ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ

ଏକଦା କଲିକତା ମହାନଗରୀରେ ମହାମାରୀ ବ୍ୟାପୀଥାଏ । ବିଶେଷକରି ଅଧିକାଂଶ ରୋଗୀ ବସ୍ତିଅଂଚଳରୁ ଡାକ୍ତରଖାନାକୁ ବୁହାଚାଲିଥାନ୍ତି । ଅନେକ ଲୋକ ପୋକମାଛି ପରି ବି ମରୁଥାନ୍ତି । ସେହି ଆକ୍ରାନ୍ତ ରୋଗୀମାନଙ୍କ ଭିତରେ ଜୀବନକୁ ପାଣି ଛଡେଇ ଜଣେ ବିଦେଶିନୀ ମହିଳା ଘୂରି ବୁଲୁଥାନ୍ତି ସେମାନଙ୍କ ମନରେ ଆତ୍ମୀୟତାର ହସ ଫୁଟାଇ । ସେହି ମହିଳା ଜଣକ ଥିଲେ ବିଶ୍ୱବନ୍ଦନୀୟା ମଦର ଟେରେସା ।

                ଠିକ୍ ସେତିକିବେଳେ ଫ୍ରାନ୍ସରୁ ଏକ ଦଳ ମଦର ଟେରେସାଙ୍କ ଉପରେ ଏକ ଟେଲି ଫିଲ୍ମ ନିର୍ମାଣ କରିବା ପାଇଁ କଲିକତାରେ ଆସି ପହଁଚିଥାନ୍ତି । ସେମାନେ ମଦର ଟେରେସାଙ୍କ ସେବା ପ୍ରତିଷ୍ଠାନ “ମିସନାରିଜ୍ ଅଫ୍ ଚ୍ୟାରିଟ୍” ଠାରେ ଅପେକ୍ଷା କରିଥାଆନ୍ତି ।

                ସେଦିନ ବିଳମ୍ବିତ ରାତ୍ରିରେ ମଦର ଆସି ପହଁଚିଲେ  । ସେ ଫେରିଲା ମାତ୍ରକେ ସିଧାସିଧା ଚାଲିଗଲେ ଅନ୍ତେବାସୀଙ୍କ ନିକଟକୁ । ସେଠାକୁ ଯାଇ ସେମାନଙ୍କର ଦୁଃଖସୁଖ ସେ ବୁଝିଲେ । ବେଶ୍ କିଛି ସମୟ ପରେ ସେଠାରୁ ମଦର ଫେରିଲେ ନିଜ କକ୍ଷକୁ । ତା’ପରେ ଅଳ୍ପ କିଛି ଭୋଜନ ପରେ ସେ ଚିଠି ଲେଖି ବସିଲେ । ଚିଠି ଲେଖିବା ପୂର୍ବରୁ ଆଉ କିଛି ସମୟ ଅପେକ୍ଷା କରିବା ପାଇଁ ଫ୍ରାନ୍ସରୁ ଆସିଥିବା ଆଗନ୍ତୁକମାନଙ୍କୁ ସେ ଅବଶ୍ୟ ଅନୁରୋଧ ଜଣାଇଥିଲେ ।

                ଏଥର ଚିଠି ଲେଖାସରିଲା ପରେ ଫରାସୀ ଦଳର ମୁଖ୍ୟଙ୍କ ସାଥିରେ ମଦର କଥାବାର୍ତ୍ତା ହେଲେ । ସୁତରାଂ ଏବେ ସେ ଦଳର ମୁଖ୍ୟ ମାଆଙ୍କୁ ପଚାରିଲେ, “ମଦର୍! ଆପଣ ଚିଠିସବୁ ଆସନ୍ତାକାଲି ଲେଖିଥିଲେ କ’ଣ ଚଳି ନ ଥାନ୍ତା? ଦିନସାରା କାମ କରି କରି ଥକ୍କି ପଡିଥିବେ ନିଶ୍ଚୟ, ହେଲେ ବିଶ୍ରାମ ନେଉ ନାହାଁନ୍ତି କାହିଁକି? ମଝିରେ ମଝିରେ ବିଶ୍ରାମ ନ ନେଲେ ଆପଣଙ୍କର ଦେହ ଖରାପ ହୋଇଯିବନି?”

                ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଦର କହିଲେ, “ମୋତେ ବିଭିନ୍ନ ସୂତ୍ରରୁ ସାହାର୍ଯ୍ୟ କରିଥିବା ବ୍ୟକ୍ତି ବା ସଂସ୍ଥାକୁ କୃତଜ୍ଞତା ଜଣାଇବା ହେଉଛି ମୋର ନୈତିକ କର୍ତ୍ତବ୍ୟ । ଏହା ନକରି ମୁଁ ଶୋଇବାକୁ ଗଲେ ଈଶ୍ୱରଙ୍କ ପ୍ରତି ଏହା ବହୁତ ବଡ ଦ୍ରୋହ ହେବ । ପୁନଶ୍ଚ ଅନ୍ୟ କଥାଟି ହେଲା, ମୁଁ ବୁଝେ ବିଶ୍ରାମ ନେବା ହେଉଛି ଚିରନିଦ୍ରାରେ ଶୋଇଯିବା । ମୁଁ ଭାବେ ଈଶ୍ୱର ମୋତେ ନିଦରୁ ଉଠାଇ ଏହିସବୁ କାର୍ଯ୍ୟ କରିବାପାଇଁ ପଠାଇଛନ୍ତି । ମୁଁ ବିଶ୍ରାମ ନେଲେ ଈଶ୍ୱରଙ୍କ କାର୍ଯ୍ୟରେ ଅବହେଳା ହେବ । ତେଣୁ ନିହାତି ଆବଶ୍ୟକ ହେଲେ ମୁଁ ସାମାନ୍ୟ ବିଶ୍ରାମ ନେଇଥାଏ । ଆଉ ମନରେ ଚିନ୍ତାକରେ ବିଶ୍ରାମ ନେବି ତ ଏକାବେଳକେ ନେବି ଯେତେବେଳେ ମୁଁ ଚିରନିଦ୍ରାରେ ଶୋଇ ହସି ହସି ଈଶ୍ୱରଙ୍କ କୋଳକୁ ବାହୁଡିଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ