଂଟା ବସିଗଲାଣି, ଭେକା ମାରିଲା ପରି ତୁନିହୋଇ ସେ ବସିଛନ୍ତି । ଘରେ ଗୋଳମାଳ ହେଲେ ସେ ଦିକ୍ଦାର ହେବେ, ଏଥିପାଇଁ ସାଆନ୍ତାଣୀଙ୍କର ମନା, ଯେପରି କେହି ବି ପାଟି କରିବେ ନାହିଁ ।

                ନିଜେ ବାବୁ ରାମହରି ନାୟକେ କଚେରି ଘରେ ଆପଣା ଗଦିରେ ବଡ ମାଣ୍ଡିଟାକୁ ଆଉଜି ତୁନିହୋଇ ବସି ହୁକା ଟାଣୁଛନ୍ତି । କାହାରି ସାଙ୍ଗରେ ତାଙ୍କର କିଛିବି କଥା ନାହିଁ । କେହି ଭରସି ତାଙ୍କ ପାଖ ପଶିପାରୁ ନାହିଁ । ହୁକାଟି ବୈଠକରେ ଥୋଇଦେବା ମାତ୍ରକେ ରାମା ଭଣ୍ଡାରିପିଲା ଚିଲମ ବଦଳାଇ ଦେଇଛି । ତା’ ମନରେ ବି ଆଦୌ ସୁଖ ନାହିଁ । ସେ ବି ଏଣୁତେଣୁ ରୁଣ୍ଡେଇରାଣ୍ଡେଇ ସାଢେ ଦଶଟଙ୍କା ବଟମ ଦେଇଥିଲା । ଘରେ ବୋହୂ ଝିଅ, ଖୋଦ୍ ସାଆନ୍ତାଣୀ ସମସ୍ତେ ମଗଦୁର ଭରି କିଛି ବଟମ ଦେଇଥିଲେ, ଶେଯଛୁଆ ନାମରେ ବି ମା’ମାନେ ବଟମ ଦେଇଥା’ନ୍ତି ।

                କଚେରିଘର ଅଗଣାରେ ଗୋଟିଏ କରରେ ମାଝି ସ୍ୱରୂପ ବେହେରା ପାୟା ମୂଳରେ ଗାଲରେ ହାତଦେଇ ମୁହଁପୋତି ବସିଛି । ତାହାର ଦୁଇ ତିନି ହାତ ଛଡାରେ ରାମ ବେହେରା ଓ ମକ୍ରାମ ବେହେରା ଦୁଇଜଣ ଖଲାସୀ । ସମସ୍ତେ ମୁଣ୍ଡପୋତି ବସିଛନ୍ତି; କାହାରି ମୁହଁରେ କିଛି ବି କଥା ନାହିଁ । ପହରଣ ସମସ୍ତଙ୍କର ଏକ ଛୋଟିଆ, ମଇଳା ଚିରକୁଟ ଚିରା ଖଣ୍ଡେ ଲୁଗା । ଖାଲି ସେ ମାଝି ବେକରେ ଖଣ୍ଡେ ମଇଳା ଗାମୁଛା ପଟକା ପରି ପଡିଛି । ସମସ୍ତଙ୍କ ଦେହଯାକ ଧୂଳି କାଦୁଅବୋଳା । ମୁହଁରେ ଚକେ ଚକେ ରୁଢ ।

ଠିକ୍ ଏତିକିବେଳେ କଚେରିଘରୁ ବାବୁ ଡାକିଦେଲେ, “ମାଝି!” ଏହା ଶୁଣି ସ୍ୱରୂପ ମାଝି ‘ଆଜ୍ଞା ହଜୁର’ ଉତ୍ତର ଦେଇ ବାବୁଙ୍କ ଆଗରେ ଛିଡା ହୋଇଗଲା । ବାବୁ ମାଝିକୁ ଅନାଇଦେଲେ- ‘ହୁଁ’ ବୋଲି କହି ଗୁଡାଖୁ ଟାଣିବାକୁ ଲାଗିଲେ । ପୂରା ଚିଲମେ ଗୁଡାଖୁ ଉଡିଗଲାଣି, ମାଝି ମୁଣ୍ଡପୋତି ଛିଡାହୋଇଛି । ପାଘଂଟା ବାଦେ ବାବୁ ସେ ମାଝିକୁ ଆଉ ଥରେ ଅନାଇ କହିଲେ, “କ’ଣ ହେଲା ମାଝି, ଅସଲ କଥାଟା ଆଉ ଥରେ ଠିକେ ଠିକେ ବୋଲିଯା ତ ।” ବାବୁଙ୍କର ଏଭଳି କଅଁଳ କଥା ଶୁଣି ମାଝି ପ୍ରଥମେ କାନ୍ଦି ପକାଇଲା । ତହିଁବାଦେ ସେ ସମ୍ଭାଳି ଯାଇ ସକେଇ ସକେଇ ଧୀରେ ଧୀରେ କହିବାକୁ ଲାଗିଲା, “ଆଜ୍ଞା- ଗଲା ଉଆଁସ ବାସି ପତିପଦା ଦିନ ଅଡତଦାର ଆପୁଡୁସ୍ୱାମୀ ପାଖରୁ ଭୋର ଭୋର ଟଙ୍କାଟୋକର ଗଣି ନେଇ ଦିନ ଦୁଇପହର ସରିକି ଚିନାପାଟଣା ହାଡୁ-ବାହାରୁ ଲଙ୍ଗର ଉଠାଇଦେଲୁଁ ।” ବାବୁ ପଚାରି ଦେଲେ, “ଅଡତଦାର ହିସାବ ଛିଣ୍ଡାଇ ସବୁ ଟଙ୍କା ଦେଇଛି, ନା ଆଉ କିଛି ଅଛି?”

ମାଝି- ଅଡତଦାର ମତେ ନଗଦ ବାରହଜାର ଟଙ୍କା ଗଣିଦେଲା । ହିସାବ ଡାକରେ ପଠାଇବ ବୋଲି କହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ