ଭୂତ ଏବଂ ଅସଲ ଭୂତ

ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଘନ ଘନ ବର୍ଷା ହେଉଥାଏ । ଗଛଲତାଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଏଭଳି ଦୁଃସାହସିକ କାମ କରିବା ପଛରେ ତୁମର ଯେ କ’ଣ ଉଦ୍ଧେଶ୍ୟ ତା’ ତ ମୁଁ ଜାଣେନା । କିନ୍ତୁ କାର୍ଯ୍ୟ ସିଦ୍ଧି ହେବାର ସୁଯୋଗ ଆସିବା ବେଳକୁ ବହୁ ଲୋକ ଉଦ୍ଧେଶ୍ୟ ଭୁଲିଯିବାର ମୁଁ ଜାଣେ । ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଗପିଲା: “କଳିଙ୍ଗ ରାଜ୍ୟର ଏକ ଗ୍ରାମରେ ଜଣେ ଯୁବକ ଥାଏ । ତା’ର ନାମ ବିଜୟ । ସେ ଖୁବ୍ ଉଚ୍ଚାଭିଳାଷୀ ଯୁବକ । କିପରି ବହୁତ ପଇସା ପତ୍ରର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସମାଜରେ ଜଣେ ପ୍ରତିପତିଶାଳୀ ବ୍ୟକ୍ତି ହେବ, ଏହାହିଁ ତା’ର ଲକ୍ଷ୍ୟ ଥିଲା ।”

                ଦିନେ ତା’ ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ସହରରେ ଜଣେ ବିଶିଷ୍ଟ ସୌଦାଗରଙ୍କୁ ସେ ଜାଣିଥାଏ । ସେ ଦୂର ସମ୍ପର୍କରେ ତା’ର କେହି ବନ୍ଧୁବାନ୍ଧବ ହେବେ । ସେ ସୌଦାଗରଙ୍କର କେବଳ ଜଣେ ମାତ୍ର କନ୍ୟା ଥିଲେ । ବିଜୟ ଭାଲିଲା, ସେ ଯଦି ସେ କନ୍ୟାକୁ ବିଭା ହୋଇପାରେ, ତେବେ ତା’ର ଭାଗ୍ୟ ଖୋଲିଯିବ । ସୌଦାଗରଙ୍କର ଉତ୍ତରଧିକାରୀ ରୂପେ ସେ ବିତ୍ତଶାଳୀ ତଥା ପ୍ରତିପତିଶାଳୀ ବି ହେବ ।

                ସେ ସହରକୁ ଯାଇ ସେହି ସୌଦାଗରଙ୍କୁ ଭେଟିଲା । ଜଣେ ପୁରୁଣା ବନ୍ଧୁଘରର ପିଲା ପ୍ରତି ଯେତିକି ସ୍ନେହ ସହାନୁଭୂତି ଦେଖାଇବା କଥା, ସୌଦାଗର ତାହା ଅବଶ୍ୟ ଦେଖାଇଲେ, କିନ୍ତୁ ବିଜୟ ଯେତେବେଳେ ତାଙ୍କୁ ବିବାହ ପ୍ରସ୍ତାବ ଦେଲା, ସେତେବେଳେ ସେ ସୌଦାଗର ତାକୁ କହିଲେ, “ବାବୁ, ତମର ସୁଗୁଣ, ଦୁର୍ଗୁଣ ବିଷୟରେ ମୁଁ କିଛି ଜାଣେ ନାହିଁ । ଅପର ପକ୍ଷରେ ମୁଁ ଭଲ ଭାବରେ ଜାଣିଥିବା ଅନେକ ଯୁବକ ମୋ ଆଖିରେ ଅଛନ୍ତି । ସେମାନଙ୍କ ଭିତରୁ ମୁଁ ଜଣକୁ ଜୁଆଇଁ କରିବି । କିଛି ଭାବିବ ନାହିଁ ।”

                ସୌଦାଗର ଯାହା କହିଲେ, ତାହା ଖୁବ୍ ସ୍ୱାଭାବିକ । କିନ୍ତୁ ବିଜୟର ଅହଂ ପ୍ରତି ତାହା ଭୀଷଣ ଆଘାତ ଦେଲା । ସେ ଘରକୁ ଲେଉଟି ଆସି ମନେ ମନେ ଠିକ୍ କଲା କି ଆତ୍ମହତ୍ୟା କରିବ । ମୈଦାନ ଭିତରେ ଗୋଟାଏ ପୁରୁଣା କୂଅ ଥିବା କଥା ତା’ର ମନେ ପଡିଲା । ସେ ସେଠାକୁ ଯାଇ ଦେଖିଲା, କୂଅଟି କେବେଠୁଁ ପୋତି ହୋଇ ଗଲାଣି । ତଥାପି ସେ ଭିତରକୁ ଯାଇ ପାଣି ଅଛି କି ନାହିଁ ଦେଖିବା ବେଳକୁ ତା’ ହାତରେ ଗୋଟାଏ ବୋତଲ ଲାଗିଲା । ସେ ତାହାକୁ ଧରି ଉପରକୁ ଉଠି ଆାସିଲା ଓ ତାହା ଖୋଲିଦେଲା । ସଙ୍ଗେ ସଙ୍ଗେ ବୋତଲ ଭିତରୁ କିଛି ଧୂଆଁ ବାହାରି ଧୂଆଁ ଭିତରୁ ଗୋଟାଏ ଭୀଷଣ ଆକୃତି ସୃଷ୍ଟି ହେଲା ।

                “ଯୁବକ, ଭୟ କରନାହିଁ । ମୁଁ ଯଦି ତୁମର କିଛି ଉପକାର କରିପାରିବି, ତେବେ କୁହ ।”

                ବିଜୟ ତ ଡରି ଯାଇଥିଲା । ହେଲେ ବର୍ତ୍ତମାନ ସାହସ ସଂଚୟ କରି ସେ କହିଲା, “ମୋର ଆଉ ଉପକାର କ’ଣ ଲୋଡା? ମୁଁ ମରିବାକୁ ଯାଉଥିଲି ।” ତା’ପରେ ସେ ତା’ କାହାଣୀ କହିଲା । ସବୁ ଶୁଣି ସେ ଆକୃତି କହିଲା, “ମୁଁ ଗୋଟାଏ ପ୍ରକାର ଭୂତ । ମୁଁ ଯାଇ ସେ ସୌଦାଗରର ଝିଅକୁ ଲାଗିବି । ମୋତେ ସାଧାରଣ ମନ୍ତ୍ରତନ୍ତ୍ର ଦ୍ୱାରା କେହିବି ଦୂର କରିପାରିବେ ନାହିଁ । ତମେ ଯାଇ ମନ୍ତ୍ର ଫୁଙ୍କିବାର ଅଭିନୟ କରିବ । କିନ୍ତୁ ଝିଅ କାନ ପାଖରେ ଯେତେବେଳେ କହିବ, “ବୋତଲ ଭୁତ, ତୋତେ ଜାଣେ ମୁହିଁ ସତକୁ ସତ!” ସେତେବେଳକୁ ମୁଁ ବାହାରି ଆସିବାକୁ ବାଧ୍ୟ ହେବି । ସୌଦାଗର ତମ ସୁଗୁଣ ବୁଝିବେ ଓ ତମକୁ ତାଙ୍କ ଝିଅ ଦେବେ ।

                ବିଜୟ କହିଲା “ଧନ୍ୟବାଦ ଭୂତ!”

                “ମନେ ରଖ । ବଡ ଘରର ଝିଅମାନଙ୍କୁ ଲାଗିବା ମୋର ଗୋଟାଏ ସଉକ୍ । ତମେ ପରେ ମୋତେ ଆଉ ହଇରାଣ କରିବ ନାହିଁ ।” ଏହା କହି ଭୂତ ସେଠାରୁ ଅଦୃଶ୍ୟ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ