ଖୋସାମତିର ତୃଷା

ଶିବ ନାମକ ଯୁବକଟିଏ ସହରରେ ଉଚ୍ଚଶିକ୍ଷା ଲାଭକରି ନିଜ ଗ୍ରାମକୁ ସେ ଫେରି ଆସିଲା । ତା’ର ବାପା ବହୁଦିନରୁ ମରିଯାଇଥା’ନ୍ତି । ଘରେ କେବଳ ତା’ର ବିଧବା ମା’ । ଶିବ ମା’ଙ୍କୁ କହିଲା, “ମା’ ମୁଁ ଏବେ ଚାକିରୀ ଖୋଜିବାକୁ ଯିବି ।”

                ଶିବର ମା’ ଏଥିରେ ଖୁସି ହୋଇ କହିଲେ, “ପୁଅ, ତୁ ରଘୁନାଥପୁରର ଧନଞ୍ଜୟଙ୍କ ପାଖକୁ ପ୍ରଥମେ ଯିବୁ । ସେ ତୋ ବାପାଙ୍କ ପିଲା ବେଳର ବନ୍ଧୁ; ସେ ଚେଷ୍ଟାକଲେ ତୋତେ ଜରୁର୍ ଜମିଦାରଙ୍କ ସିରସ୍ତାରେ ଚାକିରୀ କରାଇ ଦେବେ ।”

                ପରଦିନ ଶିବ ରଘୁନାଥପୁରରେ ପହଁଚି ଧନଞ୍ଜୟଙ୍କ ସହିତ ଦେଖାକଲା ସେ ଖୁବ୍ ଖୁସିହୋଇ କହିଲେ, “ପୁଅ, ଏଠାକାର ଜମିଦାରଙ୍କ ପାଖରେ ଚାକିରୀ ମିଳିବା ଏତେ ସହଜ କଥା ନୁହେଁ । ସେଠାରେ ଭୈରବନାଥ ନାମକ ଜଣେ ବ୍ୟକ୍ତି ଅଛନ୍ତି, ଜମିଦାର ତାଙ୍କରି କଥାରେ ଚାଲନ୍ତି । ଆଉ ସେ ବ୍ୟକ୍ତି ଜଣକ ଏତେ ଭଲ ଲୋକ ନୁହଁନ୍ତି ।”

                ଶିବ କହିଲା “ତାଙ୍କୁ ସନ୍ତୁଷ୍ଟ କରିବାର କୌଣସି ଉପାୟ ଅଛି ତ ମୋତେ କୁହନ୍ତୁ, ମୁଁ ଚେଷ୍ଟାକରି ଦେଖିବି ।”

                ଶିବର କଥାଶୁଣି ଧନଞ୍ଜୟ କହିଲେ “ଭୈରବନାଥଙ୍କର ଗୋଟିଏ ଦୋଷ କେହି ତାଙ୍କର ଗୁଣଗାନ କଲେ ସେ ବଡ ଖୁସି ହୁଅନ୍ତି ।” ଶିବ କହିଲା “ଠିକ୍ ଅଛି । ମୁଁ ଚେଷ୍ଟା କରି ଦେଖେ । ଭାଗ୍ୟରେ ଥିଲେ ମିଳିବ ।”

                ଯେଉଁଠାରେ ଜମିଦାର ରହୁଥିଲେ ସେଇ ପାଖରେ ଶିବର ଜଣେ ମିତ୍ର ନରସିଂହ ରହୁଥାଏ । ଶିବ ତା’ସହିତ ଦେଖା କରି ତାକୁ ସବୁ କଥା ସେ କହିଲା । ତା’ପରେ ସେ କହିଲା, “ଶୁଣିଲି ଜମିଦାରଙ୍କ ପାଖରେ ଚାକିରୀ ପାଇବାକୁ ହେଲେ ଭୈରବନାଥ ଖୁସିହେବା ଦରକାର, ଏକାମ ଭାଇ କିମିତି ହେବ । ବୁଝି ବିଚାରି କହ ।”

                ଏହାପରେ ସେ ଦୁଇଜଣ ବହୁସମୟ ଚିନ୍ତାକରି ଗୋଟିଏ ଛୋଟ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଶିବ ସକାଳୁ ଯାଇ ଭୈରବନାଥଙ୍କ ପାଖରେ ପହଁଚିଲା । ଶିବ ବଡ ନମ୍ର ଭାବରେ ତାଙ୍କୁ ପ୍ରଣାମ କରି ନିଜର ଶିକ୍ଷାଜ୍ଞାନ ବିଷୟରେ ମଧ୍ୟ କହିଲା । ଶେଷରେ ସେ କହିଲା, “ମହାଶୟ, ମୁଁ ଶୁଣିଲି ଆପଣଙ୍କ କଥା କୁଆଡେ ମହାରାଜ ଶୁଣନ୍ତି ଓ ସେହି ଅନୁସାରେ କାମ ବି କରନ୍ତି । ମୋଲାଗି ଦୟା କରି ଚାକିରୀ ଖଣ୍ଡିଏ ଯୋଗାଡ କରାଇ ଦେଇ ପାରନ୍ତେ ନାହିଁ?” ଏକଥା ଶୁଣି ଭୈରବନାଥ ବଡ ଗର୍ବରେ ତାଙ୍କ ମୁଣ୍ଡ ହଲାଇ କହିଲେ, “ପ୍ରତ୍ୟେକ ଦିନ ମୋ ପାଖକୁ ଲୋକମାନେ ଚାକିରୀ ପାଇଁ ଆସୁଛନ୍ତି; କେତେ ଜଣଙ୍କୁ ମୁଁ ଚାକିରୀ ଦେବି? ଠିକ୍ ଅଛି କାଲି ଆସ ଦେଖିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ