ଭାଗ୍ୟ

ଗୋଟିଏ ଗାଁରେ ଦୁଇଟି ବୁଢା ଥା’ନ୍ତି । ଜଣେ ସ୍ୱଭାବରେ ଉତ୍ତମ, ଆଉ ଅନ୍ୟଟି ସ୍ୱଭାବରେ ଦୁଷ୍ଟ । ଥରେ ନୂଆବର୍ଷର ପ୍ରଥମ ଦିନରେ ସେ ଦୁହେଁ ପରସ୍ପରକୁ ଭେଟିଲେ ।

                ଉତ୍ତମ ବ୍ୟକ୍ତି କହିଲା, “ଗତ ରାତ୍ରିରେ ମୁଁ ଏକ ଆଶ୍ଚର୍ଯ୍ୟ ସ୍ୱପ୍ନ ଦେଖିଲି । ଆକାଶରୁହିଁ ମୋ ପାଇଁ ଧନ ସବୁ ତଳକୁ ଆସୁଛି ।”

                ଦୁଷ୍ଟ କହିଲା “ଆରେ ଏହା ବଡ ମଜା କଥା ତ । ମୁଁ ମଧ୍ୟ କାଲି ରାତିରେ ଏକ ସ୍ୱପ୍ନ ଦେଖିଛି ଜମି ଭିତରୁ ମୋତେ ଅନେକ ଧନସମ୍ପତ୍ତି ମିଳୁଛି ।”

                “ଦେଖାଯାଉ କ’ଣ ହେଉଛି ।” ଏହା କହି ସେ ଉତ୍ତମ ବ୍ୟକ୍ତିଟି ତା’ ବାଟରେ ସେ ଚାଲିଗଲା ।

                କିଛିଦିନ ପରେ; ଦିନେ ଭଲ ପାଗଯୋଗ ଦେଖି ଉତ୍ତମ ବ୍ୟକ୍ତିଟି ନିଜ ଜମିରେ କିଛି ଗଛ ଲଗାଇବ ବୋଲି କୋଦାଳ ନେଇ ଖୋଳିବାକୁ ଆରମ୍ଭ କଲା । ହଠାତ୍ କୋଦାଳରେ କିଛି ବାଜିବା ପରି ଲାଗିଲା । ସେ ମାଟି ଖୋଳି ଦେଖିବା ବେଳକୁ ଗୋଟିଏ କଳସୀ ସୁନା ମୋହରରେ ଭରା । ଉତ୍ତମ ବ୍ୟକ୍ତିଟି ତାକୁ ଦେଖିସାରି ପୁଣି ଯଥା ସ୍ଥାନରେ ତାକୁ ରଖିଦେଲା । ସେ ଭାବିଲା, “ଏ ସମ୍ପତ୍ତି ନିଶ୍ଚୟ ସେ ଅନ୍ୟ ବୁଢାଟିର ହୋଇଥିବ । ସେ ତ ସେପରି ସ୍ୱପ୍ନ ଦେଖିଥିଲା ।”

                ତା’ପରେ ସେହି ଉତ୍ତମ ବ୍ୟକ୍ତିଟି ଦୁଷ୍ଟବ୍ୟକ୍ତି ପାଖକୁ ଯାଇ କହିଲା, “ମହାଶୟ, ଆପଣଙ୍କ ଧନ ମୋ କ୍ଷେତରୁ ମୁଁ ପାଇଛି । କଳସ ଭରା ସୁନା ମୋହର । ଆପଣ ମୋ କ୍ଷେତକୁ ଯାଇ ସେସବୁ ତୁରନ୍ତ ନେଇ ଆସନ୍ତୁ ।” ଏତକ କହି ସେ ଘରକୁ ଚାଲିଗଲା ।

                ସେ ତା’ ଘରେ ପହଁଚି ସମସ୍ତ ଘଟଣା ନିଜ ସ୍ତ୍ରୀକୁ କହିଲା । ସେ ପୁଣି କହିଲା, “ଏହି ସମୟ ମଧ୍ୟରେ ସେ ବୋଧହୁଏ ମୋହର ଭରା କଳସୀଟି ନେଇ ଯାଇଥିବ ।”

                ସ୍ତ୍ରୀ କହିଲା “ତମେ ବହୁତ ଭଲ କାମ କରିଛ ।” ଇତିମଧ୍ୟରେ ସେ ଦୁଷ୍ଟବ୍ୟକ୍ତିଟି କ୍ଷେତରେ ଯାଇ ପହଁଚିଲା । ଖୋଳା ହୋଇଥିବା ସ୍ଥାନରୁ କଳସୀଟି ଉଦ୍ଧାର କଲା । ମନେ ମନେ ଖୁବ୍ ଖୁସି ହୋଇ ଢାଙ୍କୁଣୀଟି ଖୋଲିଦେବା ମାତ୍ରେ ଦେଖିଲା ସୁନା ମୋହର ବଦଳରେ କୁଣ୍ଡଳୀ କରି ନାଗ ସାପଟିଏ କଳସୀ ଭିତରେ ଶୋଇଛି । ଦୁଷ୍ଟବ୍ୟକ୍ତି ତାହା ଦେଖି ରାଗରେ ଲାଲ୍ ହୋଇଗଲା ।

                “ବଦମାସ୍, ମୋତେ ଠକାଇଲା; ମୁଁ ତାକୁ ଥଣ୍ଡା କରୁଛି ରହ ।” ଏସବୁ କହି ମନେ ମନେ କିଛି ଭାବି ସେ କଳସୀଟି ଧରି ଘରକୁ ଫେରିଲା ।

                ରାତି ହେବାରୁ ଦୁଷ୍ଟବ୍ୟକ୍ତିଟି ଉତ୍ତମ ବ୍ୟକ୍ତିର ଘରକୁ ଗଲା । ସିଡି ପକାଇ ଘରର ଚାଳ ଉପରକୁ ଚଢିଲା । ସେଠାରେ ଚାଳ ଫୁଟାଇ ଦେଖିଲା ବୁଢା ଆରାମ୍ରେ ନିଆଁ ଉହ୍ନେଇ ପାଖରେ ବସି ସେକି ହେଉଛି । ଦୁଷ୍ଟର ତ ଆହୁରି ରାଗ ବଢିଗଲା । ଭାବିଲା, “ସକାଳୁ ସକାଳୁ ମୋତେ ଠକାଇ ଏଠାରେ ଆରାମ୍ କରୁଛି । ରହିଥା’ ଦେଉଛି ତତେ ଠିକ୍ କରି ।” ଏହା କହି ବୁଢା ଉପରକୁ ଦଉଡି ସାହାଯ୍ୟରେ ସାପ ସହିତ କଳସୀଟି ବାନ୍ଧି ତଳକୁ ଖସାଇ ଦେଲା ।

                କିନ୍ତୁ ଆଶ୍ଚର୍ଯ୍ୟର କଥା ଚାଳ ପାଖରୁହିଁ ସେ କଳସୀ ଭିତରୁ ସୁନା ମୋହର ପଡିବାକୁ ଲାଗିଲା । ଘର ଚଟାଣରେ ସବୁ ବିଛେଇ ହୋଇ ପଡିଥାଏ । ସେ ବହୁତ ଖୁସି ହୋଇ ସ୍ତ୍ରୀକୁ ଉଠାଇ ଦେଖାଇ ଦେଲା ଓ କହିଲା, “ଦେଖ, ମୋର ସ୍ୱପ୍ନ ସତ୍ୟ ହୋଇଛି, ମୋର ଧନସମ୍ପଦ ଆକାଶରୁହିଁ ଆସିବା କଥା ଆଉ ଏବେ ଆସିଲା ମଧ୍ୟ । ଦେଖୁଛ ତ? ଭାଗ୍ୟର ବଳ କେତେ?”

                ଏବେ ଉତ୍ତମ ବ୍ୟକ୍ତିର ଦରିଦ୍ରାବସ୍ଥାର ପରିସମାପ୍ତି ଘଟିଲା । ସେ ଓ ତା’ ସ୍ତ୍ରୀ ବେଶ୍ ଖୁସିରେ ଜୀବନ ବିତାଇଲେ ଓ ଦୁଃଖୀ ଦରିଦ୍ରଙ୍କର ମଧ୍ୟ ସେବା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ