ମୂଲ୍ୟ

ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି ଖାଲି ଥାଏ । ହରିପୁରର ଜମିଦାର ବିଶ୍ୱବନ୍ଧୁ ରାସ୍ତାରେ ଏକେଲା ଠିଆ ହୋଇଥିଲେ । ଏ ଗାଡିଟିକୁ ଦେଖି ସେ ପଚାରିଲେ, “ମାଧବ, ତୁ ଗାଁକୁ ଫେରୁଛୁ ତ? ଭଲ ହେଲା ମୁଁ ଗାଡି ଖୋଜୁଥିଲି । ବହୁତ ବେଳୁ ଖାଲି ଗାଡିଟିଏର ଅପେକ୍ଷା କରୁଥିଲି । ତୋର ଯଦି ଆଉ କେହି ଗ୍ରାହକ ନଥା’ନ୍ତି ତେବେ ମୁଁ ତୋରି ଗାଡିରେହିଁ ଯିବି ।” ମାଧବ ହସି ହସି କହିଲା, “ଆସନ୍ତୁ ଆଜ୍ଞା, ମୋ ଗାଡି ଖାଲି ଯାଉଛି ଆପଣ ଆସିଲେ ତ ଏହା ଅତି ଆନନ୍ଦର କଥା ।” ଜମିଦାର ନିଜର ଥଳୀ ଧରି ସେ ଗାଡି ଉପରେ ଯାଇ ବସିଲେ । ପୁଣି ସେ କହିଲେ, “ମୁଁ ଆଜି କରଜ ଅସୁଲ୍ କରିବାକୁ ଆସିଥିଲି । ଟିକିଏ ଡେରୀ ହୋଇଗଲା ସେଇଥିପାଇଁ ଗାଡି ଖୋଜୁଥିଲି, ଦୈବଯୋଗକୁ ତୁ ମିଳିଗଲୁ । ଭଲ ହେଲା ।”

                ଗାଡି କିଛି ବାଟ ଯିବା ପରେ ରାସ୍ତାକଡରେ ଦୋକାନୀ ଚନ୍ଦୁଲାଲ୍ ଠିଆ ହୋଇଥିଲା । ସେ ଗାଡି ଅଟକାଇ କହିଲା, “ଭାଇ ମାଧବ, ମୁଁ ଏ ଜିନିଷ ସବୁ ମୋ ଦୋକାନ ପାଇଁ କିଣି ଅନେକ ବେଳୁ ଠିଆ ହୋଇଛି । ସଂଧ୍ୟା ହେବାକୁ ବସିଲାଣି, ଖାଲି ଗାଡିଟିଏ ଆଖିରେ ପଡୁନି । ଦୟାକରି ମୋତେ ତୋ ଗାଡିରେ ନେଇ ଯା’ ।”

                ମାଧବ କହିଲା “ଆଚ୍ଛା, ଆସନ୍ତୁ ।”

                ଚନ୍ଦୁଲାଲ ତା’ର ଚାରିଟା ବଡ ବଡ ଗଣ୍ଠିଲି ଧରି ଆସି ଘୋଡାଗାଡିରେ ବସିଲା ।

                ଗାଡି ପୁଣି କିଛିବାଟ ଯିବା ପରେ ଦେଖାଗଲା ହରିପୁରର ଆଉ ଦୁଇଜଣ ବ୍ୟକ୍ତି ବଡ ଅସହାୟ ଭାବରେ ରାସ୍ତା କଡରେ ଠିଆ ହୋଇଛନ୍ତି । ସେତେବେଳକୁ ତ ସଂଧ୍ୟା ପ୍ରାୟ ହୋଇ ଆସିଲାଣି । ସେମାନେ ହେଲେ ସ୍କୁଲର ଶିକ୍ଷକ ବନବାବୁ ଓ ଅନ୍ୟଜଣକ ସେହି ଗାଁର ବାସିନ୍ଦା ଚାଷୀ ଭୋଳା । ସେମାନେ ନିର୍ନିମେଷ ନୟନରେ ଗାଡିଆଡେ ଚାହିଁଲେ । ଚିହ୍ନିଲେ ଏହା ତାଙ୍କରି ଗାଁ ଗାଡି । କିନ୍ତୁ ଦୁଇଜଣ ତ ଆଗରୁ ବସି ସାରିଛନ୍ତି । ସୁତରାଂ ସ୍ଥାନ ପାଇବାର ଆଶା ସେମାନେ ପ୍ରାୟ ଛାଡି ଦେଇଥିଲେ । କିନ୍ତୁ ଜମିଦାରଙ୍କ ଇଙ୍ଗିତରେ ମାଧବ ସେମାନଙ୍କୁ ମଧ୍ୟ ଗାଡିରେ ସ୍ଥାନ ଦେଲା । ସେମାନେ ମଧ୍ୟ ଗାଡିରେ ବସିଲେ । ଗାଡି ଚାଲିଥିବା ବେଳେ ବନବାବୁ କହିଲେ ସେ କୌଣସି ଏକ ସ୍ଥାନରେ କରଜ ଶୁଝିବା ପାଇଁ ସହରକୁ ଯାଇଥିଲେ । ଭୋଳା ତା’ର ଚାଷ ପାଇଁ ମଞ୍ଜି କିଣିବାକୁ ଯାଇଥିଲା । ଅଳ୍ପ କିଛି ଟଙ୍କା ଧାର କରି ମଞ୍ଜି କିଣି ସେ ଫେରୁଛି ।

                ସେହି ଗାଡିରେ ମାଧବ ବ୍ୟତୀତ ଆଉ ଚାରିଜଣ ବି ବସିଥା’ନ୍ତି । ପ୍ରାୟ ସଂଧ୍ୟା ବେଳକୁ ସେ ଗାଡିଟି ହରିପୁରରେ ଯାଇ ପହଁଚିଲା । ଚାରିଜଣଯାକ ନିଜ ନିଜର ଭଡା ଦେଇ ଚାଲିଗଲେ ।

                ପରଦିନ ସକାଳୁ ମାଧବ ଗାଡି ସଫା କରିବାକୁ ଯାଇ ଦେଖିଲା ସେଥିରେ କେତେଗୁଡିଏ ରୁପା ଟଙ୍କା ପଡି ରହିଛି । ସେ ଗଣି ଦେଖିଲା ପ୍ରାୟ ଅଶିଟି ରୂପା ଟଙ୍କା ଥିଲା । ସେ ଆଶ୍ଚର୍ଯ୍ୟ ହୋଇ ଭାବିଲା କାଲି ଯେଉଁମାନେ ମୋ ଗାଡିରେ ଥିଲେ ତାଙ୍କରି ଭିତରୁ ଏହା ନିଶ୍ଚୟ କାହାରି ହୋଇଥିବ । ସେ ଯାଇ ତାକୁ ତା’ ଧନ ଫେରାଇ ଦେବ । ମାଧବ ଖୁବ୍ ସାଧୁ ସ୍ୱଭାବର ଥିଲା । ସେ ଭାବିଲା ସମସ୍ତଙ୍କୁ ଯାଇ ପଚାରିଲେ ହୁଏତ କିଏ ମିଛରେ ମଧ୍ୟ ନିଜର ବୋଲି ଦାବୀ କରି ଏତକ ନେଇଯିବ । କ’ଣ କରିବ ଭାବୁ ଭାବୁ ଦିନଟିଏ ବିତିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ