ମାୟାବି ଘୋଡା

ରାଜା ବୀରଭାନୁଙ୍କର ଦୁଇ ପୁଅ ଥିଲେ । ବଡ ପୁଅ ନାମ ମୟଙ୍କ ଓ ସାନ ପୁଅର ନାମ ଶଶାଙ୍କ ଥିଲା । ହେଲେ ଶଶାଙ୍କ ରାଜାଙ୍କର ଜନ୍ମିତ ପୁଅ ନଥିଲା । ଥରେ ରାଜା ଶିକାର କରିବାକୁ ଯିବା ବାଟରେ ଗୋଟିଏ ଗଛମୂଳରେ ଶିଶୁଟିଏ ଏକାକୀ ଥିବାର ଦେଖି ତାକୁ ସେ ନିଜ ପ୍ରାସାଦକୁ ନେଇ ଯାଇଥିଲେ । ସେତେବେଳେ ସେହି ଶିଶୁଟିର ବୟସ ମାତ୍ର ଏକ ବର୍ଷ ଥିଲା । ରାଜା ଏବଂ ରାଣୀଙ୍କଠାରୁ ବାପା ମା’ଙ୍କର ସ୍ନେହ ପାଇ ଶିଶୁଟି କ୍ରମଶଃ ବଡ ହେଲା । ସେଇ ପୁଅଟି ହେଉଛି ଶଶାଙ୍କ ।

ରାଜା ବୀରଭାନୁ ତାଙ୍କ ଦୁଇ ପୁଅଙ୍କୁ ସମାନ ପରିମାଣରେ ସ୍ନେହ କରୁଥିଲେ । ଉଭୟଙ୍କୁ ସମାନ ବ୍ୟବହାର ମଧ୍ୟ ସେ ଦେଖାଉଥିଲେ । ରାଜାଙ୍କ ସ୍ନେହ ଦେଖିଲେ ମନେହେବ ସତେ ଯେପରି ସେ ଦୁଇଜଣଯାକ ତାଙ୍କରି ପୁଅ ।

କେବଳ ସେତିକି ନୁହେଁ, ମୟଙ୍କ ଓ ଶଶାଙ୍କ ମଧ୍ୟ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ନ ଜାଣିବା ଲୋକେ ଭାବୁଥିଲେ ଉଭୟ ଗୋଟିଏ ମା’ର ପୁଅ ।

ହେଲେ ସବୁଦିନ ତ ଆଉ ସମାନ ଯାଏନାହିଁ । ଧୀରେ ଧୀରେ ଶଶାଙ୍କ ପ୍ରତି ରାଣୀଙ୍କ ମନରୁ ସ୍ନେହଭାବ କମିବାକୁ ଲାଗିଲା । ପରିବର୍ତରେ ତାଙ୍କ ମନରେ ଶଶାଙ୍କ ପ୍ରତି ଈର୍ଷାଭାବ ଦେଖାଦେଲା । କଥାକଥାକେ ସେ ତା’ଉପରେ ଖାଲି ଚିଡିଲେ । ଦରକାର ପଡିଲେ ଶଶାଙ୍କକୁ ବାଡେଇବାକୁ ମଧ୍ୟ ସେ ପଛେଇଲେ ନାହିଁ । ଶଶାଙ୍କ ଏଥିରୁ ବୁଝିପାରେ ଯେ, ରାଣୀ ତାକୁ ଜାଣିଜାଣି ଅପମାନିତ କରୁଛନ୍ତି । ସେଥିପାଇଁ ସେ ଖୁବ୍ ଦୁଃଖ କରୁଥିଲେ ମଧ୍ୟ ରାଜକୁମାରଙ୍କ ପ୍ରତି ତାର ଶ୍ରଦ୍ଧାଭାବ କେତେବେଳେ ହେଲେ ବି ଊଣା ହୋଇ ନ ଥିଲା । ସେ ସଦା ସର୍ବଦା ରାଜକୁମାର ମୟଙ୍କର ପାଖେ ପାଖେ ରହୁଥିଲା ।

ଦିନକୁ ଦିନ ଶଶାଙ୍କ ପ୍ରତି ରାଣୀଙ୍କ ଅତ୍ୟାଚାର ବଢିବାକୁ ଲାଗିଲା । ଶେଷରେ ଦିନେ ଏପରି ଏକ ଅବସ୍ଥା ସୃଷ୍ଟି ହେଲା ଯେ, ଶଶାଙ୍କ ସେ ରାଜମହଲ ଛାଡି ଚାଲିଗଲା ।

ରାଜମହଲରୁ ବାହାରିଯିବା ପରେ ଶଶାଙ୍କ ଏହା ସ୍ଥିର କରି ପାରିଲାନି ଯେ ସେ କୁଆଡେ ଯିବ ବୋଲି । ତଥାପି ମଧ୍ୟ ସେ ଚାଲିବାକୁ ଲାଗିଲା । ଏମିତି ଯାଉଯାଉ ସେ ଗୋଟିଏ ଘନ ଜଙ୍ଗଲରେ ଯାଇ ପହଁଚିଲା । ସେହି ଜଙ୍ଗଲଟି ହିଂସ୍ରଜନ୍ତୁମାନଙ୍କରେ ପରିପୂର୍ଣ୍ଣ ଥିଲା ।

ଦିନ ଯାଇ ସଂନ୍ଧ୍ୟା ହେଲା । ଧୀରେ ଧୀରେ ଅନ୍ଧାର ଗାଢ ହେବାରୁ ଜଙ୍ଗଲଟି ଆହୁରି ଭୟଙ୍କର ମନେହେଲା । ଶଶାଙ୍କ ଭୟଭୀତ ହୋଇ ପଡିଲା । ଭାବିଲା, ସେ ଏବେ କ’ଣ କରିବ? କୁଆଡେ ଯିବ?

ଠିକ୍ ଏତିକିବେଳେ ସେ କାହାର ମଧୁର ସ୍ୱର ଶୁଣିପାରିଲା । କେହି ଯେପରି କହୁଥିଲା – “କିଏ ତୁମେ? ଏ ଘନ ଜଙ୍ଗଲକୁ କାହିଁକି ଆସିଲ? ଏବେ ପୁଣି କୁଆଡେ ଯିବାପାଇଁ ଚାହୁଁଛ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ